PMI--NAHIADIA-PRATHAMIKA-BIDYALAYA

ଭଙ୍ଗା ଘରେ ପାଠପଢ଼ା

30

ଶିକ୍ଷା ବ୍ୟବସ୍ଥା ଏମିତି
ପଟ୍ଟାମୁଣ୍ଡାଇ (ଆପ୍ର): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନାହିଆଡ଼ିଆ ପ୍ରାଥମିକ ବିଦ୍ୟାଳୟ ଭଙ୍ଗା ଘରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଚାଲିଥିବା ଦେଖିବାକୁ ମିଳିଛି । ସର୍ବଶିକ୍ଷା ଅଭିଯାନ ଜରିଆରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ସରକାର ଗୃହ ନିର୍ମାଣ କରୁଛନ୍ତି । ହେଲେ ନାହିଆଡ଼ିଆ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ସମଗ୍ର ଯୋଜନାକୁ ପରିହାସ କରୁଛି । ୧୯୫୮ ମସିହାରେ ସ୍ଥାନୀୟ ଅଞ୍ଚଳର ପିଲାଙ୍କୁ ଶିକ୍ଷା ଦେବା ପାଇଁ ନାହିଆଡ଼ିଆ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଧୋୟାଞ୍ଚଳର ସର୍ବପୁରାତନ ବିଦ୍ୟାଳୟ ଭାବରେ ପରିଚୟ ସୃଷ୍ଟି କରିଥିବା ଏହି ବିଦ୍ୟାଳୟର ଅବସ୍ଥା ସମ୍ପ୍ରତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ୨୦୧୪ ମସିହା ଜୁନ ମାସରେ ମାଙ୍କଡ଼ ଦଳ ସ୍କୁଲର ଆଜବେଷ୍ଟସ ଘର ଭାଙ୍ଗି ଦେଇଥିଲେ । ପ୍ରଧାନଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇବା ପରେ ୨୦୧୪ ମସିହା ନଭେମ୍ବର ୩୦ ତାରିଖରେ ପଟ୍ଟାମୁଣ୍ଡାଇ ଏବିଇଓ ସ୍କୁଲ ପରିଦର୍ଶନ କରି ଅବସ୍ଥା ଅନୁଧ୍ୟାନ କରିଥିଲେ । ଅଦ୍ୟାବଧି ଏଦିଗରେ କୌଣସି ବ୍ୟବସ୍ଥା ହୋଇନାହିଁ । ସ୍କୁଲ ଏସ୍ଏମ୍ସି କମିଟି ପକ୍ଷରୁ ଏକ ପ୍ରସ୍ତାବ ଶିକ୍ଷା ବିଭାଗ କର୍ତ୍ତୃପକ୍ଷଙ୍କୁ ନିକଟକୁ ପଠାଯାଇଥିଲା । ୨ବର୍ଷ ବିତିଯାଇଥିଲେ ହେଁ କିଛି ସୁଫଳ ମିଳିନାହିଁ । ବର୍ଷା ସମୟରେ ଛାତ୍ରଛାତ୍ରୀ ଭିଜିଭିଜି ଭଙ୍ଗା ଘରେ ପାଠପଢୁଥିବା ଦେଖିବାକୁ ମିଳିଛି । ବର୍ଷା ସମୟରେ ଆକସ୍ମିକ ବଜ୍ରପାତର ଭୟ ଯୋଗୁଁ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଛାଡିବାକୁ ଭୟ କରୁଛନ୍ତି । ସ୍କୁଲରେ ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ପ୍ରଧାନଶିକ୍ଷକଙ୍କୁ ଛାଡି ଜଣେ ରେଗୁଲାର ଶିକ୍ଷକ ଓ ଶିକ୍ଷାସହାୟିକା ନିଯୁକ୍ତି ଦିଆଯାଇଛି । ପ୍ରଧାନଶିକ୍ଷକ କୌଣସି କାର୍ଯ୍ୟରେ ବ୍ଲକ ସଦରମହକୁମାକୁ ଯିବା ଓ ଅନ୍ୟ ଶିକ୍ଷକ ଛୁଟିରେ ରହିଲେ ସ୍କୁଲରେ ପାଠପଢା ବନ୍ଦ ହେବା ଦେଖାଯାଉଛି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ଶିକ୍ଷକ ନିଯୁକ୍ତି ସହ ନୂତନ ଶ୍ରେଣୀଗୃହ ନିର୍ମାଣ ଓ ପୁରାତନ ଗୃହ ମରାମତି ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com