BJD-1

ଅପପ୍ରଚାର ପ୍ରତିବାଦ: ବିଧାୟକ ସମର୍ଥକଙ୍କ ତାଳଚେର ବନ୍ଦ

42

ତାଳଚେର (ଆ.ପ୍ର):ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନାମରେ ମିଥ୍ୟା ଅପପ୍ରଚାର ଏବଂ ଷଡ଼ଯନ୍ତ୍ରକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବୀରେ ଶନିବାର ଦିନ ବିଧାୟକ ସମର୍ଥକଙ୍କ ଡାକରାରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ପାଳନ କରାଯାଇଥିଲା । ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନାମରେ ଗତ ୨୧ତାରିଖରେ କାଷ୍ଟିଂ କାଉଚ ସମ୍ପର୍କିତ ପ୍ରଚାରପତ୍ର କାନ୍ଥବାଡ଼ରେ ମରାଯାଇଥିଲା । ଏହାକୁ ନେଇ ତାଳଚେର ସମେତ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି । ବିଧାୟକଙ୍କ ସମର୍ଥକମାନେ ଗତକାଲି ସନ୍ଧ୍ୟାରେ ସଦର ଥାନା ଘେରାଉ କରିବା ପରେ ରାତାରାତି ତାଳଚେର ବନ୍ଦ ଆନେ୍ଦାଳନ କରିବାକୁ ନିଷ୍ପତି ନେଇଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶନିବାର ସକାଳୁ ବନ୍ଦ ସମର୍ଥକମାନେ ରାସ୍ତାଘାଟ ବନ୍ଦ କରିଥିଲେ । ବିଧାୟକଙ୍କ ସମର୍ଥକମାନେ ତାଳଚେରବାସୀ ଲେଖାଥିବା ବ୍ୟାନରରେ ୧୪୯ ନଂ ଜାତୀୟ ରାଜପଥ ସମେତ ତାଳଚେରର ବିଭିନ୍ନ ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ତାଳଚେର କୋର୍ଟ ପରିସରରେ ଥିବା ଏକ ଦୋକାନରେ ଥିବା ଜିନିଷପତ୍ରକୁ ଫିଙ୍ଗା ଫୋପଡ଼ା କରିଥିବା ଲକ୍ଷ୍ୟ କରାଯାଇଥିଲା । ସେହିପରି ଖଣି ଅଂଚଳରେ ମଧ୍ୟ କୋଇଲା ପରିବହନ ଓ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା । ତାଳଚେର ହାଟତୋଟାସ୍ଥିତ ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କ ସେବା ବନ୍ଦ ରହିଥିବାବେଳେ ତାଳଚେର କଲେଜରେ ଶିକ୍ଷାଦାନ ମଧ୍ୟ ବନ୍ଦ ରହିଥିଲା । ଏମସିଏଲ, ଏନଟିପିସି ଟିଟିପିଏସ ଆଦି ଉଦ୍ୟୋଗ ଆଦି କାର୍ଯ୍ୟାଳୟ ନିକଟରେ ବନ୍ଦ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥଲେ । ଫଳରେ ଦୀର୍ଘ ସମୟ ଧରି ବସସେବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଆଜି ସରାଙ୍ଗ ଆଇ.ଜି.ଆଇ.ଟି କଲେଜରେ ବି.ଟେକ୍ ଏବଂ ଏମ୍.ସି ପାଠ୍ୟକ୍ରମର କାଉନସେଲିଂ ରହିଥିବାବେଳେ ବସ୍ସେବା ଓ ଅନ୍ୟାନ୍ୟ ଗାଡ଼ିମୋଟର ଯାତାୟତ ବନ୍ଦ ହେବା ଯୋଗୁଁ ବହୁ ଛାତ୍ରଛାତ୍ରୀ କାଉନସେଲିଂକୁ ଯୋଗ ଦେବାକୁ ଯାଇପାରିନଥିଲେ । ଏହି ବନ୍ଦ ପାଳନକୁ ନେଇ ତାଳଚେରରେ ବିିଭିନ୍ନ ମହଲରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି ।




Powered by odothemes.com