ଶିକ୍ଷକଙ୍କ ସମସ୍ୟା ଆଲୋଚନା ମାଧ୍ୟମରେ ସମାଧାନ କରାଯିବ: ଗଣଶିକ୍ଷା ମନ୍ତ୍ରୀ

47

କଟକ,୨୮ା୮(ବୁ୍ୟରୋ) : ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାମ୍ବିଧାନିକ ସମ୍ମିଳନୀ ବାରବାଟି ଷ୍ଟାଡ଼ିୟମର କ୍ଲବ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି । କେବଳ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ସମସ୍ୟା କଥା ନ କହି ଜନଜୀବନ ସହିତ ପ୍ରତ୍ୟକ୍ଷ ଭାବେ ନିଜକୁ ସାମିଲ୍ କରି ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିôବାକୁ ଓଷ୍ଟା ତା’ର ଅଙ୍ଗୀକାରବଦ୍ଧତା ଘୋଷଣା କରିଛି । ଶିକ୍ଷାର ଘରୋଇକରଣ, ବେକାରୀ ସଂଖ୍ୟା ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ମହିଳା ଓ ଦଳିତମାନଙ୍କ ଉପରେ ଆକ୍ରମଣ, ପ୍ରଚଳିତ ପାଠ୍ୟ ଖସଡ଼ା ଓ ପରୀକ୍ଷା ପଦ୍ଧତିକୁ ବିରୋଧ କରି ପ୍ରସ୍ତାବ ଗୃହୀତ ହେବା ସହିତ ମିଳିତ ଆନେ୍ଦାଳନକୁ ଆହୁରି ଦୃଢ଼ କରିବା, ସମସ୍ତ ବିଦ୍ୟାଳୟକୁ ସରକାରୀ ଜମି, ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା, ବିଦ୍ୟାଳୟସ୍ତରରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବା, ଅହ୍ଲାବାଦ ହାଇକୋର୍ଟର ରାୟକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବା, ମହାନଦୀ ଜଳବିବାଦରେ ଦଳ ମତକୁ ଭୁଲି ସମସ୍ତେ ଏକ ହେବା ଆଦି ବିଷୟରେ ପ୍ରସ୍ତାବମାନ ଗୃହୀତ ହୋଇଥିଲା । ପ୍ରଥମ ଦିନ “ଶିକ୍ଷାରେ ମାନବୀୟ ମୂଲ୍ୟବୋଧ ଓ ଆମର ଉତ୍ତର ଦାୟିତ୍ୱ’ ଶୀର୍ଷକ ଏକ ଆଲୋଚନାଚକ୍ରରେ ସର୍ବଭାରତୀୟ ଶିକ୍ଷକ ନେତା କେ. ରାଜେନ୍ଦ୍ରନ୍, ବିଶିଷ୍ଟ ସ୍ତମ୍ଭକାର ପ୍ରୀତିଶ କୁମାର ଆଚାର୍ଯ୍ୟ ଓ ଅଧ୍ୟାପକ ପସୁରେନ୍ଦ୍ର ଜେନା ଆଲୋଚକ ଭାବେ ଯୋଗ ଦେଇଥିଲେ । ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ ସର୍ବଭାରତୀୟ ବିଦ୍ୟାଳୟ ଶିକ୍ଷକ ମହାସଂଘର ସାଧାରଣ ସଂପାଦକ ସି.ଏନ୍. ଭାରତୀ । ସଂଗଠନର ମୁଖପତ୍ର “ଶିକ୍ଷାପ୍ରଦୀପ’ର ବିଶେଷାଙ୍କକୁ ଚୌଦ୍ୱାର-କଟକର ମାନ୍ୟବର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଲୋକାର୍ପିତ କରିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ସାଂଧ୍ୟ ଅଧିବେଶନରେ ଯୋଗ ଦେଇ ଶିକ୍ଷକମାନଙ୍କର ସମସ୍ୟାଗୁଡ଼ିକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com