୮ସେବାୟତଙ୍କୁ ପଳାତକ ଘୋଷଣା

sebayat

ନୀଳାଦ୍ରିବିଜେ ବିଶୃଙ୍ଖଳା
ପୁରୀ, ୨୭ ।୭(ଆପ୍ର): ନୀଳାଦ୍ରିବିଜେ ବିଶୃଙ୍ଖଳା ଘଟଣାରେ ଫେରାର୍ ଥିବା ୮ ଜଣ ସେବାୟତଙ୍କୁ ପୁଲିସ୍ ପଳାତକ ଘୋଷଣା କରିଛି । ପଳାତକ ଘୋଷିତ ହୋଇଥିବା ଏହି ସେବାୟତଙ୍କ ମଧ୍ୟରେ ଅଛନ୍ତି- ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର, ସାଇନା ଖୁଣ୍ଟିଆ, ଇପ୍ସିତ୍ ପ୍ରତିହାରୀ, ରବିନାରାୟଣ ଦାସ, ଭୀମସେନ ପଲଙ୍କଧାରୀ, କାଶୀନାଥ ଖୁଣ୍ଟିଆ ଓ ଭାଗିରଥୀ ଖୁଣ୍ଟିଆ । ସେମାନଙ୍କ ବିରୋଧରେ ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ପଳାତକ ଘୋଷଣା କରାଯାଇଥିବା ୮ ଜଣ ସେବାୟତଙ୍କ ସମ୍ପର୍କରେ ପୁରୀ ଜିଲ୍ଲା ପୁଲିସ୍ ସବିଶେଷ ବିବରଣୀ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ନିକଟକୁ ପଠାଇଛି । ସେମାନଙ୍କୁ ଧରିବା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚଢାଉ ଜାରି ରହିଛି । ଏବେ ପଳାତକ ଘୋଷଣା କରାଯିବା ପରେ ସେମାନଙ୍କ ଫଟୋ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ପୁରୀ ଏସ୍ପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିବା ଆଉ ୨ ଜଣ ଅଭିଯୁକ୍ତ ସେବାୟତଙ୍କୁ ସିଂହଦ୍ୱାର ପୁଲିସ୍ ଆଜି ଗିରଫ କରିଛି । ସେମାନେ ହେଲେ- ବୃନ୍ଦାବନ ପୂଜାପଣ୍ଡା ଓ ସୂର୍ଯ୍ୟନାରାୟଣ ପୂଜାପଣ୍ଡା ।
ଅନ୍ୟପକ୍ଷରେ ଗିରଫଦାରୀ ଭୟରେ ଆଉ ଜଣେ ସେବାୟତ ଭୀମସେନ ପଲଙ୍କଧାରୀ ହାଇକୋର୍ଟରେ ଆଗୁଆ ଜାମିନ୍ ପାଇଁ ଆବେଦନ କରିଥିଲେ । ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ୩ଜଣ ସେବାୟତ ମଧ୍ୟ ହାଇକୋର୍ଟର୍ରେ ଆଗୁଆ ଜାମିନ ଆବେଦନ କରିଥିଲେ । ସେମାନେ ହେଲେ ଦାମୋଦର ମହାସୁଆର, ଜୟକୃଷ୍ଣ ମହାସୁଆର ଓ ସାଇନା ଖୁଣ୍ଟିଆ । ନୀଳାଦ୍ରିବିଜେ ବିଶୃଙ୍ଖଳା ନେଇ ପୁଲିସ ଏବେ ସୁଦ୍ଧା ମୋଟ ୧୨ଜଣ ସେବାୟତଙ୍କୁ ଗିରଫ କରାଯାଇଛି ।
ସେବାୟତଙ୍କ ବିରୋଧରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଜୋରଦାର୍ କରାଯାଇଥିବାବେଳେ ଏହାକୁ ରୋକିବା ପାଇଁ ଶ୍ରୀମନ୍ଦିର ସେବାୟତମାନେ ଆଜି ଏକ ଶୋଭାଯାତ୍ରାରେ ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ । ନୀଳାଦ୍ରିବିଜେ ସମୟରେ ହୋଇଥିବା ବିଶୃଙ୍ଖଳା ପାଇଁ ନିଦେ୍ର୍ଦାଷ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ସେମାନେ ଏକ ସ୍ମାରକପତ୍ର ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାସଙ୍କୁ ଦେଇଥିଲେ । ଶ୍ରୀମନ୍ଦିରର ସେବକମାନଙ୍କ ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ଫେରାଇଆଣିବା ଏବଂ ଶ୍ରୀଜିଉମାନଙ୍କ ନୀତି ଓ ପୂଜାର୍ଚ୍ଚନା ଯଥାବିଧି ସମ୍ପାଦନ କରାଯିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ ।