sora

ଅକାଳ ଚଡ଼କ

49

ରାଜ୍ୟରେ ୩୧ ମୃତ, ୪୦ ଆହତ
ଭୁବନେଶ୍ୱର, ୩୦ା୭(ବୁ୍ୟରୋ): ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁ ୩୦ ଜଣଙ୍କର ମୃତ୍ୟ ହୋଇଥିବାବେଳେ ୪୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲାରେ ସର୍ବାଧିକ ୮ ଜଣ ପ୍ରାଣ ହରାଇଥିବା ବେଳେ ବାଲେଶ୍ୱରରେ ୭, ଖୋର୍ଦ୍ଧା ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରାଘାତ ଯୋଗୁ ଯାଜପୁର ଜିଲ୍ଲାରେ ୩ ଓ ନୟାଗଡରେ ୨ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ଅପରାହ୍ନରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ବର୍ଷା ସାଙ୍ଗକୁ ବଜ୍ରପାତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । ଭଦ୍ରକ ଜିଲ୍ଲାର ବିଶଲପଟା ଗାଁରେ ଚାଷୀମାନେ ଜମିରେ ଚାଷ କରୁଥିବା ବେଳେ ଦୁଇଜଣ ଚାଷୀ ବଜ୍ରାଘାତର ଶୀକାର ହୋଇଥିଲେ । ସେହିପରି ତିହିଡି ବ୍ଲକ ସୟା ପଞ୍ଚାୟତ ଅନ୍ତର୍ଗତ ବାଲିଚତିରି ଗାଁରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । କୁଶନଗର ଗାଁରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ପାଣିଭଣ୍ଡାର ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି । ଚାନ୍ଦବାଲି ବ୍ଲକର ମଣିପୁର ଓ ମତୋରେ ଦୁଇ ଜଣ ବଜ୍ରାଘାତ ଯୋଗୁ ଅକାଳରେ ପ୍ରାଣ ହରାଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଆଙ୍ଗୁଳା ଗାଁର ଅଜୟ ଜେନା, ପଦ୍ମଲୋଚନ ଜେନା ପ୍ରାଣ ହରାଇଥିବା ବେଳେ ଜଗନ୍ନାଥପୁର ଗାଁର ଗଜେନ୍ଦ୍ର ପାତ୍ରଙ୍କର ମୃତ୍ୟୁ ହୋଇଛି । ଜଳେଶ୍ୱର ବ୍ଲକର ପାଇକସିଦାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଚୂରମରାରେ ଜଣଙ୍କର ଏବଂ ନମକନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୟୁରଭଞ୍ଜ ଜିଲ୍ଲାର ଦିଗିଧର ଗାଁରେ ଜଣେ ବାଳିକା ବଜ୍ରାଘାତ ଯୋଗୁ ପ୍ରାଣ ହରାଇଛି । ଯାଜପୁର ଜିଲ୍ଲାର ଧର୍ମଶାଳାର କମ୍ପାରୁ ଗାଁରେ ଜଣେ, ସୁକିନ୍ଦାର ମଙ୍ଗଳପୁର ଗାଁରେ ଜଣେ ଓ ପାଣିକୋଇଲି ସ୍ଥିତ ସୋତେରେ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର କୁମ୍ଭାରପଡା ଗାଁରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ଦାନ୍ତିଆ ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଜାମୁଝରୀରେ ଜଣେ, ସୁନ୍ଦରପୁରରେ ୪, ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଷଠୀପୁର ଗାଁରେ ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର କୁଚିଣ୍ଡା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅନ୍ତର୍ଗତ ବାଲିଆ ଗାଁରେ ଜଣଙ୍କର ଏବଂ ହରିହରପୁରରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ବଜ୍ରାଘାତ ଯୋଗୁ ରାଜ୍ୟରେ ପ୍ରାୟ ୪୦ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ତେବେ ବଜ୍ରାଘାତରେ ପ୍ରାଣ ହରାଇଥିବା ଅଧିକାଁଶଙ୍କ ମଧ୍ୟରୁ ଜମିରେ ଚାଷ କରୁଥିବା ବେଳେ ଓ ବାହାରେ କାମ କରୁଥିବା ବେଳେ ପ୍ରାଣ ହରାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com