acharya-harihar-regional-cancer-centre-doctor-couple-arrested

ଜେଲ୍ ଗଲେ ଡାକ୍ତର ଦମ୍ପତି

46

ନିମ୍ନମାନର ଔଷଧ ଲେଖିବା ଅଭିଯୋଗ
କଟକ,୧୬ା୯(ବୁ୍ୟରୋ): ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରର ଡାକ୍ତର ଦମ୍ପତିଙ୍କୁ ଶେଷରେ ଜେଲ ଯିବାକୁ ପଡିଛି । କର୍କଟ ରୋଗୀଙ୍କୁ ନିମ୍ନ ମାନର ଔଷଧ ଲେଖିବା ସହ ଖାଇବା ପାଇଁ ପରାର୍ମଶ ଦେବା ଘଟଣାରେ ଭିଜିଲାନ୍ସ ଗିରଫ କରି ଡାକ୍ତର ଦମ୍ପତିଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି । ସେହିପରି ଅଣ ରେଜିଷ୍ଟ୍ରିଭୁକ୍ତ ଫାର୍ମାସିଉଟିକାଲ୍ସ ମାଲିକ ସୁଧାଂଶୁ ଦାସଙ୍କୁ ଗିରଫ କରାଯିବା ପରେ ଜେଲକୁ ପଠାଇଦିଆଯାଇଛି । ତେବେ ଡାକ୍ତର ଦମ୍ପତିଙ୍କ ଜାମିନ ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । କୋର୍ଟ ଜାମିନ ଆବେଦନ ଉପରେ ଶୁଣାଣି କରି କେସ୍ ଡାଏରୀ ଦାଖଲ ପାଇଁ ଭିଜିଲାନ୍ସକୁ ନିଦେ୍ର୍ଦଶ ଦେଇଥିଲେ । ଆସନ୍ତାକାଲି ଭିଜିଲାନ୍ସ କେସ ଡାଏରୀ ଦାଖଲ କରିବା ପରେ ଜାମିନ ଉପରେ ଶୁଣାଣି ହେବ । ତେବେ ଡାକ୍ତର ଦମ୍ପତି ଅଙ୍କଲୋଜି ବିଭାଗରେ କାର୍ଯ୍ୟରତ ଥିବାବେଳେ ଏକ ନିର୍ଦ୍ଦିଷ୍ଟ କମ୍ପାନୀ ଜେବିଏସ୍ଏଲକୁ ଅନୁକମ୍ପା ଦେଖାଇ ତାଠାରୁ ଅର୍ଥ ନେଇ ରୋଗୀଙ୍କୁ ଉକ୍ତ କମ୍ପାନୀର ଔଷଧ ଲେଖୁଥିଲେ । ତେବେ ୨୦୧୩ ମେ ମାସ ଠାରୁ ଡିସେମ୍ବର ମାସ ୨୦୧୫ ପର୍ଯ୍ୟନ୍ତ ଡାକ୍ତର ଦମ୍ପତି ରୋଗୀଙ୍କୁ ଚିଠା ଲେଖି ଆସୁଥିଲେ । ଉକ୍ତ କମ୍ପାନୀର ଔଷଧ ଅନ୍ୟ କମ୍ପାନୀ ଠାରୁ ଅଧିକ ଦାମ ଥିବାବେଳେ ଅଳ୍ପ ଦାମ ଥିବା ଔଷଧ ଲେଖୁନଥିଲେ । ଏହି ମାମଲାରେ ଭିଜିଲାନ୍ସ ଉଭୟଙ୍କୁ ଦୀର୍ଘ ସମୟ ଜେରା କରିବା ପରେ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ଡାକ୍ତର ଦମ୍ପତ୍ତିଙ୍କୁ ଗିରଫ କରିଥିଲେ । ଗତ ଅଗଷ୍ଟ ୯ତାରିଖରେ ନିର୍ଦ୍ଦିଷ୍ଟ ଏକ କମ୍ପାନୀର କର୍କଟ ଔଷଧ ଲେଖି ଗରିବ କର୍କଟ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଡା. ସୁରେନ୍ଦ୍ରନାଥ ସେନାପତି ଓ ଡା. ଦୀପ୍ତିରାଣୀ ସାମନ୍ତଙ୍କ ମାଜେଷ୍ଟିକ ଟାୱାରସ୍ଥିତ ବାସଭବନରେ ଚଢ଼ଉ କରାଯାଇଥିଲା । ଏଥିସହିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ସମେତ ମର୍କତନଗରସ୍ଥିତ ସୁଧାଂଶୁ ଦାସଙ୍କ ବାସଭବନ, ମଙ୍ଗଳାବାଗ କାଠଗୋଲାଗଳିସ୍ଥିତ ଜେଏସ୍‌ବିଏଲ ଆଣ୍ଡ ଫାର୍ମାସୁ୍ୟଟିକାଲସ, ମଲ୍ଲାସାହିସ୍ଥିତ ନଳିନୀ ଏଣ୍ଟରପ୍ରାଇଜର୍ସ,ନଳିନୀ ମେଡିକାଲ ଷ୍ଟୋର ଉପରେ ମଧ୍ୟ ଭିଜିଲାନ୍ସର ସ୍ୱତନ୍ତ୍ର ତଦନ୍ତାଧିକାରୀ ଦଳ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଡାକ୍ତର ସାମନ୍ତଙ୍କ ବାସଭବନରୁ ୩କୋଟିରୁ ଊଦ୍ଧ୍ୱର୍ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ ହୋଇଥିଲା । କର୍କଟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଡା. ସେନାପତି ଓ ତାଙ୍କ ପତ୍ନୀ ଡା ସାମନ୍ତ ଏକ ନିର୍ଦିଷ୍ଟ କମ୍ପାନୀର ଔଷଧ କ୍ରୟ କରିବାକୁ ରୋଗୀଙ୍କୁ ପରାମର୍ଶ ଦେଇଥାନ୍ତି । ଉକ୍ତକମ୍ପାନୀର ଔଷଧ ମୂଲ୍ୟଠାରୁ ଅନ୍ୟ କମ୍ପାନୀର ଔଷଧ ମୂଲ୍ୟ କମ୍‌ ହୋଇଥିଲେ ମଧ୍ୟ ନିର୍ଦିଷ୍ଟ କମ୍ପାନୀର ଔଷଧ କ୍ରୟ ପାଇଁ ସେମାନେ ରୋଗୀଙ୍କ ଉପରେ ଚାପ ପକାଉଥିବାରୁ ଅନେକ ରୋଗୀ ବାଧ୍ୟବାଧକତାରେ ଉଚ୍ଚ ମୂଲ୍ୟ ଦେଇ ଉକ୍ତ କମ୍ପାନୀର ଔଷଧ କ୍ରୟ କରି ଖର୍ଚ୍ଚାନ୍ତ ହୋଇଥାନ୍ତି । ଏଥିନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସର ୬ଟି ଦଳ ଏକ ସଙ୍ଗରେ ମାଜେଷ୍ଟିକ ଟାୱାରସ୍ଥିତ ଫ୍ଲାଟ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଡା. ସେନାପତି ଓ ଡା. ସାମନ୍ତଙ୍କ ବାସଭବନରୁ ନଗଦ ୧୪ଲକ୍ଷ ୪୨ହଜାର ୩୯୦ଟଙ୍କା, କଟକ, ଭୁବନେଶ୍ୱର, ଫୁଲନଖରା, ପୁନେରେ ଫ୍ଲାଟ ଥିବା ଜଣାପଡ଼ିଥିଲା । ଏଥିସହିତ ବିଭିନ୍ନ ବ୍ୟାଙ୍କ, ପୋଷ୍ଟାଲ ଓ ଘରୋଇ ବୀମା କମ୍ପାନୀରେ ୩୩,୩୯,୩୬୧ଟଙ୍କାର ଜମା ରହିଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିସହିତ ଡାକ୍ତର ଦମ୍ପତିଙ୍କ ବାସଭବନରୁ ୧୨୫୦ଗ୍ରାମ ସୁନାଗହଣା ମଧ୍ୟ ଜବତ ହୋଇଥିବାବେଳେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩,୫୮, ୩୩, ୮୧୬ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଦିଆଯାଇଥିଲା ।

ସେଆର କରନ୍ତୁ:



Powered by odothemes.com