Daruthenga-Ra-Dumping-Yard1

ଅଳିଆ ଅଡୁଆ: ଦାରୁଠେଙ୍ଗ ସରପଞ୍ଚ ଗିରଫ

95

ଭୁବନେଶ୍ୱର,୩୦ା୭(ବୁ୍ୟରୋ): ଡମ୍ପିଂୟାର୍ଡ ବିବାଦ ଘଟଣାରେ ଦାରୁଠେଙ୍ଗ ସରପଞ୍ଚ ପ୍ରଶାନ୍ତ ରାଉତରାୟଙ୍କୁ ଆଜି କମିଶନରେଟ୍ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ସରପଞ୍ଚଙ୍କୁ ଗିରଫ ପରେ ଦାରୁଠେଙ୍ଗ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଚନ୍ଦକା ଥାନା ଘେରାଉ କରିବାକୁ ଗ୍ରାମବାସୀ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ପୁଲିସ୍-ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଜା ଲାଗିରହିଛି । ପୁଲିସ୍ କମିଶନର ଆଲୋଚନା ପାଇଁ ଗ୍ରାମବାସୀଙ୍କୁ ରବିବାର ଡାକିଥିବା ଜଣାପଡିଛି । ଏହି ଘଟଣାରେ ପୁଲିସ୍ ପୂର୍ବରୁ ୩୧ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନଙ୍କ ଜାମିନ୍ ଆବେଦନର ଶୁଣାଣି ଶନିବାର ହେବାକୁ ସ୍ଥିର ହୋଇଥିଲା । ସରପଞ୍ଚ ସେମାନଙ୍କ ଜାମିନ୍ ସମ୍ପର୍କରେ ବୁଜାସୁଝା କରିବାକୁ କୋର୍ଟ ଯିବା ବାଟରେ ଜୟଦେବବିହାର ନିକଟରୁ ସ୍ପେଶାଲସ୍କ୍ୱାଡ ଟିମ୍ ତାଙ୍କୁ ଉଠାଇନେଇଥିଲା । ସରପଞ୍ଚଙ୍କ ଗିରଫ ଖବର ପ୍ରଚାରିତ ହେବା ପରେ ଗାଁରେ ଉତ୍ତେଜନା ବଢ଼ିଥିଲା । ଭୁଆସୁଣିରେ ଡମ୍ପିଂୟାର୍ଡକୁ ବିରୋଧ ଓ ଗିରଫ ବିରୋଧକାରୀଙ୍କୁ ମୁକ୍ତି ଦାବି କରି ଦାରୁଠେଙ୍ଗରେ ଉତ୍ତେଜନା ଲାଗିରହିଛି । ଶୁକ୍ରବାର ରାତିରେ ବିରୋଧକାରୀମାନେ ମୁଖ୍ୟ ରାସ୍ତାରେ ଗଛକାଟି ପକାଇଥିଲେ । ଶନିବାର ସକାଳୁ ୪ଟି ଅଳିଆ ଗାଡି ସେଠାରେ ପହଞ୍ଚିବା ମାତ୍ରେ ଗ୍ରାମବାସୀ ଟେକାପଥର ମାଡ କରିଥିଲେ । ଅଳିଆ ଗାଡି ଅଳିଆ ପକାଇନପାରି ସେଠାରୁ ଫେରି ଆସିଥିଲା । ପରେ ବାଇକ୍ ଯୋଗେ କେତେକ ପୁଲିସ୍ ସେଠାକୁ ଯାଇଥିଲେ । ଯିବା ବାଟରେ ଗାଁ ଲୋକ ପୁଲିସ୍ ଉପରକୁ ଟେକା ମାଡ କରିଥିଲେ । ଫଳରେ ବାଇକ୍ରେ ଯାଇଥିବା ପୁଲିସ୍ କର୍ମଚାରୀମାନେ ଜୀବନ ବିକଳେ ସେଠାରୁ ପଳାଇଆସିଥିଲେ । ଏହାର କିଛି ସମୟ ପରେ ଡିସିପି ସତ୍ୟବ୍ରତ ଭୋଇ ଓ ପୁଲିସ୍ ଫୋର୍ସ ସେଠାରେ ପହଞ୍ଚିବା ପରେ ଗ୍ରାମବାସୀମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ବିକ୍ଷୋଭକାରୀ ଗ୍ରାମବାସୀଙ୍କୁ ଡିସିପି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା । ତେବେ ଗିରଫ ସରପଞ୍ଚଙ୍କ ସମେତ ଅନ୍ୟ ୩୧ ଜଣଙ୍କୁ ମୁକ୍ତ ନକରିବା ପର୍ଯ୍ୟନ୍ତ ଅଳିଆ ପକାଇ ଦେବେ ନାଡିଁ ବୋଲି ଗ୍ରାମବାସୀମାନେ ଅଡିବସିଛନ୍ତି ।
ଏହାର ସମାଧାନ ପାଇଁ ଗତ ଗୁରୁବାର ବିଏମ୍ସି- ଗ୍ରାମବାସୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ତୁଳସାଦେଇପୁର ଅଞ୍ଚଳରେ ଡମ୍ପିଂୟାର୍ଡ କରାଯିବା ସହ ଭୁଆସୁଣିରେ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ କରିବାକୁ ଗ୍ରାମବାସୀ ସହମତି ଦେଇଥିଲେ । ହେଲେ ଅଟକ ଥିବା ୩୭ ଜଣ ଗ୍ରାମବାସୀଙ୍କୁ ଛାଡିବାକୁ ସେମାନେ ଦାବି କରିଥିଲେ । ମାତ୍ର ୬ ଜଣଙ୍କୁ ଛାଡିଥିବା ବେଳେ ଅନ୍ୟ ୩୧ ଜଣଙ୍କୁ ପୁଲିସ୍ କୋର୍ଟ ଚାଲାଣ କରିବା ପରେ ଗ୍ରାମବାସୀ ପୁଣି ବିରୋଧ ଜାରି ରଖିଥିଲେ ।

ସେଆର କରନ୍ତୁ:



Powered by odothemes.com