KENARAPADA--BIJESDAI

ଟାର୍ଗେଟ୍ରେ ପଞ୍ଚାୟତ ନିର୍ବାଚନ

48

କେନ୍ଦ୍ରାପଡ଼ା (ଆପ୍ର): କେନ୍ଦ୍ରାପଡ଼ା ବିଜେଡିର ପରିବର୍ଦ୍ଧିତ ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ ସହର ନିକଟବର୍ତ୍ତୀ ଶ୍ୟାମସୁନ୍ଦରଗଡା ବି.ଆର୍. େରେସିଡେନ୍ସି ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଧ୍ରୁବ ସାହୁଙ୍କ ଅଧ୍ୟକ୍ଷତାରେ ବିଜେଡି ସଂପର୍କ ଓ କେନ୍ଦ୍ରାପଡ଼ାର ବିକାଶ ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ତଥା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ବିଜୁ ବାବୁଙ୍କ କର୍ମଭୂମୀ କେନ୍ଦ୍ରାପଡ଼ାର ଅନେକ ସମସ୍ୟାର ସମାଧାନ କରାଯାଇଥିବା ବେଳେ ଅନ୍ୟ କେତେକ ସମସ୍ୟାର ଆଶୁ ସମାଧାନ କରାଯିବ । ଆଗାମୀ ପଞ୍ଚାୟତ ଓ ମୁନିସପାଲଟିୁ ନିର୍ବାଚନରେ ସଫଳତା ପାଇବାକୁ ହେଲେ ଆମକୁ ସଂଗଠିତ ଭାବେ ଦଳୀୟ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ସାଙ୍ଗଠନିକ ପ୍ରସ୍ତାବ ଓ ଅନୁସୂଚିତ ଜନଜାତି, ଜାତି ତଥା ସଂଖ୍ୟାଲଘୁ ବର୍ଗଙ୍କ ବିକାଶ ସମ୍ପର୍କିତ ପ୍ରସ୍ତାବ ଗୃହୀତ ହୋଇଥିଲା । ୫ମାର୍ଚ୍ଚ ୨୦୧୬ ଠାରୁ ୫ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ସାରା ରାଜ୍ୟ ଓ ଦେଶ ବିଦେଶରେ ପାଳନ କରାଯାଉଥିବା ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକ ଅବସରରେ କେନ୍ଦ୍ରାପଡା ସଦର ମହକୁମାରେ ବିଜୁ ବାବୁଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହା ସହ ପଟ୍ଟାମୁଣ୍ଡାଇ ଠାରେ ଥିବା ପାଣି ପାଇପ୍ ମିସ୍ତ୍ରୀ ତାଲିମ ପ୍ରତିଷ୍ଠାନକୁ ଡିପ୍ଲୋମା ପ୍ରତିଷ୍ଠାନ ଭାବେ ଉନ୍ନୀତ କରାଯାଇ ଏହାକୁ ବିଜୁ ବାବୁଙ୍କ ନାମରେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କ ଠାରେ ଦାବି କରାଯାଇଛି । ମହାନଦୀ ଓ ଓଡିଶାର ନଦୀଜଳ ଉପରେ ଅନ୍ୟ ରାଜ୍ୟର ବେଆଇନ କବଜା ଓ କେନ୍ଦ୍ର ବିଜେପି ସରକାରଙ୍କ ପକ୍ଷ ପାତିତାକୁ ବୈଠକରେ ନିନ୍ଦା କରାଯାଇଥିଲା । ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ମୁଖପାତ୍ର ପ୍ରତାପ କେଶରୀ ଦେବ, ଜିଲ୍ଲାର ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଭାବେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲିକ, ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲା, ବିଧାୟକ କିଶୋର ଚନ୍ଦ୍ର ତରାଇ ପ୍ରମୁଖ ନିଜ ବକ୍ତବ୍ୟରେ ନିଜ ନିଜ ମତଭେଦ ଭୁଲି ଏକତ୍ରିତ ହୋଇ ଦଳୀୟ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ବୈଠକରେ ଶ୍ରୀଧର ସ୍ୱାଇଁ, ମମତା ରାଣୀ ଧଳ, ପୂର୍ବତନ ବିଧାୟକ ଅଲେଖ ଜେନା, ବିଜେଡି ରାଜ୍ୟ ପରିଷଦ ସଭ୍ୟ ଶୈଳେନ୍ଦ୍ର ନାରାୟଣ ଦାସ, ସଞ୍ଜୟ ଲେଙ୍କା, ଭଜକୃଷ୍ଣ ରାଉତ, ଶିବପ୍ରସାଦ ଭୋଳ, ସ୍ନେହପ୍ରଭା ତ୍ରିପାଠୀ, ରାଜେଶ ପଣ୍ଡା, ନିଶିକାନ୍ତ ପ୍ରଧାନ, ବରିଷ୍ଠ ଆଇନଜୀବୀ ଭୀମସେନ ଭୂୟାଁ, କାଉନସିଲର ହିରଣ୍ୟ ପଣ୍ଡା, ଆଇନଜୀବୀ ସଂଜୟ ଜେନା, ଗୌତମ ସ୍ୱାଇଁ, ରଂଜନ ସାହୁ, ରୋସ୍ନା ସାହୁ, ବିଜୟ ପତି, ସମିଲ୍ ଖାଁ, ଦେବାଶିଷ ଆଚାର୍ଯ୍ୟ, ରବି ସାମଲ, ରାଜେଶ ଦାସ, ସରୋଜ କାନ୍ତ ପଣ୍ଡାଙ୍କ ସମେତ ବିଭିନ୍ନ ବ୍ଲକର ସଭାପତି ସଂପାଦକ ପ୍ରମୁଖ ଯୋଗ ଦେଇଥିଲେ । ପୌରାଧ୍ୟକ୍ଷ ଧିରେନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ନଗର ସଭାପତି ଶ୍ରୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।




Powered by odothemes.com