bant-4

ଗାଡ଼ି ପୋଡ଼ିଲେ, ଅତିରିକ୍ତ ତହସିଲଦାରଙ୍କୁ ପିଟିଲେ

50

ବନ୍ତ,(ଆପ୍ର): ସ୍ଥାନୀୟ ସିନେମା ହଲ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବନ୍ତ କଲେଜର ଜଣେ ଛାତ୍ରୀଙ୍କ ମୃତୁ୍ୟକୁ କେନ୍ଦ୍ର କରି ଏଠାରେ ଲଙ୍କା କାଣ୍ଡ ଘଟିଛି । ଉତ୍ତ୍ୟକ୍ତ ଜନତା ଦୁର୍ଘଟଣା ଘଟାଇଥିବା ହାଇୱା ସମେତ ଦୁଇଟି ଗାଡ଼ି ଜାଳି ଦେଇଛନ୍ତି । ନିଆଁ ଲିଭାଇବାକୁ ଆସିଥିବା ଏକ ଦମକଳ ଗାଡ଼ି ଏବଂ ତହସିଲରେ ପଶି ଭଙ୍ଗାରୁଜା କରିବା ସହିତ ଜଣେ ଅତିରିକ୍ତ ତହସିଲଦାରଙ୍କ ଉପରେ ଉତ୍ତ୍ୟକ୍ତ ଜନତାଙ୍କ ରାଗ ଶୁଝାଇଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୦ଟା ୧୫ରେ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ +୩ ଶେଷ ବର୍ଷର କଳା ଛାତ୍ରୀ ତଥା ଟିଲୋ କୁଶବେଣୀ ଗ୍ରାମର କୈଳାସ ପାତ୍ରଙ୍କ ଝିଅ ପ୍ରିୟଙ୍କା ପାତ୍ର(୨୦) କମ୍ପୁ୍ୟଟର କ୍ଲାସ ସାରି ସାଇକେଲରେ ଘରକୁ ଫେରୁଥିବା ସମୟରେ ସିନେମା ହଲ ଛକ ନିକଟରେ ଏକ ବାଲି ବୋଝେଇ ହାଇୱା (ଓଡି-୨୨ବି-୧୧୩୩) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ପ୍ରିୟଙ୍କାଙ୍କର ମୃତୁ୍ୟ ହୋଇଥିଲା । ଖବର ପାଇ ଶହଶହ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣାସ୍ଥଳରେ ସମବେତ ହୋଇ ଦୁର୍ଘଟଣା ଘଟାଇଥିବା ହାଇୱା ଏବଂ ନିକଟରେ ଥିବା ଆଉ ଏକ ହାଇୱାରେ ନିଆଁ ଲଗାଇ ଦେଇଥିଲେ । ଏଥିସହ ଆଗରପଡ଼ାରୁ ନିଆଁ ଲିଭାଇବା ପାଇଁ ଆସିଥିବା ଦମକଳକୁ ଭଙ୍ଗାରୁଜା କରିଥିଲେ । ଶହ ଶହ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକେ ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥର ବନ୍ତ ଥାନାଛକ ଠାରେ ଶବ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଖବର ପାଇ ଫୋର୍ସ ସହିତ ଭଦ୍ରକ ଏସ୍ଡିପିଓ, ବନ୍ତ ପୁଲିସ ପହଞ୍ଚô ରାସ୍ତାରୋକ ହଟାଇବା ପାଇଁ ଉଦ୍ୟମ କରିବା ବେଳେ ଜନତାଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ଏତିକିରେ ଜନତା ଶାନ୍ତ ପଡ଼ି ନଥିଲେ । ସେମାନେ ତହସିଲ ଅଫିସରେ ପଶି ଭଙ୍ଗାରୁଜା କରିବା ସଙ୍ଗେସଙ୍ଗେ ଅତିରିକ୍ତ ତହସିଲଦାର ବସନ୍ତ କୁମାର ଲେଙ୍କାଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ସେ ବାଲିବୋଝେଇ ଟ୍ରକ୍ଗୁଡ଼ିକଠାରୁ ଉତ୍କୋଚ ନେଇ ଦିନବେଳା ବନ୍ତର ଜନଗହଳି ଅଞନଚଳରେ ଚଳାଚଳା କରିବାକୁ ସୁଯୋଗ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଦୁର୍ଘଟଣା ପରେ ଦୋକାନ ବଜାର, ବ୍ୟାଙ୍କ, ଡାକଘର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ହୋଇଯାଇଥିଲା । ରାସ୍ତା ରୋକ ଯୋଗୁ ଶତାଧିକ ଯାନବାହନ ଉଭୟ ପାଶ୍ୱର୍ରେ ଅଟକି ରହିଥିଲା ଏବଂ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅପରାହ୍ନ ପ୍ରାୟ ୩ଟାରେ ଭଦ୍ରକ ଉପ ଜିଲ୍ଲାପାଳ ନରୋତ୍ତମ ବେହେରା, ଏସଡିପିଓ ସୁଧାକର ଜେନା, ଅତିରିକ୍ତ ଏସ୍ପି ଏକେ ମହାନ୍ତି, ତହସିଲଦାର ମହେଶ ଚୋ÷ଧୁରୀ, ବିଡିଓ ପୂର୍ଣ୍ଣ ଜେନା ପ୍ରମୁଖ ଘଟଣାସ୍ଥଳକୁ ଯାଇ ଆନେ୍ଦାଳନକାରୀଙ୍କ ସଙ୍ଗେ ଆଲୋଚନା କରିଥିଲେ । ମୃତକଙ୍କ ପରିବାରକୁ ରେଡକ୍ରସ୍ରୁ ୨୦ ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା, ଇନସ୍ୟୁରାନ୍ସ କମ୍ପାନୀ ଓ ରାଜପଥ ପ୍ରାଧିକରଣ ଦେୟ ମିଳିବା ଦିଗରେ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା । ଏଥି ସହିତ ସକାଳ ୮ରୁ ରାତି ୮ ପର୍ଯ୍ୟନ୍ତ ଉକ୍ତ ରାସ୍ତାରେ ଭାରୀଯାନ ଚଳାଚଳ ବନ୍ଦ ରଖିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆ ଯାଇଥିଲା । ବନ୍ତ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ପଠାଇ ଘଟଣାର ତଦନ୍ତ ଚଳାଇଛି ।

ସେଆର କରନ୍ତୁ:



Powered by odothemes.com