ବିଜେଡିର ‘ ଏକେଲା ଚଲୋ’ ଅଭିଯାନ

ଭୁବନେଶ୍ୱର, ୨୭ା୭(ବୁ୍ୟରୋ): ଛତିଶଗଡ଼ର ବିଜେପି ସରକାର ମହାନଦୀର ଉପରମୁଣ୍ଡରୁ ଜଳପ୍ରବାହକୁ ରୋକି ଓଡ଼ିଶା ମଧ୍ୟରେ ପ୍ରବାହିତ ହେଉଥିବା ମହାନଦୀକୁ ଶୁଷ୍କ କରିବାକୁ ଯେଉଁ ଷଡ଼ଯନ୍ତ୍ର ଆରମ୍ଭ କରିଛି, ତାହା ବିରୋଧରେ ବିଜେଡ଼ି ‘ଏକେଲା ଚଲୋ’ ନୀତିରେ ଲଢେଇ କରିବା ଆରମ୍ଭ କରିଛି । ବିଜେଡ଼ିର ଏହି ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଲଢେଇରେ ଜାତୀୟ ଦଳ; କଂଗ୍ରେସ ଓ ବିଜେପି ନୀରବ ରହିବା ରାଜ୍ୟବାସୀଙ୍କ ପ୍ରତି ଏକ ଧୋକ୍କା ବୋଲି ସାଧାରଣରେ ଆଲୋଚନା ହେଉଛି । ସଂସଦରେ ଏହି ପ୍ରସଙ୍ଗ ଉତ୍ଥାପନ ହେଲା । ରାଜ୍ୟସଭାରେ ଆଲୋଚନା ହେଲା । ହେଲେ ରାଜ୍ୟ କଂଗ୍ରେସର ଏକମାତ୍ର ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ୱାଳ ଏହି ପ୍ରସଙ୍ଗରେ ପାଟି ଖୋଲିଲେନି । ଫଳରେ ମହାନଦୀ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ନେତାମାନେ ଏଠି ଯେଉଁ ଭାଷଣ ବାଜି କରୁଛନ୍ତି ତାହା ଲୋକ ଦେଖାଣିଆ ବୋଲି ମତ ପ୍ରକାଶ ପାଉଛି । ସାଂସଦଙ୍କ ନୀରବତା ଏବେ ରାଜ୍ୟ କଂଗ୍ରେସ ନେତାଙ୍କୁ ଭାଣ୍ଡିଆ କରିଛି । ଅପରପକ୍ଷରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମହାନଦୀର ଜଳ ତାଙ୍କ ରାଜ୍ୟର, ବ୍ୟାରେଜ୍ ନିର୍ମାଣରୁ କେହି ନିବୃତ୍ତ କରାଇ ପାରିବେ ନାହିଁ ବୋଲି ଖୋଲା ଖୋଲି ମନ୍ତବ୍ୟ ଦେଇଛନ୍ତି । ଅପରନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସଭାପତି କିଛି କହିବାକୁ ମନା କରିଦେଇଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ଚୁକ୍ତି ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ ନହେବାରୁ ଏଭଳି ପରିସ୍ଥିତି ଉପୁଜିଲା କଥାରେ ଅଟକିଛନ୍ତି । ଏହା କହି ସେ ଛତିଶଗଡ଼ରେ କ୍ଷମତାସୀନ ଥିବା ତାଙ୍କ ଦଳ (ବିଜେପି) ସରକାର ପାଇଁ ପରୋକ୍ଷରେ ଓକିଲାତି କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ନଗଡ଼ା ସ୍ଥିତି ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତିନି ତିନିଜଣ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ଟିମ୍ ପଠାଇବାକୁ ଅନୁରୋଧ କରିଥିବା ବେଳେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ଜଳସଂପଦ ବିଭାଗ ବା କେନ୍ଦ୍ରୀୟ ଜଳ ଆୟୋଗର ହସ୍ତକ୍ଷେପ ପାଇଁ ଗୋଟିଏ ବି ଚିଠି ଲେଖିଲେନି ।
ତେବେ ସବୁଠାରୁ ଦୁର୍ଭାଗ୍ୟଜନକ କଥା ହେଉଛି ରାଜ୍ୟ କଂଗ୍ରେସର ଆଚରଣ । ମହାନଦୀ ଜଳ ବିବାଦ ଉପରେ ସର୍ବଦଳୀୟ ବୈଠକ ଡ଼ାକିବା ପାଇଁ ବିରୋଧୀଦଳ ନେତା ନରସିଂହ ମିଶ୍ର ଦାବି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ଦୁଇଟି ପତ୍ର ଲେଖିଛନ୍ତି । ଆଉ ପାଦେ ଆଗକୁ ଯାଇ ୭ଜଣିଆ ବିଧାୟକଦଳଙ୍କୁ ଧରି ସେ ଛତିଶଗଡ଼ ଯାଇଛନ୍ତି । କିନ୍ତୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସଂସଦରେ ଏହି ପ୍ରସଙ୍ଗ ଆଲୋଚନା ହେଲା । ଲେକସଭାରେ ମନ୍ତ୍ରୀ ଉତ୍ତର ରଖିଲେ । କିନ୍ତୁ ରାଜ୍ୟସଭାରେ ଗହଣା ଭିତରେ ନିମକାଠି କହିଲେ ହେଉଛନ୍ତି କଂଗ୍ରେସର ଏକମାତ୍ର ସାଂସଦ ରଞ୍ଜୀବ ବିଶ୍ୱାଳ । ସେ ପୁଣି ଜଗତସିଂହପୁର ଜିଲ୍ଲାର ମୂଳ ବାସିନ୍ଦା । ମହାନଦୀର ଅୟଂ ଆରମ୍ଭ ଛତିଶଗଡ଼ରୁ ହୋଇଥିବା ବେଳେ ଏହାର ଶେଷ ହେଉଛି ଜଗତସିଂହପୁର ଜିଲ୍ଲାରେ । ଜିଲ୍ଲାର ୮ଟି ବ୍ଲକର ପ୍ରାୟ ୮୦%ରୁ ଉଦ୍ଧ୍ୱର୍ ବାସିନ୍ଦା ମହାନଦୀ ସହ ଦୈନଦିନ ଓତଃପ୍ରୋତ ଭାବେ ଜଡ଼ିତ । ଏହଛଡ଼ା ମହାନଦୀର ଶାଖା ନଦୀ ଦେବୀ, ପାଇକା ଓ ଉପଶାଖା ନଦୀ ହଂସୁଆ, ଗୋବରୀ, ବୁଢୀ ନଈ ମଧ୍ୟ ଅନେକ ଲୋକଙ୍କର ଜୀବନଧାରଣର ମାନଦଣ୍ଡ । ଏହି ଜିଲ୍ଲାର ଜମି ଗୁଡ଼ିକ ମୁଖ୍ୟତଃ ତାଳଦଣ୍ଡା ଓ ମାଛଗାଁ କେନାଲ ଦ୍ୱାରା ଜଳ ସେଚିତ ହୋଇଥାଏ । ଏହି ଦୁଇ କେନାଲକୁ ମହାନଦୀରୁ ହିଁ ପାଣି ଯାଇଥାଏ । ମହାନଦୀ ଶୁଷ୍କ ହୋଇଗଲେ ଜଗତସିଂହପୁର ଜିଲ୍ଲା ସର୍ବାଧିକ କ୍ଷତିସ୍ତ୍ରସ୍ତ ହେବ । ମାତ୍ର ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦଳର ଏକମାତ୍ର ସାଂସଦ ନୀରବ ରହିବା ଯେତିକି ରହସ୍ୟମୟ ସେତିକି ବିସ୍ମୟଜନକ । ସେହିଭଳି ଛତିଶଗଡ଼ ପରିଦର୍ଶନରେ ଯାଇଥିବା କଂଗ୍ରେସ ପ୍ରତିନିଧି ଦଳରେ ଜଗତସିଂପୁର ଜିଲ୍ଲାର ଜଣେ ହେଲେ ବି କେହି କଂଗ୍ରେସ ନେତା ନାହାଁନ୍ତି । ତେଣୁ ମହାନଦୀ ପ୍ରସଙ୍ଗକୁ ବିଜେଡ଼ି ଠାରୁ କଂଗ୍ରେସ ହାଇଜାକ୍ କରି ନେବାକୁ ଯେଉଁ ଯୋଜନା କରିଥିଲା ତାହା ଏବେ ଫସର ଫାଟିଛି ବୋଲି ଆଲୋଚନା ହେଉଛି ।
ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବେ ଦଳୀୟ ନ୍ୟାୟରେ ମଉନ ଅବତାର ବ୍ରତ ପାଳନ କରୁଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ୍ ମନ୍ତବ୍ୟ ଉପରେ ସେ କିଛି କହିବେ ନାହିଁ ବୋଲି ସଫା ସଫା ମନା କରିଦେଇଛନ୍ତି । ଦଳର ସ୍ୱାର୍ଥ ପାଇଁ ମାଟି ସ୍ୱାର୍ଥକୁ ସେ ଭୂଲି ଯାଇଛନ୍ତି ବୋଲି ଆଲୋଚନା ହେଉଛି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ୧୯୮୩ ଚୁକ୍ତିିରେ ଯେଉଁ ବିଷୟ ଉଲ୍ଲେଖ ନଥିଲା ତାହା ଉଠାଇ ନିଜ ଦାୟିତ୍ୱ ସାରିଛନ୍ତି । ଯଦିଓ ପୂର୍ବତନ ଜଳସଂପଦ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ୧୯୮୩ ଚୁକ୍ତିରେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ କରିବାର ପ୍ରସ୍ତାବ ନଥିଲା ବୋଲି ବହୁୂ ପୂର୍ବରୁ କହି ଶ୍ରୀ ପ୍ରଧାନଙ୍କ ମନ୍ତବ୍ୟକୁ ଭୂଲ ବୋଲି ପ୍ରମାଣିତ କରିଛନ୍ତି । ସେପଟେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଲୋକସଭାରେ ୧୯୮୩ ଚୁକ୍ତି କଥାକୁ ଦୋହାରାଇଛନ୍ତି । ସେ ଭୂଲ ତଥ୍ୟ ଦେଇଛନ୍ତି ବୋଲି ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯାଇ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଗତ କରାଯିବ । ମହାନଦୀ ପ୍ରସଙ୍ଗରେ ଏହି ଦୁଇ ଦଳ ଏବେ ରାଜ୍ୟବାସୀଙ୍କ ସହ ଛଳନା କରୁଥିବା ସାଧାରଣରେ ଆଲେଚନା ହେଉଛି ।