ମଦର ଟେରେସାଙ୍କୁ ସନ୍ଥ ମାନ୍ୟତା

mother

ଭାଟିକାନ ସିଟି, ୪ା୯(ଏଜେନ୍ସି): କୋଟିକୋଟି ଅସହାୟ ନିଷ୍ପେସିତ ଆର୍ତ୍ତ ଜନତାଙ୍କ ତ୍ରାଣକର୍ତ୍ତୀ, ସେବାର ମୁର୍ତ୍ତିମନ୍ତ ଅବତାର ନୋବେଲ ବିଜୟିନୀ ପଦ୍ମଶ୍ରୀ ମଦର ଟେରାସାଙ୍କୁ ରବିବାର ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ସନ୍ଥ ମାନ୍ୟତା ପ୍ରଦାନ କରାଯାଇଛି । ସ୍ଥାନୀୟ ସେଣ୍ଟ ପିଟର୍ସ ସ୍କୋୟାରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବ (କାନୋନାଇଜେସନ୍)ରେ ଅଧ୍ୟକ୍ଷତା କରି ଖ୍ରୀଷ୍ଟଧର୍ମର ପ୍ରମୁଖ ଧର୍ମଗୁରୁ ତଥା ରୋମାନ୍ କ୍ୟାଥଲିକ୍ ଚର୍ଚ୍ଚର ପୋପ୍ ଫ୍ରାନ୍ସିସ୍ ମଦର ଟେରେସାଙ୍କୁ ସନ୍ଥ ଭାବେ ଘୋଷଣା କରିଛନ୍ତି । ମଦରଙ୍କ ୧୯ତମ ପୁଣ୍ୟ ତିଥିର ଦିନକ ପୂର୍ବରୁ ‘ସେଣ୍ଟହୁଡ଼୍’ ପ୍ରଦାନ କରାଯାଇ ତାଙ୍କ ଅମର ଆତ୍ମାପ୍ରତି ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି ବୋଲି ସାରା ବିଶ୍ୱରେ ମତ ପ୍ରକାଶ ପାଇଛି । ଏହି ଅବସରରେ ପୋପ୍ ଫ୍ରାନ୍ସିସ୍ ଲାଟିନ୍ ଭାଷାରେ ଉଦ୍ବୋଧନ ଦେଇ କହିଛନ୍ତି, ଈଶ୍ୱରଙ୍କ ଆଶୀର୍ବାଦପ୍ରାପ୍ତ ତଥା ତାଙ୍କ ନିକଟତମ କଲିକତାର ମଦର ଟେରେସାଙ୍କୁ ଜଣେ ସନ୍ଥ ଭାବେ ସମ୍ମାନିତ କରୁଛୁ ଏବଂ ତାଙ୍କୁ ଶ୍ରେଷ୍ଠ ସନ୍ଥ ତାଲିକାରେ ସ୍ଥାନ ଦେଉଛୁ ।  ମଦର ଟେରେସାଙ୍କୁ ସନ୍ଥ ଭାବେ ଘୋଷଣା କରାଯିବା ପରେ କୋଲକତା ସମେତ ତାଙ୍କ ଜନ୍ମସ୍ଥାନ ମାସିଡୋନିଆ, ରୋମ୍, ଗ୍ରେଟ୍ ବ୍ରିଟେନ୍ ଇତ୍ୟାଦି ଦେଶରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ରାଷ୍ଟ୍ରର ମୁଖ୍ୟ ଟ୍ୱିଟ୍ କରି ଏହି ମହାନ ସନ୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ମଦର ଟେରେସାଙ୍କ କାର୍ଯ୍ୟାବଳୀ ମାନବ ସେବାରେ ଆମ୍ଭମାନଙ୍କୁ ବ୍ରତୀ କରାଉ ଓ ଦିଗ୍ଦର୍ଶନ ଦେଉ ବୋଲି ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ବହୁ ରାଷ୍ଟ୍ର ନାୟକଙ୍କ ସମେତ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନେତୃତ୍ୱରେ ଏକ ୧୨ଜଣିଆ ପ୍ରତିନିଧି ମଣ୍ଡଳୀ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ ଭାଟିକାନ ସିଟି ଗସ୍ତ କରିଛନ୍ତି । କୋଲକତା ଆର୍କ ବିଶପ୍ ଥୋମାସ୍ ଡି’ ସୁଜାଙ୍କ ନେତୃତ୍ୱରେ ୪୫ଜଣ ବିଶପ୍ ଓ ନନ୍ଙ୍କ ସମେତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରାୟ ୫୦ଜଣ ସାଧାରଣ ଜନତା ମଧ୍ୟ କାନୋନାଇଜେସନ୍ରେ ସାମିଲ ହୋଇଛନ୍ତି । ସୂଚନାଥାଉକି, ମଦର ଟେରେସାଙ୍କ ପରଲୋକ ପରେ ତାଙ୍କ ଚମକ୍ରାରିତା ବିଷୟରେ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେବା ସହିତ ୨୦୦୩ରେ ପୋପ୍ ଜନ୍ପଲ୍-୨ ତାଙ୍କୁ ଧନ୍ୟ ଘୋଷଣା କରିଥିଲେ । ମାସିଡୋନିଆରେ ୧୯୧୦ ଅଗଷ୍ଟ ୨୬ରେ ଜନ୍ମ ଗ୍ରହଣ କରିଥିବା ମଦର ଟେରେସାଙ୍କ ମୂଳ ନାଁ ଅଗ୍ନେସ୍ ଗୋନ୍ଝା ବେୟାଜିଜୁ । ୧୯୨୯ରେ ଜଣେ ସିଷ୍ଟର ଭାବେ ଭାରତ ଆସି ଥିଲେ । ୧୯୫୦ରେ ସେ ମିଶ୍ନାରିଜ୍ ଅଫ୍ ଚାରିଟି ଗଠନ କରି କୋଲକତାକୁ କର୍ମସ୍ଥଳୀ ରୂପେ ଗ୍ରହଣ କରି ନିରାଶ୍ରୟ ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ଏବଂ ସେଠାରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ଧରି ଦୁôଖୀରଙ୍କିଙ୍କ ସେବା କରି ମଦର ଟେରେସା ଭାବେ ପ୍ରସିଦ୍ଧି ହାସଲ କରିଥିଲେ । ୧୯୯୭ରେ ତାଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିବର୍ଷ ସେପ୍ଟେମ୍ବର ୫ ତାରିଖରେ ମଦର ଟେରେସାଙ୍କ ମହାପ୍ରୟାଣ ଘଟିଥିଲା । ନୋବେଲ ବ୍ୟତିତ ଜନସେବା ପାଇଁ ତାଙ୍କୁ ଭାରତ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ସମ୍ମାନିତ କରିଥିଲେ ।