ଦାରୁବ୍ରହ୍ମ ଅନ୍ୱେଷଣରେ ବନଯାଗ ଯାତ୍ରା ଆଜି

ପୁରୀ,୨୮ା୩(ଆପ୍ର): ବରିଷ୍ଠ ତଥା ଅଭିଜ୍ଞ ଦଇତାପତି ବିନାୟକ ଦାସମହାପାତ୍ର ବିଶ୍ୱାବସୁ ଓ ନରସିଂହ ପତିମହାପାତ୍ର ବିଦ୍ୟାପତି ମନୋନୀତ ହୋଇଛନ୍ତି । ବିଧିବଦ୍ଧ ଭାବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । “ମହାପ୍ର୍ରଭୁଙ୍କ କରୁଣାରୁ ମୋତେ ଏହି ସେବା କରିବାର ସୁଯୋଗ ମିଳିଛି । ଏହା ଏକ କଠିନ ଗୁରୁଦାୟିତ୍ୱ । ଦାରୁ ପାଇଁ ଅନୁଷ୍ଠିତ ୩ଦିନିଆ ଯଜ୍ଞରେ ଏହି ସେବକଙ୍କୁ ସମ୍ପୂର୍ଣ୍ଣ ନିର୍ଜଳା ଉପବାସ (ଏପରିକି ଛେପ ଢୋକିବାକୁ ମନା) ରହିବାକୁ ପଡ଼ିଥାଏ । ବ୍ରହ୍ମଦାରୁ ଚିହ୍ନଟ ପରେ ବୃକ୍ଷକୁ ପ୍ରଥମେ ସୁନା କୁରାଢିରେ ଚୋଟ ମାରିବାକୁ ହୋଇଥାଏ । ମୋ ବାପା ବିଗତ ୩ଟି ନବକଳେବରରେ ଏହି କାର୍ଯ୍ୟ କରିଛନ୍ତି । ମୁଁ ନିଷ୍ଠାର ସହ କାର୍ଯ୍ୟ ନିର୍ବାହ କରିବି ବୋଲି କହିଛନ୍ତି ମନୋନୀତ ବିଶ୍ୱାବସୁ ବିନାୟକ ଦାସ୍ମହାପାତ୍ର ।” ୧୯୯୬ ନବକଳେବର ବନଯାଗ ଦଳର ଦଳପତି ହଳଧର ଦାସ ମହାପାତ୍ରଙ୍କୁ ୧୯ ବର୍ଷ ପରେ ପୁଣି ଚଳିତ ବର୍ଷ ବନଯାଗଦଳର ନେତୃତ୍ୱ ପ୍ରଦାନ କରାଯାଇଥିବେଳେ ୪ ଜଣ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର, ଦୁର୍ଗାଦାସ ମହାପାତ୍ର, ଚନ୍ଦ୍ରଶଖରଦାସ ମହାପାତ୍ର ଓ ଗଣେଶ୍ୱରଦାସ ମହାପାତ୍ରଙ୍କୁ ପ୍ରଥମଥର ପାଇଁ ଉପଦଳପତି ମନୋନୀତ କରାଯାଇଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଚୈତ୍ର ଶୁକ୍ଳଦଶମୀ ତିଥିରେ ଅର୍ଥାତ ଆସନ୍ତାକାଲି ବନଯାଗଯାତ୍ରୀଦଳ ଦାରୁଅନ୍ୱେଷଣରେ ବହାରିବେ । ଏହିଦଳରେ ପ୍ରାୟ ୧୫୦ଜଣ ସାମିଲହେବେ । ସେମାନଙ୍କ ସହିତ ସ୍ୱତନ୍ତ୍ର ପୁଲିସ ଟିମ୍,ଡାକ୍ତରୀ ଦଳ ଏବଂ ଆମ୍ବୁଲାନ୍ସ ରହିବାର ବ୍ୟବସ୍ଥା କରାଯାଇଛି ।
ଆସନ୍ତାକାଲି ଦ୍ୱାରଫିଟା, ଭିତରଶୋଧ, ମଙ୍ଗଳଆଳତୀ, ମଇଲମ ତଡ଼ପଲାଗି, ଅବକାଶ, ରୋଷହୋମ ଗୋପାଳବଲ୍ଲଭ, ସକାଳଧୂପ ଓ ମଧ୍ୟାହ୍ନ ଧୂପ(କେବଳ କୋଠଭୋଗ) ଆଦି ନୀତି ଶେଷ ହେବାପରେ ୩ଟାରେ କୋଇଲି ବୈକୁଣ୍ଠରେ ବନଯାଗ ନୀତି ଶେଷ ହେବ । ଅପରାହ୍ନ ସାଢେ ୩ଟାରେ ଆଜ୍ଞାମାଳ ବିଜେ କାର୍ଯ୍ୟ ଶେଷ ପରେ ୫ଟାସୁଦ୍ଧା ଦଇତାପତିଙ୍କ ଶାଢି ବନ୍ଧା ଶେଷହେବ । ୫ଟା୧୦ମିନିଟ୍ରେ ଶ୍ରୀମନ୍ଦିରରୁ ବନଯାଗ ଯାତ୍ରା ଆରମ୍ଭ ହେବ । ସେବାୟତମାନେ ସିଂହଦ୍ୱାରଦେଇ ଶ୍ରୀନଅରକୁ ଯିବେ । ଶ୍ରୀନଅରରୁ ଗଜପତିଙ୍କ ଶ୍ରୀହସ୍ତ ସ୍ପର୍ଶ ଗୁଆ ରାଜଗୁର ବିଶ୍ୱାବସୁ ବିନାୟକଙ୍କୁ ଅର୍ପଣ କରିବା ପରେ ବନଯାଗଯାତ୍ରୀମାନେ ଜଗନ୍ନାଥବଲ୍ଲଭ ଅଭିମୁଖେ ଯାତ୍ରା କରିବେ । ବନଯାଗଯାତ୍ରୀଙ୍କ ଯାତ୍ରାରେ ସାମିଲ୍ହେବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫୦ଟି ସଙ୍କିର୍ତ୍ତନ ଦଳ ପ୍ରସ୍ତୁତ ହୋଇରହିଛି । ଏଥିରେ କେବଳ ପୁରୀ ଜିଲ୍ଲାର ୨୧ଟି ଓ ରାଜ୍ୟର ଅନ୍ୟ୨୯ଟି ଜିଲ୍ଲାର ସଙ୍କିର୍ତ୍ତନଦଳକୁ ସାମିଲ୍ କରାଯାଇଛି । ଫଳରେ ବନଯାଗଯାତ୍ରାରେ ସମଗ୍ର ରାଜ୍ୟକୁ ସାମିଲ କରାଯାଇପାରିଛି ବୋଲି ଜିଳ୍ଲାପାଳ ଅରବିନ୍ଦ ଅଗ୍ରୱାଲ କହିଛନ୍ତି । ବନଯାଗଯାତ୍ରୀଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜି ଏଥିପାଇଁ ମକ୍ ଡ଼୍ରିଲ୍ ମଧ୍ୟ ଶେଷ ହୋଇଛି । ଶ୍ରୀନଅରରୁ ବାହାରି ବନଯାଗଯାତ୍ରୀଦଳ ଜଗନ୍ନାଥବଲ୍ଲଭମଠ ଅଭିମୁଖେ ଯାତ୍ରାକରି ସେଠାରେ ରାତ୍ରୀ ଯାପନ କରିବେ । ୩୦ ତାରିଖ ମଧ୍ୟରାତ୍ରରେ ସେମାନେ ଜଗନ୍ନାଥବଲ୍ଲଭମଠରୁ ବାହିରି ବାଲିଘାଇ ସ୍ଥିତ ନୀଳପ୍ରଧାନଙ୍କ ବଗିଚାରେ ରହିବେ । ଅପରାହ୍ନରେ ସେମାନେ ସେଠାରୁ ଯାତ୍ରା ଆରମ୍ଭ କରି କୋଣାର୍କସ୍ଥିତ ନାଟ୍ୟମଣ୍ଡପରେ ପହଞ୍ଚି ରାତ୍ରୀଯାପନ କରିବେ । ଯେଉଁମାନେ ଯାତ୍ରା ସମୟରେ କ୍ଳାନ୍ତି ଅନୁଭବ କରିବେ ସେମାନେ ରାମଚଣ୍ଡୀରେ ରହି ଭୋର୍ ସମୟରେ ନାଟ୍ୟମଣ୍ଡପରେ ପହଞ୍ଚିପରିବେ । ଏଥିଲାଗି ରାମଚଣ୍ଡୀରେ ସେମାନଙ୍କ ରହଣୀ ବ୍ୟବସ୍ଥା କରାଯାଇଛି । ନଟ୍ୟମଣ୍ଡପଠରୁ ବନଯାଗଯାତ୍ରୀମାନେ ଶଙ୍କରେଶ୍ୱର ମଠଦେଇ ଦେଉଳି ମଠରେ ପହଞ୍ଚିବେ । ତା’ପରଦିନ ମା’ମଙ୍ଗଳାଙ୍କ ମନ୍ଦିରରେ ପୂଜାର୍ଚ୍ଚନା ସାରି ଦେଉଳିମଠକୁ ଫେରି ସେଠାରେ ରାତ୍ରୀ ଯାପନ କରିବେ । ଦାରୁ ସମ୍ପର୍କରେ ସୂଚନା ମିଳିବା ପର୍ଯ୍ୟନ୍ତ ସେମାନେ ସ୍ୱପ୍ନାବତ୍‍ ମନ୍ତ୍ରଜପ କରିବେ ।