soro-namaz1

ପୁଲିସ୍ ଛାଉଣୀରେ ୩ ସହର

52

ସୋରରେ କର୍ଫୁ୍ୟ ବଳବତ୍ତର — ରାଉରକେଲା, ପଟ୍ଟାମୁଣ୍ଡାଇରେ ୧୪୪ — କଡ଼ା ସୁରକ୍ଷା ଭିତରେ ଇଦ୍ ପାଳନ
ସୋର/ପଟ୍ଟାମୁଣ୍ଡାଇ/ରାଉରକେଲା, ୧୩ା୯(ଆପ୍ର): ଗଣେଶ ମେଢ ଭସାଣି ବେଳେ ଗୋଷ୍ଠୀ ସଂଘର୍ଷକୁ ନେଇ ରାଉରକେଲା ଓ ପଟ୍ଟାମୁଣ୍ଡାଇରେ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ସୋରରେ ଦ୍ୱିତୀୟ ଦିନ ପାଇଁ ରାତ୍ରିକାଳୀନ କର୍ଫୁ୍ୟ ବଳବତ୍ତର ରହିଛି । ତିନି ସହର ପୁଲିସ ଛାଉଣୀରେ ପରିଣତ ହୋଇଛି । ସମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ତିନି ସହରରେ ପୁଲିସ ପଇଁତରା ମାରିବା ସହ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ଶାନ୍ତି କମିଟି ମାଧ୍ୟମରେ ଆଲୋଚନା କରିଛି । ସୋରରେ ଇଦ୍ ପାଇଁ ସକାଳୁ ଦିନ ୨ଟା ଯାଏଁ ସହରରେ ୧୪୪ ଧାରା କୋହଳ କରାଯାଇଥିଲା । ଆଜି ସକାଳେ ୯ଟାରେ ଡାକ୍ତରଖାନା ଛକ ଇଦ୍ଗା ପଡ଼ିଆରେ କଡା ପୁଲିସ୍ ସୁରକ୍ଷା ଭିତରେ ଏକ ହଜାରରୁ ଅଧିକ ମୁସ୍ଲିମ୍ ଧର୍ମାବଲମ୍ବିମାନେ ସମୁହ ନମାଜପାଠ କରିଥିଲେ । ଅତିରିକ୍ତ ପୁଲିସ୍ ଡିଜି ସତ୍ୟଜିତ ମହାନ୍ତି, ପୂର୍ବାଞ୍ଚଳ ଡିଆଇଜି ଘନଶ୍ୟାମ ଉପାଧ୍ୟାୟ, ଜିଲ୍ଲାପାଳ ପ୍ରମୋଦ କୁମାର ଦାସ, ବାଲେଶ୍ୱର ଏସ୍ପି ନୀତି ଶେଖରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୁଲିସ୍ ସତର୍କତାର ସହିତ କାର୍ଯ୍ୟ କରିଥିଲା । ତେବେ ପୁରା ସହରରେ ବଜାର ବନ୍ଦ ରହିବା ସାଙ୍ଗକୁ ରାସ୍ତାଘାଟ ଶୂନ୍ଶାନ୍ ରହିଥିଲା । ସାଂପ୍ରଦାୟିକ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ଗିରଫ ୧୨ଜଣଙ୍କୁ ପୁଲିସ ଆଜି କୋର୍ଟ ଚାଲାଣ କରିଛି । ବୁଧବାର ସକାଳ ୯ଟାରୁ ଦିନ ୧୨ଟା ମଧ୍ୟରେ ଅଟକିଥିବା ଗଣେଶ ମେଢ଼ ଭସାଣି ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି । ଗତ ଶୁକ୍ରବାର ରାତିରେ ଗଣେଶ ମେଢ଼ ଭସାଣି ବେଳେ ସୋର ଅଡ଼ଙ୍ଗ ବଜାରରେ ସଂଘଟିତ ହୋଇଥିବା ଗୋଷ୍ଠୀ ସଂଘର୍ଷ ପରବର୍ତ୍ତୀ ସମୟରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପ୍ରଥମେ ୧୪୪ଧାରା ଜାରୀ କରାଯାଇଥିଲା । ପରେ ସୋମବାର ସଂଧ୍ୟା ୬ରୁ ସକାଳ ୬ଟା ପଯ୍ୟନ୍ତ ରାତ୍ରୀକାଳିନ କର୍ଫୁ୍ୟ ଜାରି ହୋଇଥିଲା । ଆଜି ସକାଳ ୯ଟା ବେଳେ ଶାନ୍ତି ଶୃଙ୍ଖଳାର ସହିତ ସୋର ଇଦଗା ପଡ଼ିଆରେ ଇଦ୍-ଉଲ୍-ଜୁହା ପାଇଁ ସମୁହ ନମାଜପାଠ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଠାରୁ ଆଜି ମଧ୍ୟରେ କୌଣସି ଗଣ୍ଡଗୋଳ ହୋଇନଥିଲେ ମଧ୍ୟ ସଂଧ୍ୟା ୬ରୁ ସକାଳ ୬ ପର୍ଯ୍ୟନ୍ତ ପୁଣି କର୍ଫୁ୍ୟ ଜାରି କରାଯିବା ସହ ଘରୁ ବାହାରିବା ପାଇଁ ବାରଣ କରାଯାଇଛି । ଫଳରେ ରାସ୍ତଘାଟ ସଂପୂର୍ଣ୍ଣ ଭାବେ ଜନଶୂନ୍ୟ ହୋଇ ପଡ଼ିଛି । ପୁଲିସ୍ ତରଫରୁ ଗାଡ଼ି ମଟର ଏବଂ ଯାତ୍ରୀମାନଙ୍କୁ ଜୋରଦାର ତଲାସି କରାଯାଉଛି । ଦୋକାନବଜାର ବନ୍ଦ ରହିବା ଯୋଗୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହଇରାଣ ହରକତ ହେଉଛନ୍ତି । ଆସନ୍ତା କାଲି ସକାଳ ୮ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ୧୪୪ଧାରାକୁ କୋହଳ କରାଯିବ ବୋଲି ପୁଲିସ କହିଛି । ତେବେ ଏହି ସମୟ ଭିତରେ କୈାଣସି ଶୋଭାଯାତ୍ରା କିମ୍ବା ସଭା ସମିତି କରାଯିବାକୁ ବାରଣ କରାଯାଇଛି । ଅପରାହ୍ଣରେ ସୋର ଥାନା ସଭାଗୃହରେ ଜଲ୍ଲାପାଳ ପ୍ରମୋଦ କୁମାର ଦାସଙ୍କ ସଭାପତିତ୍ୱରେ ଏକ କୋର୍ କମିଟି ବୈଠକ ବସିଥିଲା । ଏଥିରେ ବିସର୍ଜନ ହୋଇ ନଥିବା ଗଣେଶ ମେଢ଼ ଭସାଣ ପାଇଁ ସ୍ଥିର କରାଯାଇଛି । ଆସନ୍ତାକାଲି ସକାଳ ୯ଟାରୁ ୧୨ଟା ମଧ୍ୟରେ ବାକିଥିବା ୬ଟି ମେଢ଼କୁ ବିନା ଶୋଭାଯାତ୍ରାରେ ଭସାଣି କରାଯିବ । ଭସାଣ ସମୟରେ ବାଜା ଖୋଳ, କରତାଳ ଏବଂ ଢ଼ୋଲ ବାଜିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ କୈାଣସି ପ୍ରକାର ମାଇକ୍ କିମ୍ବା ଡିଜେ ଭଳି ଯନ୍ତ୍ର ବଜାଯିବ ନାହିଁ ବୋଲି ସ୍ଥିର ହୋଇଛି । ଏଥିରେ ପୂର୍ବାଞଳ ଡିଆଇଜି ଘନଶ୍ୟାମ ଉପାଧ୍ୟାୟ, ଏସ୍ପି ନୀତି ଶେଖର, ଉପଜିଲାପାଳ ରାମ ଚନ୍ଦ୍ର ପାଲଟା, ତହସିଲଦାର ପ୍ରିୟବ୍ରତ ପାଢ଼ୀ, ଏସଡିପିଓ ଅମରେଶ ପଣ୍ଡା, ଆଇଆଇସି ପର୍ଶୁରାମ ସାହୁ, ପରେଶ ରାଉତ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାକେଶ ମଲ୍ଲିକ, ରାଜେନ୍ଦ୍ର ମହାନ୍ତି, ସନ୍ତୋଷ ମହାନ୍ତି, ଅଦୈତ୍ୟ କର, ଅଶୋକ ଅଗ୍ରୱାଲ, ମଞ୍ଜର ଆଲାମ, ସେକ୍ ରହମାନ, ବିଷ୍ଣୁ ପଣ୍ଡା, ଏମ୍ଡି ଆରିଫ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ । ଉଭୟ ପକ୍ଷରୁ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ- ପାରମହଲାର ମହମଦ୍ ୟୁସୁଫ୍ଙ୍କ ପୁଅ ମହମଦ୍ ଇମ୍ତାଜ୍ ଖାନ୍(୩୮), ଏସ୍କେ ସମ୍ସୁଦ୍ଦିନ୍ର ପୁଅ ସମସେରଉଦ୍ଧିନ, ପଠାଣମହଲାର ଏସ୍କେ ନୁରମହମଦ୍ ଏସ୍କେ ଦିଲ୍ ଅହମଦ୍(୨୨), ଛତ୍ରପୁରର ଏସ୍କେ ସୁଲତାନ୍ର ପୁଅ ଏସ୍କେ ସିରାଜଉଦ୍ଦିନ୍(୨୬), ଅଡ଼ଙ୍ଗବଜାରର ଜଗବଂଧୁ ଧଡ଼ାର ପୁଅ ଶ୍ରୀଧର ଧଡ଼ା ଏବଂ ଆଶିଶ ଖଣ୍ଡେଲୱାଲ, ଛତ୍ରପୁରର ମନୋରଂଜନ ଧଡ଼ା ଏବଂ ଜ୍ଞାନରଂଜନ କର, ଖଣ୍ଡାସାହିର ସତ୍ୟାନନ୍ଦ ଧଡ଼ାର ପୁଅ ରବୀନ୍ଦ୍ର ଚରଣ ଧଡ଼ା(୩୨), ଅଡ଼ଙ୍ଗବଜାରର ଗୌରାଙ୍ଗ ବାରିକଙ୍କ ପୁଅ ଚନ୍ଦ୍ରକାନ୍ତ ବାରିକ(୨୮), ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ସାହୁଙ୍କ ପୁଅ ସୁରେନ୍ଦ୍ର ସାହୁ(୬୫) ଓ ସ୍ୱର୍ଗତଃ ନରେନ୍ଦ୍ର ସାହୁର ପୁଅ ଗଙ୍ଗାଧର ସାହୁ ।
ଆମ ପଟ୍ଟାମୁଣ୍ଡାଇ ପ୍ରତିନିଧିଙ୍କ ସୂଚନା ଅନୁଯାୟୀ ପଟ୍ଟାମୁଣ୍ଡାଇ ଦଳିତସାହିର ଗଣେଶ ଓ ଖୁଦୁରୁକୁଣୀ ମେଢ଼ ଭସାଣିକୁ କେନ୍ଦ୍ରକରି ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହେବା ଯୋଗୁ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ଗୋଟିଏ ସଂପ୍ରଦାୟ ପକ୍ଷରୁ ଥାନା ଘେରାଉ ଓ ସହରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଦଳିତବର୍ଗ ପକ୍ଷରୁ ଥାନା ଘେରାଉ କରାଯିବା ସହ ରାତି ୧୨ଟା ପର୍ଯ୍ୟନ୍ତ ଥାନା ସମ୍ମୁଖରେ ବସି ରହିଥିଲେ । ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତ୍ୱେ ପରିସ୍ଥିତି ନିୟନ୍ତ୍ରଣ ନହେବାରୁ କେନ୍ଦ୍ରାପଡା ଜିଲ୍ଲାପାଳ ଦେବରାଜ ସେନାପତିଙ୍କ ନିଦେ୍ର୍ଦଶରେ ଜିଲ୍ଲା ଏସ୍ପି ନୀତିନଜିତ ସିଂହ ଓ ଉପଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀର ପଟ୍ଟାମୁଣ୍ଡାଇରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଶାନ୍ତି ପ୍ରତିଷ୍ଠା ପାଇଁ ଥାନା ପରିସରରେ ଶାନ୍ତି କମିଟି ବୈଠକ ଆୟୋଜନ ହୋଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସହରରେ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମଙ୍ଗଳବାର ସକାଳ ୫ଟାରେ ପଟ୍ଟାମୁଣ୍ଡାଇ ସହରରେ ୧୪୪ ଧାରା ଜାରି କରାଗଲା ବୋଲି ଡାକବାଜିଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଥିଲା । ଶାନ୍ତିଭଙ୍ଗ ଆଶଙ୍କାରେ ସହର ପୁଲିସ ଛାଉଣୀ ହୋଇଛି । । କେନ୍ଦ୍ରାପଡା ଜିଲ୍ଲାପାଳ ଦେବରାଜ ସେନାପତି ଓ ଏସ୍ପି ନିତୀନଜିତ ସିଂହଙ୍କ ନିଦେ୍ର୍ଦଶରେ ପଟ୍ଟାମୁଣ୍ଡାଇରେ ସ୍ଥାନୀୟ ତହସିଲଦାର ବନମାଳି ତରାଇ, ଅତିରିକ୍ତ ତହାସିଲ୍ାଦର ସରୋଜ ସ୍ୱାଇଁ, ଗୋଲକ ବିହାରୀ ନାୟକ, ଗରଦପୁର ଅତିରିକ୍ତ ତହସିଲଦାର ପି.କେ ମହାପାତ୍ର, ଡେରାବିଶ ଅତିରିକ୍ତ ତହସିଲଦାର ଉମାକାନ୍ତ ବିଶ୍ୱାଳ ଓ କେ.ସି ଲେଙ୍କାଙ୍କ ସମେତ ୬ଜଣ ମାଜିଷ୍ଟ୍ରେଟ ଓ ଡିଆବି ଡିଏସପି ବିକାଶ ଦାସ, ହେଡକ୍ୱାଟର ଡିଏସପି ସତ୍ୟନାରାୟଣ ଦାଶ, ପଟ୍ଟାମୁଣ୍ଡାଇଏସଡିପିଓ ଉମାଶଙ୍କର ମହାରଣା ଓ ଥାନା ଆଇଆଇସି ବାରେଣି ଦାସଙ୍କ ନେତୃତ୍ୱରେ ୫ ପ୍ଲାଟୁନ ପୁଲିସ ଫୋର୍ସ୍ ମୁତୟନ କରାଯାଇଛି ।
ରାଉରକେଲାରେ ମଧ୍ୟ ଗଣେଶ ମୂର୍ତ୍ତି ଭଷାଣି ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଉତ୍ତେଜନା ପ୍ରକାଶ ପାଇଛି । ଆଜି ଇଦ୍-ଉଲ୍-ଜୁହା ଥିବାରୁ ପୁଲିସ୍ ସହରରେ ୧୪୪ ଧାରା ଜାରି କରିବା ସହ ନମାଜ ପାଠ ପାଇଁ ସ୍ଥାନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଇଦ୍ଗାହା ପଡିଆ ବଦଳରେ ଜାମା ମସ୍ଜିଦ୍ରେ ମୁସ୍ଲିମ୍ ଧର୍ମାବଲମ୍ବୀମାନେ ନମାଜ୍ ପାଠ କରିଥିଲେ । ସମଗ୍ର ସହରରେ ସୁରକ୍ଷା ପାଇଁ ୨୦ ପ୍ଲାଟୁନ୍ ପୁଲିସ୍ ସହ ସିଆର୍ପିଏଫ୍ ମୁତୟନ କରାଯାଇଛି ।




Powered by odothemes.com