CM-AT-SECRETARIAT

ପାଠ୍ୟପୁସ୍ତକ ଯୋଗାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

26

ଭୁବନେଶ୍ୱର (ବୁ୍ୟରୋ): ଚଳିତବର୍ଷ ଜୁଲାଇ ୧୫ ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି । ଆଗାମୀ ଶିକ୍ଷାବର୍ଷ ଆରମ୍ଭରୁ ହିଁ ଛାତ୍ରଛାତ୍ରୀମାନେ ଯେପରି ପାଠ୍ୟପୁସ୍ତକ ପାଇପାରିବେ, ସେ ଦିଗରେ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରୁ ଜଣାପଡ଼ିଛି ଯେ ରାଜ୍ୟର ୫୪ ଲକ୍ଷ ୮୧ ହଜାର ୬୫୫ ଜଣ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଆବଶ୍ୟକତା ଭିତ୍ତିରେ ୨ କୋଟି ୮୬ ଲକ୍ଷ ୭୯ ହଜାର ୧୭୭ଟି ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି । ସେହିପରି ରାଜ୍ୟର ୧୭ଟି ଜିଲ୍ଲାରେ ୨୧ଟି ଆଦିବାସୀ ଭାଷାରେ ୨୫୦୦ ସ୍କୁଲରେ ୧ ଲକ୍ଷ ୨୨ ହଜାର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଛି । ଆଦିବାସୀମାନଙ୍କୁ ସେମାନଙ୍କ ମାତୃଭାଷାରେ ପାଠ ପଢ଼ିବା ପାଇଁ ସୁଯୋଗ ଦେବାରେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ । ଏତଦ୍ବ୍ୟତୀତ ଝାଡ଼ଖଣ୍ଡ, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଗୁଜୁରାଟ, ମହାରାଷ୍ଟ୍ର ଓ କୋଲକାତାରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ନିମନ୍ତେ ୯୯ ହଜାର ୫୭୪ଟି ଓଡ଼ିଆ ପୁସ୍ତକ ଯୋଗାଇ ଦିଆଯାଇଛି । ଦୃଷ୍ଟିବାଧିତ ପିଲାମାନଙ୍କ ପାଇଁ ମଧ୍ୟ ବ୍ରେଲି ଭାଷାରେ ୨୬୧୧ଟି ପୁସ୍ତକ ଯୋଗାଇ ଦିଆଯାଇଥିବାବେଳେ ଚଳିତବର୍ଷଠାରୁ ଯୁକ୍ତ ଦୁଇ ସ୍ତରରେ ସିବିଏସ୍ଇ ଢାଞ୍ଚାରେ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ବିଭିନ୍ନ ବିଷୟରେ ସିବିଏସ୍ଇ ଢାଞ୍ଚାରେ ବିଭିନ୍ନ ବିଷୟରେ ୩ ଲକ୍ଷ ୫୫ ହଜାର ୯୭୬ଟି ପାଠ୍ୟପୁସ୍ତକ ପ୍ରଦାନ କରାଯାଇଛି । ବାଣିଜ୍ୟ, ଭୂଗୋଳ, ସଂସ୍କୃତ, ଓଡ଼ିଆ, ଅଲଟର୍ନେଟିଭ୍ ଇଂରାଜୀ ଆଦି ବିଷୟରେ ପାଠ୍ୟପୁସ୍ତକ ଆଗାମୀ ଏକ ସପ୍ତାହ ମଧ୍ୟରେ ଯୋଗାଇ ଦିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।
ଏହି ବୈଠକରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ପ୍ରଦୀପ ପାଣିଗ୍ରାହୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com