ମହାନଦୀ ପ୍ରବାହକୁ ବନ୍ଦ ହେବାକୁ ଦିଆଯିବନି | ସର୍ବସାଧାରଣ ଖବରକାଗଜ
anugul-bjd

ମହାନଦୀ ପ୍ରବାହକୁ ବନ୍ଦ ହେବାକୁ ଦିଆଯିବନି

31

ଅନୁଗୁଳ,୩୦ା୭ (ଆପ୍ର): ମହାନଦୀ ଏକ ନଦୀ ନୁହେଁ, ଏହା ଓଡ଼ିଶାର ଜୀବନରେଖା । ଏହାର ପ୍ରବହମାନ ଭିତରେ ଓଡ଼ିଶା ବଞ୍ଚି ରହିଛି । ତେଣୁ ଏହାର ପ୍ରବାହକୁ ଜୀବନ ଥିବା ଯାଏଁ କଦାପି ବନ୍ଦ କରିବାକୁ ଦିଆଯିବନାହିଁ ବୋଲି ଯୁବ ବିଜେଡି ସଭାପତି ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଦୃଢ଼ତାର ସହ ପ୍ରକାଶ କରିଛନ୍ତି । ଆଜି ଅନୁଗୁଳ ସଭାଘରଠାରେ ଅନୁଷ୍ଠିତ ଏକ ବିରାଟ ଜନସମାବେଶରେ ମନ୍ତ୍ରୀଙ୍କ ଏହି ଉକ୍ତି ଅନୁଗୁଳର ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କ ମନରେ ଶତସିଂହର ବଳ ଓ ପ୍ରବଳ ଉତ୍ସାହ ଭରିଦେଇଛି । ଆଗାମୀ ଦିନରେ ବିଜେପି ବିରୁଦ୍ଧରେ ଅନୁଗୁଳର ଜନସାଧାରଣ ଉଚିତ୍ ଜବାବ ଦେବେ ବୋଲି ମଧ୍ୟ ସେ ଅନୁଗୁଳବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଆଜି ମନ୍ତ୍ରୀଙ୍କ ଗସ୍ତକୁ ବିରୋଧକରି ବିଜେପିର କିଛି କର୍ମୀ କଳାପତାକା ଦେଖାଇବାକୁ ଉଦ୍ୟମ କରିବାକୁ ସେ ଘୋର ନିନ୍ଦାକରିବା ସହ ଯଦି ବିଜେପି କେବଳ ଖବର କାଗଜରେ ତାର ନାଁ ବାହାର କରିବାକୁ ଏଭଳି କରିଥାଏ, ତେବେ ତାହା ଚଳିବ । ଯଦି ଓଡ଼ିଶାର ପାଣି ପାଇଁ ଆନେ୍ଦାଳନ ଚାଲିଥିବାବେଳେ ଏହା ଭଣ୍ଡୁର କରିବା ନିମନ୍ତେ କରାଯାଇଥିବ ତେବେ ଏହା ଏକ ଅକ୍ଷମଣିୟ ଅପରାଧ । ଏଥିପାଇଁ ବିଜେପି ଦଳକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି ଆନେ୍ଦାଳନରେ ପର୍ଯ୍ୟବେକ୍ଷକଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ଯୁବବିଜେଡ଼ି ସଂପାଦକ ବିଜୟ ନାୟକ, ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ, ପାଲଲହଡ଼ା ବିଧାୟକ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଟାମଡ଼ା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଗିରିଜା ନନ୍ଦିନୀ ସାହୁ ପ୍ରମୁଖ ଯୋଗଦେଇ ଆନେ୍ଦାଳନକାରୀମାନଙ୍କୁ ମହାନଦୀ ଜଳ ଛତିଶଗଡ଼ ସରକାର ବନ୍ଦ କରିବା ଦ୍ୱାରା ଓଡ଼ିଶାର ୧୫ଟି ଜିଲ୍ଲାର ଜୀବନ ଜୀବିକା ପ୍ରତି କିଭଳି ବିପଦ ମାଡ଼ିଆସିବ ତାହା ବର୍ଣ୍ଣନା କରିଥିଲେ । ଏଠାରେ ପ୍ରକାଶ ଥାଉକି ଛତିଶଗଡ଼ ସରକାର ମହାନଦୀର ଉପର ମୁଣ୍ଡରେ ବେଆଇନ ଭାବେ ଦୁଇଟି ବଡ଼ ବଡ଼ ଜଳଭଣ୍ଡାର ନିର୍ମାଣ କରୁଛନ୍ତି । ଏହା ନିର୍ମାଣ ହେଲେ ଓଡ଼ିଶାର ଚିରସ୍ରୋତା ମହାନଦୀ ଶୁଷ୍କ ପାଲଟିଯିବ । ଯାହାଦ୍ୱାରା ଓଡ଼ିଶାର ଜନସାଧାରଣ ପାନୀୟ ଜଳସମସ୍ୟା, ବିଦ୍ୟୁତ୍ ସମସ୍ୟା ଓ କୃଷି ସମସ୍ୟାଭଳି ଅନେକ ସମସ୍ୟା ଦେଖାଦେବ । ଏଥିଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟର ୧୫ଟି ଜିଲ୍ଲାରେ ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ କେନ୍ଦ୍ରସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ସେହି କାର୍ଯ୍ୟସୂଚୀ ଅନୁଯାୟୀ ଆଜି ସ୍ଥାନୀୟ ସଭାଘରଠାରେ ବୈଠକ ପରେ ସମସ୍ତ ନେତୃମଣ୍ଡଳୀଙ୍କ ସହ ହଜାର ହଜାର ଜନସାଧାରଣ ଏକ ବିରାଟ ରାଲିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ପର୍ଯ୍ୟନ୍ତ ଆସିଥିଲେ । ସୂଚନା ପାଇ ଜିଲ୍ଲାପାଳ ଅନିଲ କୁମାର ସାମଲ ଓ ଅତିରିକ୍ତ ଜିଲ୍ଳାପାଳ ଶ୍ରୀନିବାସ ବେହେରା ଫାଟକ ନିକଟକୁ ଆସି ମନ୍ତ୍ରୀ ଶ୍ରୀ ଦାସବର୍ମାଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲେ ।
ସୂଚନାଯୋଗ୍ୟ, ଗତକାଲି ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ବିଜେପି କର୍ମୀ କଳାପତାକା ଦେଖାଇ ବିରୋଧ କରିଥିବା ବେଳେ ଆଜି ମଧ୍ୟ ଅନୁଗୁଳରେ ଏହାର ପୁନରାବୃତ୍ତି ଘଟିଥିଲା । ସର୍କୀଟ ହାଉସ ନିକଟରେ ମନ୍ତ୍ରୀଙ୍କ ଗାଡ଼ି ଯାଉଥିବାବେଳେ ବିଜେପି କର୍ମୀମାନେ କଳାପତାକା ଦେଖାଇବାକୁ ଉଦ୍ୟମବେଳେ ଅନୁଗୁଳ ଏସ୍.ପି କବିତା ଜଲାନଙ୍କ ନେତୃତ୍ୱରେ ପୁଲିସ ବାହିନୀ ପହଞ୍ଚି ଅଟକାଇବାକୁ ଚେଷ୍ଟା କରିଥିଲେ । ଏଥିରେ ଅନୁଗୁଳ ଏସ୍.ପି ମଧ୍ୟ ସମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ତତ୍ସହିତ ବିଜେଡ଼ି କର୍ମୀ ଓ ବିଜେପି କର୍ମୀ ମାନଙ୍କ ମଧ୍ୟରେ ସାମନ୍ୟ ହାତାହାତି ହୋଇଥିବା ଖବର ମିଳିଛି । ଏହି ଘଟଣାରେ ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି, ମୀନକେତନ ଅମାନ୍ତ, ପ୍ରତିମାରାଣୀ ମିଶ୍ର ପ୍ରମୁଖଙ୍କ ସହ ୩୦ଜଣ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅନୁଗୁଳ ଥାନାରେ ଅଟକ ରଖାଯାଇଛି । ଏଥିସହିତ ମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଫେରୁଥିବାବେଳେ କିଛି କଂଗ୍ରେସକର୍ମୀ ସର୍କିଟ ହାଉସ ନିକଟରେ କଳାପତାକା ପ୍ରଦର୍ଶନ କରିଥିଲେ ।




Powered by odothemes.com