caryimbrancha-re-muskan-2-(2)

ଅପରେସନ ମୁସ୍କାନ-୨: ଉଦ୍ଧାର ଶିଶୁଙ୍କୁ ଥଇଥାନ କରାଯିବ

42

କଟକ, ୨୬ା୮(ବୁ୍ୟରୋ): ମୁସ୍କାନ-୨ ଅଭିଯାନରେ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ସୂଚନା ଦେଇଛନ୍ତି । ତେବେ ଯେଉଁ ଅଭିଭାବକମାନଙ୍କ ପତ୍ତା ନମିଳିବ ସେହି ପିଲାମାନଙ୍କୁ କେବଳ ଥଇଥାନ କରାଯିବ ବୋଲି ସୂଚନା ଦିଆଯାଇଛି । କ୍ରାଇମବ୍ରାଞ୍ଚ ପକ୍ଷରୁ ଜୁଲାଇ ୨୫ରୁ ଅଗଷ୍ଟ ୨୪ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିଥିବା ଅପରେସନ ମୁସ୍କାନ-୨ ଅଭିଯାନରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ମୋଟ ୨୬୧୦ ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ୨୨୭୧ ଜଣ ବାଳକ ଏବଂ ୩୩୯ ଜଣ ବାଳିକା ରହିଛନ୍ତି । ୩୩୯ ବାଳିକାଙ୍କ ମଧ୍ୟରୁ ୨୭୪ ଜଣ ନାବାଳିକା । କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଡିଜି ବିଜୟ କୁମାର ଶର୍ମାଙ୍କ ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ ଜିଲ୍ଲାର ସର୍ବାଧିକ ୨୨୧, ଢେଙ୍କାନାଳରୁ ୨୦୨, ଗଞ୍ଜାମ ୧୮୧, ଯାଜପୁର ୧୭୪, ଭଦ୍ରକ ୧୬୨, କେନ୍ଦ୍ରାପଡା ୧୫୨, ନୟାଗଡ ୧୨୧, କୋରାପୁଟ ୯୮, କଟକ ଜିଆରପି ୮୮ ଏବଂ ବରଗଡରୁ ୮୫ ଜଣ ସମେତ ୨୪୧୭ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟୟରେ ଅଗଷ୍ଟ ୧୦ରୁ ୨୫ ତାରିଖ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ୧୦ଟି ଟିମ୍ ରାଜ୍ୟ ବାହାରକୁ ଯାଇ ୧୯୩ ଜଣ ନିଖୋଜ ଥିବା ଶିଶୁଙ୍କୁ ଉଦ୍ଧାର କରିଥିଲେ । ଏମାନଙ୍କ ମଧ୍ୟରେ ୬୫ ଜଣ ବାଳିକା ଥିବା ଜଣାଯାଇଛି । ତାମିଲନାଡୁ ଏବଂ କେରଳରୁ ୩୮ ଜଣ ଲେଖାଏ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତେଲେଙ୍ଗାନା ୩୬, ଛତିଶଗଡ ଏବଂ ମଧ୍ୟପ୍ରଦେଶ ୩୩ ଲେଖାଏ, ଆନ୍ଧ୍ରପ୍ରଦେଶ ୨୬, ପଶ୍ଚିମବଙ୍ଗ ୧୫, କର୍ଣ୍ଣାଟକ ୧୪, ଦିଲ୍ଲୀ ୧୩, ମହାରାଷ୍ଟ୍ର ୧୧, ଉତ୍ତରପ୍ରଦେଶ ୫ ଏବଂ ଗୁଜୁରାଟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ପୂର୍ବ ବର୍ଷ ଉଦ୍ଧାର ଶିଶୁଙ୍କ ସଂଖ୍ୟା ମାତ୍ର ୫୦୦ରୁ ୬୦୦ ମଧ୍ୟରେ ସୀମିତ ଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ସର୍ବଭାରତୀୟ ସ୍ତରରେ ଏକ ଉଲ୍ଲେଖଯୋଗ୍ୟ ସଫଳତା ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ଶିଶୁମାନଙ୍କୁ ଶିଶୁମଙ୍ଗଳ କମିଟିରେ ଉପସ୍ଥାପନ କରାଯିବା ପରେ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବା ସରକାରଙ୍କ ବିଭିନ୍ନ ଯୋଜନାରେ ଥଇଥାନ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com