୩ରେ ବିଜେଡିର ରେଳରୋକ୍

bjd555

ଭୁବନେଶ୍ୱର, ୧ା୮(ବୁ୍ୟରୋ): ବେଆଇନଭାବେ ଛତିଶଗଡ ସରକାର ମହାନଦୀର ଉପରମୁଣ୍ଡରେ ଓଡିଶାର ବିନା ସହମତିରେ ନିର୍ମାଣ କରୁଥିବା ପ୍ରକଳ୍ପ ବିରୋଧରେ ବିଜୁ ଜନତା ଦଳ (ବିଜେଡି) ତା’ର ଆନେ୍ଦାଳନକୁ ତୀବ୍ର କରିଛି । ମହାନଦୀ ଅବବାହିକା ଅନ୍ତର୍ଗତ ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଜାରି ରହିଥିବାବେଳେ ଆସନ୍ତା ୩ ତାରିଖରେ ଛତିଶଗଡ ଅଭିମୁଖେ ଯାଉଥିବା ସମସ୍ତ ମାଲବାହୀ ଟ୍ରେନ୍କୁ ରାଜ୍ୟର ବିଭିନ୍ନ ଷ୍ଟେସନ୍ରେ ୩୦ ମିନିଟ୍ ଲାଗି ଅବରୋଧ କରିବା ପାଇଁ ବିଜେଡି ନିଷ୍ପତ୍ତି ନେଇଛି । ଏହାଛଡା ଏହି ଦିନ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁ୍ୟସି) କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ରିଲେ ଅନଶନ କରାଯିବ । ଆସନ୍ତା ୫ ତାରିଖରେ ଛତିଶଗଡ ଗସ୍ତ କରି କ୍ଷେତ୍ର ଅନୁଧ୍ୟାନ କରିବାକୁ ଯିବାକୁ ଥିବା ଟିମ୍ର ନାମ ଦଳ ପକ୍ଷରୁ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ତଥା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ମୁଖପାତ୍ର ପ୍ରତାପ କେଶରୀ ଦେବ ଓ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି କହିଥିଲେ ଯେ ଛତିଶଗଡ ସରକାର ଅସତ୍ୟ ତଥା ମନଗଢା ତଥ୍ୟ ଅବତାରଣା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଜାଣି ଅଜଣା ଥିବା ଛତିଶଗଡ ସରକାରଙ୍କର ମାନମାନି ବିରୋଧରେ ପ୍ରତିକାତ୍ମକଭାବେ ଆସନ୍ତା ୩ ତାରିଖରେ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନ୍ରେ ଆନେ୍ଦାଳନ କରାଯିବ । ଛତିଶଗଡ ସରକାର ମହାନଦୀ ପ୍ରସଙ୍ଗରେ ବିଭ୍ରାନ୍ତିକର ତଥା ତଞ୍ଚକତାପୂର୍ଣ୍ଣ ତଥ୍ୟ ଅବତାରଣା କରିବା ସହ ଓଡିଶାର ସ୍ୱାର୍ଥହାନୀ ପାଇଁ ଯେଉଁ ଅଭିସନ୍ଧି କରୁଛି, ତା’ର ନିରପେକ୍ଷ ତଦନ୍ତ କରାଯାଉ । ଘଟଣାର ବିଭିନ୍ନ ଦିଗକୁ ବିଚାର କରି ବିଜେଡି କଂଗ୍ରେସର ପ୍ରସ୍ତାବିତ ସର୍ବଦଳୀୟ ବୈଠକକୁ ପ୍ରତ୍ୟାଖ୍ୟାନ କରୁଛି । ସର୍ବଦଳୀୟ ବୈଠକ ଲାଗି କଂଗ୍ରେସ ଏପଟେ ଆହ୍ୱାନ ଦେଇଛି, ଅଥଚ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିଲାବେଳେ କେନ୍ଦ୍ରୀୟ ଜଳ ଆୟୋଗ କେଲୋ ପ୍ରକଳ୍ପକୁ କିଭଳି ମଞ୍ଜୁରୀ ଦେଇଥିଲେ । କଂଗ୍ରେସ ନେତୃବୃନ୍ଦ ସେତେବେଳେ କ’ଣ କରୁଥିଲେ । ସେମାନେ ଏବେ ପ୍ରଥମେ ନିଜର ଏଭଳି ଦାୟିତ୍ୱହୀନତା ଏବଂ ଅବହେଳାର ଯଥାର୍ଥ କାରଣ ରାଜ୍ୟବାସୀଙ୍କ ସମ୍ମୁଖରେ ରଖନ୍ତୁ । କେନ୍ଦ୍ରରେ ୟୁପିଏ ସରକାର କ୍ଷମତାରେ ଥିବାବେଳେ ପୋଲାଭରମ୍ ପ୍ରକଳ୍ପ ପାଇଁ ଅର୍ଥ ବରାଦ କରିଥିଲେ ଏବଂ ବର୍ତ୍ତମାନ କେନ୍ଦ୍ର ଏନ୍ଡିଏ ସରକାର ଏହାକୁ ଜାତୀୟ ପ୍ରକଳ୍ପଭାବେ ଘୋଷଣା କଲେ । ଏହାଦ୍ୱାରା ରାଜ୍ୟର ଆଦିବାସୀ ଓ ଚାଷୀକୂଳଙ୍କ ଜନଜୀବନ ଉଚ୍ଛନ୍ନ ହୋଇପଡିଛି । ଉଭୟ କଂଗ୍ରେସ ଓ ବିଜେପି ଓଡିଶାର ସ୍ୱାର୍ଥ ବିରୋଧୀ । ନିଜ ମୁଖ ଲଜ୍ଜା ବଞ୍ଚାଇବା ଲାଗି ସର୍ବଦଳୀୟ ବୈଠକ ଡାକିବା ପରିବର୍ତ୍ତେ ଉଭୟ କଂଗ୍ରେସ ଓ ବିଜେପି ଦଳର ରାଜ୍ୟ ନେତୃବୃନ୍ଦ ଏବେ କେନ୍ଦ୍ରରେ ଥିବା ତାଙ୍କ ନେତାମାନଙ୍କୁ ସେମାନେ ରାଜ୍ୟର ବୃହତ୍ତର ସ୍ୱାର୍ଥରେ କିଭଳି ବାଧା ପହଞ୍ଚାଇଛନ୍ତି ସେକଥା ବୁଝାନ୍ତୁ । ରାଜ୍ୟର ସ୍ୱାର୍ଥ ତଥା ଛତିଶଗଡର ମନମୁଖୀ କାର୍ଯ୍ୟ ବିରୋଧରେ ଦୃଢ ସ୍ୱର ଉତ୍ତୋଳନ କରିବା ନିମନ୍ତେ ପ୍ରବର୍ତ୍ତାନ୍ତୁ । କେନ୍ଦ୍ର ସରକାରରେ ଓଡିଶାର ଥିବା ମନ୍ତ୍ରୀଦ୍ୱୟ ମହାନଦୀ ପ୍ରସଙ୍ଗରେ ରାଜ୍ୟ ସ୍ୱାର୍ଥ ରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏ ପ୍ରସଙ୍ଗରେ ସ୍ପଷ୍ଟଭାବେ ନିଜ ନିଜର ଆଭିମୁଖ୍ୟ ରାଜ୍ୟବାସୀଙ୍କ ନିକଟରେ ରଖିନାହାନ୍ତି । ଏବେ ସେମାନେ ଦୁହେଁ ନିଷ୍ପତ୍ତି ନିଅନ୍ତୁ ଯେ ନିଜର ଚୌକି ବଞ୍ଚାଇବା ପାଇଁ ସେମାନେ ମହାନଦୀ ପ୍ରସଙ୍ଗରେ ନିଜର ଏହି ଅସ୍ପଷ୍ଟ ଆଭିମୁଖ୍ୟ ବଜାୟ ରଖିବେ ନା ରାଜ୍ୟ ପାଇଁ ଲଢିବେ ବୋଲି ସେମାନେ କହିଛନ୍ତି ।