jaypore--paper-mill

ସେବା ପେପର୍ ମିଲ୍ ଖୋଲିବା ନେଇ ସନେ୍ଦହ

56

ଜୟପୁର,(ଆପ୍ର): ସେବା ପେପର ମିଲ୍ ଖୋଲିବା ନେଇ ଅନିଶ୍ଚିତତା ଜାରି ରହିଛି । ପେପର ମିଲ ଖୋଲିବା ଆଶା ଧୀରେ ଧୀରେ ମଉଳି ଯାଉଥିବା ଦେଖାଯାଉଛି । ମିଳିଥିବା ସୂଚନା ଅନୁସାରେ ଏହି ପ୍ରକାର ସନେ୍ଦହର ମୂଳ କାରଣ ହେଲା ମହାରାଷ୍ଟ୍ରରେ ଥିବା କଂପାନୀର ମୂଳ ପିଣ୍ଡ କୁହାଯାଉଥିବା ଥାପର ଗ୍ରୁପ୍ରେ ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଯାଉଛି । କଂପାନୀର ମାଲିକାନାରେ ଥିବା ୫ଟି ରୁ ୨ ଟି କାଗଜ କଳକୁ ଜେକେ ପେପର ତରଫରୁ ଖରିଦ କରାଯିବା ପାଇଁ ଆବଶ୍ୟକୀୟ ଅନୁସନ୍ଧାନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତେଣୁ ଜୟପୁର ୟୁନିଟ ଖୋଲିବା ଆଶା ମଉଳି ଯାଉଛି । ଜୟପୁର ଗାଗନାପୁର ଠାରେ ଥିବା ବଲାରପୁର ଇଣ୍ଡଷ୍ଟି୍ରଜ୍ର ୟୁନିଟ୍ ସେବା ପେପରମିଲ୍ ଗତ ୪ ମାସ ହେବ ବନ୍ଦ ରହିଛି । କଂପାନୀରେ କାମ କରୁଥିବା ଶ୍ରମିକମାନେ ଗତ ୨ମାସ ହେବ ପାଉଣା ପାଇ ନାହାନ୍ତି । ଜୟପୁର ବିଧାୟକ ବାହିନୀପତି ଓ ସମସ୍ତ ୟୁନିଅନର କର୍ମକର୍ତ୍ତାଙ୍କ ସହ ଭୁବନେଶ୍ୱରରେ ମିଲ୍ ଚାଲିବା ନେଇ ବୈଠକ ହୋଇଥିଲା । କିନ୍ତୁ ଥାପର ଗ୍ରୁପ୍ର ବିଭାଜନ କଥା ଆରମ୍ଭ ହେବା ପରେ ସବୁ ଆଶା ଓଲଟ ପାଲଟ ହୋଇଗଲା । ମିଲଟି ବହୁ ଦିନ ବନ୍ଦ ରହିଲେ ସେଠାରେ ଥିବା ଯନ୍ତ୍ରପାତି ଖରାପ ହୋଇଯିବ ଫଳରେ ଅନ୍ୟ କୌଣସି କଂପାନୀ ଏହି ମିଲକୁ କିଣିବା ପାଇଁ ଆଗ୍ରହ ପ୍ରକାଶ କରିବେ ନାହିଁ । ତେଣୁ ଅଧିକ କ୍ଷତି ହେବା ଆଗରୁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି କାରଖାନାକୁ ବଞ୍ଚାଇବାକୁ ଜୟପୁର ସିଟି କୋଡ଼ିନେସନ କମିଟିର କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି । ଜୟପୁରରେ ଥିବା ଏହି ଗୋଟିଏ ବୃହତ ଶିଳ୍ପ ବନ୍ଦ ହୋଇଗଲେ ଗତ ୨୫ ବର୍ଷ ଧରି ଜୟପୁର ବଜାର ଉପରେ ପ୍ରତ୍ୟେକ୍ଷ ପ୍ରଭାବ ପକାଇ ଆସିଥିବା ଏହି କାରଖାନା ପାଇଁ ହଜାର ହଜାର ଲୋକଙ୍କ ଜୀବିକା ଉଜୁଡ଼ି ଯିବ । ରାଜ୍ୟ ସରକାର ଏ ବାବଦରେ ସମାଧାନର ବାଟ ବାହାର କରି କାରଖାନା ଚଳାଇବାକୁ ଉଦ୍ୟମ କରନ୍ତୁ, ନଚେତ ସିଟି କୋଡ଼ିନେସନ କମିଟି ବାଧ୍ୟ ହୋଇ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରିବ । ଏହି ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ରାମକୃଷ୍ଣ ସାହୁ, ସଂପାଦକ ପ୍ରମୋଦ ରାଉଳ, ଯୁଧିଷ୍ଠିର ରାଉଳ, ସୁରେନ୍ଦ୍ର ପୃଷ୍ଟି, ପୂର୍ଣ୍ଣଚନ୍ଦ୍ର ମହାରଣା, ଭାଗୀରଥି ରେଡ଼ି ପ୍ରମୁଖ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com