12-8-2016=5

ମହିଳା ଚାଷୀଙ୍କୁ ମୋବାଇଲ୍

31

ଭୁବନେଶ୍ୱର, ୧୨ା୮(ବୁ୍ୟରୋ): ଆଜି ସଚିବାଳୟରେ ଭିଡ଼ିଓ କନ୍ଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷି ଉତ୍ପାଦିତ ଦ୍ରବ୍ୟର ଷ୍ଟୋରେଜ୍ ପାଇଁ ୧୦୦ଟି ଗୋଦାମ ଘର ଲୋକାର୍ପିତ କରିଛନ୍ତି । ଏହା ସହିତ ମହିଳା ଚାଷୀମାନଙ୍କୁ ସୁବିଧାରେ କୃଷି ସୂଚନା ତଥା ବଜାର ବ୍ୟବସ୍ଥାର ସୂଚନା ପାଇବାରେ ସହାୟତା ପାଇଁ ୪୧ହଜାର ମୋବାଇଲ ଫୋନ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ରାଜ୍ୟରେ କୃଷି ଉତ୍ପାଦନ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି । ଏହାକୁ ଆଖିଆଗରେ ରଖି ରାଜ୍ୟ ସରକାର କୃଷି ଉତ୍ପାଦର ଷ୍ଟୋରେଜ୍ କ୍ଷମତା ବଢ଼ାଇବା ପାଇଁ ଗାଁମାନଙ୍କରେ ୧୨୬୪ଟି ଗୋଦାମ ଘର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାର ସମୁଦାୟ କ୍ଷମତା ହେଉଛି ୩.୫ଲକ୍ଷ ମେଟ୍ରିକ୍ ଟନ୍ । ଆଜି ଲୋକାର୍ପିତ ହୋଇଥିବା ୧୦୦ଟି ଗୋଦାମ ଘରର କ୍ଷମତା ୪୧ହଜାର ୪ଶହ ୨୫ମେଟ୍ରିକ୍ ଟନ୍ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେହିଭଳି ମହିଳା ଚାଷୀଙ୍କ ସଶକ୍ତୀକରଣ କ୍ଷେତ୍ରରେ ମୋବାଇଲ ଫୋନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ଦ୍ୱାରା ସେମାନେ ଜରୁରୀ କୃଷି ସୂଚନା ପାଇବା ସହିତ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ସଂପର୍କିତ ସୂଚନା ମଧ୍ୟ ପାଇପାରିବେ । ବିଜୁ ବାବୁଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏହିସବୁ କୃଷକ ବିକାଶ କାର୍ଯ୍ୟକ୍ରମ ତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ବୋଲି ସେ କହିଥିଲେ । ଚାଷୀମାନଙ୍କ ସହିତ ସିଧାସଳଖ ସପଂର୍କ ରକ୍ଷା କରିବାରେ ପ୍ରାଥମିକ ସମବାୟ ସମିତିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସାରାଦେଶରେ ସମବାୟ ଋଣର ପରିମାଣ ୧୬ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୬୫ପ୍ରତିଶତ । ତେଣୁ ସମବାୟ ସମିତିଗୁଡିକୁ ଶକ୍ତିଶାଳୀ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟ ସରକାର ଚାଷୀ ଓ ଚାଷର ଉନ୍ନତି ପାଇଁ ପ୍ରତିଶ୍ରୁତିବଦ୍ଧ । ଚାଷୀମାନେ ହେଉଛନ୍ତି ରାଜ୍ୟର ଗର୍ବ ଓ ଗୌରବ । ଓଡ଼ିଆ ଚାଷୀମାନଙ୍କ ପରିଶ୍ରମ ଯୋଗୁଁ ରାଜ୍ୟ ଚାରି ଚାରି ଥର କୃଷିକର୍ମଣ ପୁରସ୍କାର ପାଇଛି ବୋଲି ସେ କହିଥିଲେ । ଏହି ଅବସରରେ କୃଷିର ଉନ୍ନତି କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ କରାଯାଇଥିଲା । ଉପସ୍ଥିତ କେତେକ ମହିଳା ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ ମୋବାଇଲ ପ୍ରଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ରାଜ୍ୟର କେତେକ ସ୍ଥାନରେ ଲୋକାର୍ପିତ ଗୋଦାମଘର ନିକଟସ୍ଥ ଗ୍ରାମବାସୀଙ୍କ ସହିତ ସମବାୟ ମନ୍ତ୍ରୀ ଡ. ଦାମୋଦର ରାଉତ ଭିଡିଓ କନ୍ଫରେନ୍ସି ଜରିଆରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟଗଣ, ବିଧାୟକଗଣ, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com