ରକ୍ତ ଭଣ୍ଡାରରେ ଅବ୍ୟବସ୍ଥା ନା ଦାୟିତ୍ୱହୀନତା

60

ବ୍ରହ୍ମପୁର, ୩୦ା୮(ବୁ୍ୟରୋ): ଚାରିବର୍ଷର ଥାଲାସେମିଆ ଆକ୍ରାନ୍ତ ଶିଶୁକୁ ଏଚଆଇଭି ସଂକ୍ରମିତ ରକ୍ତ । ରକ୍ତଭଣ୍ଡାରରେ ଅବ୍ୟବସ୍ଥା ଓ ଦାୟିତ୍ୱହୀନତା ପାଇଁ ଘଟିଛି ଏଭଳି ଅଭାବନୀୟ ଘଟଣା । ବ୍ରହ୍ମପୁର ବଡ ମେଡିକାଲରୁ ନିୟମିତ ରକ୍ତ ଗ୍ରହଣ କରୁଥିବା ଶିଶୁର ରକ୍ତ ପରୀକ୍ଷା ବେଳେ ଏହା ଜଣାପଡିଛି । ଶିଶୁଟିର ବାପା-ମାଙ୍କ ଅଭିଯୋଗ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।  ଗଞ୍ଜାମ ଜିଲ୍ଲାର ଏହି ୪ ବର୍ଷର ଶିଶୁୁ ୬ ମାସ ହୋଇଥିବା ବେଳେ ସେ ଥାଲାସେମିଆ ରୋଗରେ ପୀଡିତ ହୋଇଥିବା ଜଣାପଡିଥିଲା । ତେଣୁ ନିୟମିତ ବ୍ୟବଧାନରେ ସେ ରକ୍ତ ଗ୍ରହଣ କରୁଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରହ୍ମପୁର ବଡ ମେଡିକାଲ ରକ୍ତଭଣ୍ଡାରରୁ ତାକୁ ରକ୍ତ ଦିଆଯାଉଥିଲା । ମିଳିଥିବା ସୂଚନା ଅନୁଯାୟୀ, ଏହି ରକ୍ତ ଭଣ୍ଡାରରୁ ସେ ୭୧ ଥର ରକ୍ତ ନେଇସାରିଛି । ତେବେ କୌଣସି କାରଣରୁ ତାର ରକ୍ତ ପରୀକ୍ଷା କରାଯିବାରୁ ଶିଶୁଟି ଏଚଆଇଭି ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏଚଆଇଭି ସଂକ୍ରମିତ ରକ୍ତରୁ ଶିଶୁଟି ଏଭଳି ମାରାତ୍ମକ ରୋଗର ଶୀକାର ହୋଇଛି । ତେବେ କେଉଁଭଳି ପରିସ୍ଥିତିରେ ଶିଶୁଟି ଏଚଆଇଭି ସଂକ୍ରମିତ ହେଲା, ତଦନ୍ତ କରିବା ପାଇଁ ଏକ ୫ଜଣିଆ ଟିମ୍‌ ଗଠନ କରାଯାଇଛି । ବ୍ରହ୍ମପୁର ବଡ ମେଡିକାଲ ବ୍ୟତୀତ ଶିଶୁଟି ଅନ୍ୟ କେଉଁ ଡାକ୍ତରଖାନା ନର୍ସିଂ ହୋମ୍‌ରେ ଚିକିତ୍ସାଧୀନ ଥିଲା କି ନାହିଁ, ତାର ଖୋଳତାଡ କରିବା ଆରମ୍ଭ କରିଛି ଏହି ଟିମ୍‌ । ଏହି ଘଟଣାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ସୂଚନାଯୋଗ୍ୟ, ବ୍ରହ୍ମପୁର ବଡ ମେଡିକାଲ ରକ୍ତଭଣ୍ଡାରରୁ ପ୍ରତିମାସରେ ୨୩୩ ଜଣ ଥାଲାସେମିଆ ରୋଗୀ ରକ୍ତ ଗ୍ରହଣ କରୁଛନ୍ତି । ରକ୍ତ ନମୂନା ପରୀକ୍ଷା କରାଯିବା ପରେ ସମସ୍ତଙ୍କୁ ରକ୍ତ ଦିଆଯାଇଥାଏ । ଆସନ୍ତାକାଲି ତଦନ୍ତକାରୀ ଟିମ୍‌ ଶିଶୁଟିର ଘରକୁ ଯାଇ ତାର ଚିକିତ୍ସା ରିପୋର୍ଟ ପରୀକ୍ଷା କରିବେ ।

ସେଆର କରନ୍ତୁ:



Powered by odothemes.com