hirakud-dam

ହୀରାକୁଦ ନଦୀବନ୍ଧ: କମୁଛି ଜଳଧାରଣ କ୍ଷମତା

72

ସମ୍ବଲପୁର,(ଆପ୍ର): ସଙ୍କଟରେ ମହାନଦୀ-ଏମିତି କିଛି ଚିନ୍ତଧାରାକୁ ନେଇ ଓଡିଶା ଏବଂ ଛତିଶଗଡ ମଧ୍ୟରେ ଚାଲିଛି ଛକାପଞ୍ଝା । ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ ପରେ ମହାନଦୀରେ ଜଳ ପ୍ରବାହ ପ୍ରଭାବିତ ଏବଂ ଏହାଦ୍ୱାରା ହୀରାକୁଦ ବନ୍ଧ ମଧ୍ୟ ବିଶେଷ କ୍ଷତିଗ୍ରସ୍ତ ହେବ ବୋଲି ରାଜନୈତିକ,ସାମାଜିକ କ୍ଷେତ୍ରରେ ଆଲୋଚନା ବ୍ୟାପକ ହେଉଛି । ତା ପୂର୍ବରୁ ହୀରାକୁଦ ନଦୀବନ୍ଧର ଜଳଧାରଣ କ୍ଷମତାକୁ ନେଇ ମଧ୍ୟ ଅନେକ ଆଶା ଆଶଙ୍କା ସୃଷ୍ଟି ହୋଇଛି । ୧୯୫୭ରୁ କାର୍ଯ୍ୟକ୍ଷମ ହୋଇଥିବା ବିଶ୍ୱର ଏହି ବୃହତ୍ ମାଟିବନ୍ଧ ଯୋଜନା ଅନେକ ଘାତ ପ୍ରତିଘାତ ଦେଇ ଗତି କରୁଛି । ବନ୍ଧର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ଆଗାମୀ ଦିନରେ ଏହା ବନ୍ଧ ପ୍ରତି ବିପଦ ସୃଷ୍ଟି କରିବାର ସମ୍ବାବନା ରହିଛି । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ହୀରାକୁଦ ବନ୍ଧର ଜଳଧାରଣ କ୍ଷମତା । ଦେଖିବାକୁ ଗଲେ ଗତ କିଛି ବର୍ଷରେ କ୍ରମାଗତ ଭାବରେ ହୀରାକୁଦର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି । ଏହାକୁ ନେଇ ପରିବେଶବିତ୍ ଉଦବେଗ ପ୍ରକାଶ କରିବା ସହ ଏହା କୌଣସି ଭଲ ଲକ୍ଷଣ ନୁହେଁ ବୋଲି କହିଛନ୍ତି । ମୁଖ୍ୟତଃ ବନ୍ୟା ଜଳ ସାଙ୍ଗରେ ବନ୍ଧ ଭିତରକୁ ପଟୁ ମାଟି ପ୍ରବେଶ କରୁଥିବାରୁ ଏଭଳି ସମସ୍ୟା ଦେଖାଯାଉଛି ବୋଲି ବିଶେଷଜ୍ଞ ମତପ୍ରକାଶ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ବନ୍ଧ ଆରମ୍ଭରୁ ଏହାର ସାଧାରଣ ଜଳଧାରଣ କ୍ଷମତା ୪.୭୨ ମିଲିଅନ ଏକର ଫୁଟ୍ ଥିବାବେଳେ ବର୍ତ୍ତମାନ ତାହା ୩.୯୧ ମିଲିଅନ ଏକର ଫୁଟ୍କୁ ହ୍ରାସ ପାଇଛି । ତେବେ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ତଥା କେନ୍ଦ୍ର ଜଳ ଆୟୋଗ ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ବନ୍ଧରେ ମହଜୁଦ ହୋଇ ରହିଥିବା ପଟୁମାଟିକୁ ସେଠାରୁ ହଟାଇବା ପାଇଁ କିଛି ବର୍ଷ ପୂର୍ବରୁ ଚେଷ୍ଟା ମଧ୍ୟ କରାଯାଇଥିଲା । ହେଲେ ବାସ୍ତବରେ ତାର ପ୍ରୟୋଗ ସଫଳ ହୋଇ ପାରିନଥିଲା । ଏତେ ପରିମାଣର ପଟୁମାଟି ହଟାଇବା ପରେ ତାକୁ ପକାଇବା କିମ୍ବା ରଖିବା ପାଇଁ ମଧ୍ୟ ସେଭଳି ପର୍ଯ୍ୟାପ୍ତ ସ୍ଥାନର ଆବଶ୍ୟକତା ରହିଛି । ତେବେ ଏହି ସମସ୍ୟାର ଅତ୍ୟାଧୁନିକ ପ୍ରତିକାର ତଥା ବନ୍ଧରେ ସୃଷ୍ଟି ହେଉଥିବା ଫାଟକୁ ମରାମତି କରିବା ପାଇଁ ୨୦୦୬-୦୭ରେ ପ୍ରଥମେ ସାଟେଲାଇଟ୍ ଫଟୋ ମାଧ୍ୟମରେ ଏହାର ସର୍ଭେ କରାଯାଇଥିଲା । ଏବେ ପୁଣିଥରେ ଇସ୍ରୋର ହାଇଦ୍ରାବାଦ ସ୍ଥିତ ସଂସ୍ଥାନ ସହ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ଯୋଗାଯୋଗ କରିଛନ୍ତି । ତେବେ ହୀରାକୁଦ ବନ୍ଧ ପ୍ରତି ଥିବା ଏଭଳି ଏକ ଗୁରୁତର ସମସ୍ୟାର ସମାଧାନ ପାଇଁ ତଥା ପ୍ରବାହିତ ହେଉଥିବା ପଟୁମାଟିକୁ ରୋକିବାକୁ ଉପରମୁଣ୍ଡରେ ବ୍ୟାପକ ମାତ୍ରାରେ ଜଙ୍ଗଲ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ତଥା ବନ୍ଧ କର୍ତ୍ତୃପକ୍ଷ ମତପ୍ରକାଶ କରନ୍ତି । ଦିନକୁ ଦିନ ବନ୍ଧର ଜଳଧାରଣ କ୍ଷମତା ହ୍ରାସ ପାଉଥିବାରୁ ରାଜ୍ୟରେ ଜଳସେଚନ ମଧ୍ୟ ପ୍ରଭାବିତ ହେଉଛି । ନଦୀବନ୍ଧ ନିର୍ମାଣ ସମୟରେ ଖରିଫ ଋତୁରେ ୧, ୫୩,୭୫୦ ହେକ୍ଟର ଏବଂ ରବି ଋତୁରେ ୭୬,୮୭୫ ହେକ୍ଟର ଜମିରେ ଜଳସେଚନ କରାଯିବାର ଲକ୍ଷ୍ୟ ରଖାଯାଇଥିଲା । ବର୍ତ୍ତମାନ ତାହା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏହାଛଡା ମହାନଦୀ ଉପରମୁଣ୍ଡରେ ଛତିଶଗଡରେ ବ୍ୟାରେଜ ନିର୍ମାଣ ହେଲେ ନଦୀରେ ଜଳ ପ୍ରବାହ କମିବା ସହ ବନ୍ଧର ଜଳଧାରଣ କ୍ଷମତା ମଧ୍ୟ ହ୍ରାସ ପାଇବ । ତେଣୁ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଉଚିତ ଆଲୋଚନା କରିବା ସହ ଏହି ସମସ୍ୟାର ଆଶୁ ସମାଧାନ ଅତ୍ୟାବଶ୍ୟକ ହୋଇ ପଡିଛି ।

ସେଆର କରନ୍ତୁ:



Powered by odothemes.com