panthaniwas-mahanadira-surakshya-pain-odisha-chhatishgarh-gole-table-baithak-2

ପ୍ରଧାନମନ୍ତ୍ରୀ ଓ ଉଭୟ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର

69

ମହାନଦୀର ସୁରକ୍ଷା ପାଇଁ ଓଡିଶା-ଛତିଶଗଡ଼ ଗୋଲ୍ଟେବୁଲ୍ ବୈଠକ
ଭୁବନେଶ୍ୱର, (ବୁ୍ୟରୋ): ସମ୍ପ୍ରତ୍ତିି ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ଆୟୋଜିତ ତ୍ରିପାକ୍ଷିକ ବୈଠକ ବିଫଳ ହେଲା ପରେ ଉଭୟ ପ୍ରଦେଶର ଗଣସଂଗଠନ ଏହାର ବିଚାର ବିମର୍ଶ ପାଇଁ ଆଗେଇ ଆସିଛନ୍ତି । ମହାନଦୀର ସୁରକ୍ଷା ପାଇଁ ସୋମବାର ଓଡିଶା-ଛତିଶଗଡ ମିଳିତ ଗୋଲଟେବୁଲ୍ ବୈଠକରେ ‘ମହାନଦୀ ସଂପର୍କ ଜୋଡେ, ଭାଙ୍ଗେନି’ ଆହ୍ୱାନ ଦିଆଯାଇଥିଲା । ‘ଆଗାମୀ ଓଡିଶା’ ଓ ‘ଓଡିଶା ନଦୀ ସୁରକ୍ଷା ସାମୁଖ୍ୟ’ ଦ୍ୱାରା ଆୟୋଜିତ ଏହି ବୈଠକରେ ତାମିଲନାଡୁ ଓ କର୍ଣ୍ଣାଟକ ଭିତରେ କାବେରୀ ନଦୀକୁ ନେଇ ଉପୁଜିଥିବା ବିବାଦର କୁସôିତ ରୂପ ଯେମିତି ମହାନଦୀ ବିବାଦରେ ପରିପ୍ରକାଶ ନ ହୁଏ ସେଥିପାଇଁ ସଭିଏଁ ଧ୍ୟାନଦେବା ଆବଶ୍ୟକ ବୋଲି ଉଭୟ ରାଜ୍ୟର ବିଶିଷ୍ଟ ନାଗରିକ ତଥା ଗଣ ସଂଗଠନ ମତପ୍ରକାଶ କରିଥିଲେ । ସ୍ଥାନୀୟ ପାନ୍ଥନିବାସ ଠାରେ ଆୟୋଜିତ ଏହି ବୈଠକରେ ମହାନଦୀର ସୁରକ୍ଷା ଏବଂ ଏହାକୁ ନେଇ ବିବାଦର ସମାଧାନ ଦିଗରେ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିଲା । ବୈଠକରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ବିଶେଷ ତଥା ଗଣ ସଂଗଠନମାନଙ୍କ ସର୍ବସମ୍ମତି କ୍ରମେ ଓଡିଶା ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାତଗୋଟି ଦାବିକୁ ନେଇ ପ୍ରସ୍ତୁତ ଏହି ସ୍ମାରକ ପତ୍ରରେ, ମହାନଦୀ ଅବବାହିକା ଏକ ପାରିବେଶିକ ଏକକ । ଏ ବିଷୟରେ ନିଷ୍ପତ୍ତି ନେବା ଦାୟିତ୍ୱ କେବଳ ରାଜନୈତିକ, ଇଂଜିନିୟର ଏବଂ ପ୍ରଶାସକମାନଙ୍କ ହାତରେ ସୀମିତ ରହିବା ଉଚିତ ନୁହେଁ । ସାଧାରଣ ଲୋକେ ମଧ୍ୟ ସାମିଲ୍ ହେବା ଆବଶ୍ୟକ । ନଦୀ ସହିତ ଜଡ଼ିତ ପ୍ରାକୃତିକ ଐତିହ୍ୟ ଓ ସଂସ୍କୃତିକୁ ବଜାୟ ରଖିବା ବିଶେଷ କରି ନଦୀର ଶାସନ ଓ ପରିଚାଳନା କଥା ଯେତେବେଳ ଉଠୁଛି, ସେତେବେଳେ ଏହି ଦିଗ ପ୍ରତି ଦୃଷ୍ଟି ଦିଆଯିବା ଅତି ଗୁରୁତ୍ୱପୂର୍ଣ୍ଣ । ମହାନଦୀ ବାଧାହୀନ ଭାବେ ବହୁ । “ଆମେ ଏ ନଦୀଜଳରୁ ଯେତେ କମ୍ ସମ୍ଭବ, ସେତିକି ହିଁ ବ୍ୟବହାର କରିବା ଉଚିତ୍ । ଏଥିସିହିତ ନଦୀ ପାଇଁ ଯେତିକି ଅଧିକ ସମ୍ଭବ, ଛାଡ଼ି ଦିଆଯିବା ଉଚିତ୍ । ନଦୀକୁ ନେଇ ଯୁଦ୍ଧ କରିବା ଆଦୌ ଆବଶ୍ୟକତା ନାହିଁ । ଓଡ଼ିଶା ଜଳନୀତି-୨୦୦୭ରେ ବର୍ଣ୍ଣିତ ଥିବା ଜଳ ଆବଣ୍ଟନରେ ପ୍ରମୁଖତା ନୀତି ଆଧାରରେ ବିଭିନ୍ନ ବର୍ଗଙ୍କ ମଧ୍ୟରେ ଜଳ ଆବଣ୍ଟନ ହେବା ଉଚିତ୍ । ପ୍ରଥମେ ପାନୀୟ ଜଳ, ପରିବେଶ, ଜଳସେଚନ, ଜୀବିକା, ନୌଚାଳନା ଓ ଶିଳ୍ପ । ପ୍ରମୁଖତାର ଏହି କ୍ରମ ଅନୁପାଳନ ହେବା ଦରକାର । ନଦୀରେ ବହୁଥିବା ପାଣିର ମାତ୍ରା ସହିତ ଏହାର ମାନ ପ୍ରତି ଆମେ ଦୃଷ୍ଟି ଦେବା ଆବଶ୍ୟକ । ଏହା ନିଶ୍ଚିତ କରିବା ଆବଶ୍ୟକ ଯେ ନଦୀର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଠି ଓ ସବୁ ସମୟରେ ତାହାର ମିଳୁଥିବା ପାଣି ପିଇବା ଉପଯୋଗୀ ଅଟେ । ନଦୀ ପାଖରେ ଥିବା ସହର ଓ ଶିଳ୍ପ କାରଖାନା: ପ୍ରତ୍ୟେକରୁ ବାହାରୁ ଥିବା ବର୍ଜ୍ୟ ଜଳକୁ ସମ୍ପୂର୍ଣ୍ଣ ଭାବେ ପରିଷ୍କୃତ କରିବା ପରେ ହିଁ ନଦୀକୁ ଛାଡ଼ିବା ଉଚିତ୍ । ନଦୀର ଧାରଣ କ୍ଷମତା ଅନୁସାରେ ହିଁ ଶିଳ୍ପର ବିକାଶ ହେବା ଉଚିତ୍ । ମହାନଦୀର ଧାରଣ କ୍ଷମତା ଅନୁସାରେ ହିଁ ମହାନଦୀର ଅବବାହିକାରେ ଶିଳ୍ପପାଇଁ ଜଳ ଉତ୍ତୋଳନ ହେବା ଆଶ୍ୟକ । ଅଧିକାର ସୂଚୀରେ ଆଗରେ ଥିବା ଆବଶ୍ୟକତା ପୂରଣ ହେବା ପରେ ହିଁ ଶିଳ୍ପ ପାଇଁ ଜଳ ଉତ୍ତୋଳନ ହେବା ଦରକାର । ନଦୀ ଅବବାହିକାରୁ ଆସୁଥିବା ସମସ୍ତ ଚିନ୍ତା ଚେତନା ଓ ଉକ୍ତିକୁ ସାମିଲ୍ କରିବାପାଇଁ ବା ଶୁଣିବାପାଇଁ ସରକାରମାନେ ଏକ ଆନୁଷ୍ଠାନିକ ବ୍ୟବସ୍ଥା ସୃଷ୍ଟି କରିବା ଦରକାର । ଏବଂ ତା’ ସହିତ ଆଲୋଚନାକୁ ସମୃଦ୍ଧ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବା ଆଦି ଦାବିଗୁଡ଼ିକ ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ଉଭୟ ରାଜ୍ୟର ମିଳିତ ଉଦ୍ୟମ ପାଇଁ ମହାନଦୀ ଅବବାହିକାରେ ମହାନଦୀ ସୁରକ୍ଷା ଯାତ୍ରା କରାଯିବା ସହିତ ଦିଲ୍ଲୀଠାରେ ଏକ ଆଲୋଚନାଚକ୍ର ଆୟୋଜନ କରିବା ପାଇଁ ଏଠାରେ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଓଡିଶାର ଆବାହକ ସୁଦର୍ଶନ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଗୋଲଟେବୁଲ୍ ବୈଠକରେ ଓଡିଶାରୁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ‘ଇନ୍ଟାକ୍’ର ସଭାପତି ଏ.ବି. ତ୍ରିପାଠୀ, ଜାପାନୀ ଦାସ, ଅବସର ବେଉରିଆ, ଧିରେନ୍ଦ୍ର ରାୟ, ଡାକ୍ତର ସେବା ମହାପାତ୍ର, ଅନିଲ୍ ଧୀର, ପ୍ରଫେସର ପୂର୍ଣ୍ଣେନ୍ଦୁ ବେହେରା, ଡକ୍ଟର ଅରବିନ୍ଦ ବେହେରା, ଅଚୁ୍ୟତ ଦାସ, ଡକ୍ଟର ବିନାୟକ ରଥ, ଲିଙ୍ଗରାଜ ପ୍ରଧାନ, ଅରୁଣ ଜେନା, ପ୍ରଫୁଲ୍ଲ ସାମନ୍ତରାୟ, ବିକାଶ ଦାସ, ସଂଗ୍ରାମ ନାୟକ ପ୍ରମୁଖ ଅନେକ ବୁଦ୍ଧିଜୀବୀ ଓ ଗଣସଂଗଠନ ଯୋଗ ଦେଇଥିଲେ । ଓଡିଶା ନଦୀ ସୁରକ୍ଷା ସାମୁଖ୍ୟର ଆବାହକ ତପନ ପାଢୀ ଏଥିରେ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରଣବ ଚୌଧୁରୀ ଦାବିପତ୍ର ଉପସ୍ଥାପିତ କରିଥିଲେ । ଏହି ବୈଠକକୁ ୫ ବର୍ଷର ଶିଶୁ ସଂଗ୍ରାମ ସୁମନ ଉଦ୍ଘାଟନ କରିଥିଲେ । ସେହିଭଳି ଛତିଶଗଡରୁ ପ୍ରକାଶିତ ଖବର କାଗଜ ‘ଦେଶବଂଧୁ’ର ସଂପାଦକ ଲଳିତ ସୁରଜନ୍, ‘ଛତିଶଗଡ ବଞ୍ଚାଅ ଆନେ୍ଦାଳନ’ର ଆବାହକ ଆଲୋକ ଶୁକ୍ଳା, ପ୍ରଫେସର ନିନାଦ ବୋଧଙ୍କର, ଐତିହାସିକ ଆନନ୍ଦ ମିଶ୍ର ଓ ବିଶିଷ୍ଟ କୃଷକ ନେତା ନନ୍ଦ କାଶ୍ୟପ ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com