puri

ପ୍ରଦୂଷଣରୁ ସମୁଦ୍ରକୁ ନବଞ୍ଚାଇଲେ ଲୀନ ହେବ ବହୁ ଗାଁ

42

ଭୁବନେଶ୍ୱର, ୧୩ା୯(ବୁ୍ୟରୋ): ଓଡିଶା ଉପକୂଳରେ ସମୁଦ୍ର ଜଳ ୪୦% ଦୂଷିତ ହୋଇପଡିଛି । ମନୁଷ୍ୟକୃତ କାରଣରୁ ୨୦% ସମୁଦ୍ରଜାତ ଜଳଉଦ୍ଭିଦ ଅସୁରକ୍ଷିତ ଓ ଅନ୍ୟ କାରଣରୁ ୨୦% ଜଳ ପ୍ରଦୂଷିତ । ସମୁଦ୍ରଜଳ ଗତ କିଛିମାସ ମଧ୍ୟରେ ୪ ଥର ରଙ୍ଗ ପରିବର୍ତ୍ତନ କରିଛି । ଯେଉଁ ସମୟରେ ସମୁଦ୍ର ଜଳର ପରିବର୍ତ୍ତନ ଘଟୁଛି ଠିକ୍ ପରେ ପରେ ବଡ ବଡ ଜୁଆର ଆସି କୂଳ ଲଂଘୁଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ସମୁଦ୍ର ସ୍ଥଳଭାଗକୁ ମାଡିଆସୁଥିବାର ଦେଖିବାକୁ ମିଳୁଛି । ତେବେ ସାମୁଦ୍ରିକ ବିପଦ ମାଡିଆସୁଥିବାବେଳେ ଏହାକୁ ପ୍ରତିହିତ କରିବା ଲାଗି ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ ।  ୨୦୧୬ ଜୁନ୍ ୩୦ ତାରିଖରେ ହୋଇଥିବା ବିଶ୍ୱ ସମୁଦ୍ର ଦିବସରେ ଗବେଷକମାନେ କହିଛନ୍ତି ଯେ ପୃଥିବୀର ବିଭିନ୍ନ ଭାଗରେ ରହିଥିବା ସମୁଦ୍ର ଜଳ ଏବେ ଅଧିକରୁ ଅଧିକ ପ୍ରଦୂଷିତ ହେଉଛି । ଏଥିପାଇଁ ମାନବ ସଭ୍ୟତା ସହ ସରକାରଙ୍କ ପଦକ୍ଷେପକୁ ମଧ୍ୟ ଦାୟୀ କରାଯାଇଛି । ଜଳବାୟୁର ଘନଘନ ପରିବର୍ତ୍ତନ କାରଣରୁ ସମୁଦ୍ର ଜଳ ଅଧିକ ଉତ୍ତପ୍ତ ହୋଇ ଉତ୍ତାଳ ତରଙ୍ଗ ସ୍ଥଳଭାଗ ଆଡକୁ ଦ୍ରୁତଗତିରେ ମାଡି ଆସୁଛି ବୋଲି ଏହି ଆନ୍ତର୍ଜାତିକ ସମ୍ମିଳନୀରେ ସୂଚନା ମିଳିଛି । ଓଡିଶା ଉପକୂଳରେ ୪୮୨ କି.ମି. ବିସ୍ତୀର୍ଣ୍ଣ ବେଳାଭୂମି ରହିଛି । ପର୍ଯ୍ୟଟନ, ମଉଜମଜ୍ଲିସ୍, ସମୁଦ୍ରଜାତ ଉତ୍ପାଦନ ଓ ସମୁଦ୍ର ଗର୍ଭର ବିଭିନ୍ନ ପରୀକ୍ଷଣ ପାଇଁ ଏହାକୁ ୪ ଭାଗରେ ବିଭକ୍ତ କରାଯାଇଛି । ସମୁଦ୍ର ବେଳାଭୂମିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ଗ୍ରହଣ କରୁଥିବା ଉପକୂଳ ପରିଚାଳନା ପ୍ରକଳ୍ପ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ଉପକୂଳରେ ଥିବା ବଡ ବଡ ନଦୀ ଦେଇ ପ୍ରଦୂଷିତ ଜଳ ସମୁଦ୍ରରେ ମିଶୁଛି । ନଦୀ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ବଡ ବଡ ଶିଳ୍ପ କାରଖାନାରୁ ନିର୍ଗତ ହେଉଥିବା ରସାୟନ ମିଶ୍ରତ ଜଳ ସମୁଦ୍ରରେ ପ୍ରବେଶ କରି ଅଧିକ ଦୂଷିତ କରୁଛି ।
ଓଡିଶା ଉପକୂଳ ପରିଚାଳନା ପ୍ରକଳ୍ପ ଏ ଦିଗରେ କୌଣସି କଠୋର ପଦକ୍ଷେପ ନେଉନାହାନ୍ତି । ନିଷିଦ୍ଧ ଅଞ୍ଚଳରେ ଆଇନକୁ ଉଲ୍ଲଂଘନ କରି ଶହ ଶହ ସଂଖ୍ୟାର ବେଆଇନ ଟଲର ଆଘାତରେ ହଜାର ହଜାର ଜଳଚର ପ୍ରାଣୀ ମୃତୁ୍ୟବରଣ କରି ଜଳ ପ୍ରଦୂଷଣ କରୁଛନ୍ତି । ହୋଟେଲ୍ ଶିଳ୍ପ, ପର୍ଯ୍ୟଟନ ଶିଳ୍ପ, ପାରମ୍ପରିକ ମତ୍ସ୍ୟଜୀବୀଙ୍କୁ ଏ ଦିଗରେ ସଚେତନ ନକରିବାରୁ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଓଡିଶା ଉପକୂଳକୁ ସମୁଦ୍ର ଆଡୁ ବିପଦ ବଢୁଥିବାବେଳେ ରାଜ୍ୟ ସରକାର କେବଳ ବୈଠକ କରି ନିଜ ଦାୟିତ୍ୱ ସାରିଛନ୍ତି । ଗତ ଜୁନ୍ ୩୦ରେ ମୁଖ୍ୟ ଶାସନ ସଚିବ ଉପକୂଳ ପ୍ରତି ରହୁଥିବା ବିପଦ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଉପକୂଳର ସୁରକ୍ଷା ଓ ସମୁଦ୍ର ଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ୧୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଥିଲା । ୧୫ ମାସ ମଧ୍ୟରେ ସମୁଦ୍ର ପ୍ରତି ରହୁଥିବା ବିପଦ ଉପରେ ଅନୁସନ୍ଧାନ କରାଯାଇ ପଦକ୍ଷେପ ନେବାକୁ କୁହାଯାଇଥିଲା । ଏହି ବୈଠକର ଦେଢ ମାସ ପରେ ବି ସମୁଦ୍ର ପୁରୀ-ଅସ୍ତରଙ୍ଗ ନିକଟରେ ସ୍ଥଳଭାଗ ଆଡକୁ ମାଡିଆସିଥିଲା । ଏଭଳି ସ୍ଥିତିକୁ ଦେଖି ସରକାର ଅଗଷ୍ଟ ୧୭ରେ ଆଉ ଏକ ବୈଠକ କରି ଚେନ୍ନାଇ ଆଇଆଇଟି ବିଶେଷଜ୍ଞଙ୍କ ପରାମର୍ଶରେ କାର୍ଯ୍ୟ କରିବାକୁ ଘୋଷଣା କରିଥିଲେ । ବିଶେଷଜ୍ଞଙ୍କ ପରାମର୍ଶରେ ପଦକ୍ଷେପ ନିଆଯାଉଛି ବୋଲି ସରକାର କହୁଥିଲେ ସୁଦ୍ଧା ନିକଟରେ ଅସ୍ତରଙ୍ଗ ବ୍ଲକ୍ର ଶିଶୁଆ ପଞ୍ଚାୟତର ସାନସିରେଇ, ବଡସିରେଇ, ତଣ୍ଡାଘର, କେଉଟଜଙ୍ଗା, ଅଣକଣା ଆଦି ଗ୍ରାମ ପ୍ରତି ବିପଦ ସୃଷ୍ଟି ହୋଇଛି । ସମଗ୍ର ବିଶ୍ୱର ୪୦ ଭାଗ ଜଳ ବିଷାକ୍ତ ହୋଇଥିବାରୁ ଓଡିଶା ଉପକୂଳ ପ୍ରତି ବଙ୍ଗୋପସାଗର ଆଡୁ ବିପଦ ରହିଛି । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତ୍ୱରିତ୍ ପଦକ୍ଷେପ ନନେଲେ ଓଡିଶା ଉପକୂଳର ବହୁ ଅଞ୍ଚଳ ସମୁଦ୍ର ମଧ୍ୟରେ ଲୀନ ହୋଇଯିବାର ଆଶଙ୍କା ରହିଛି ।

ସେଆର କରନ୍ତୁ:



Powered by odothemes.com