bala

ଅଧରପଣା

51

ପୁରୀ,୧୬ା୭(ବୁ୍ୟରୋ): ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା ତିନିଗୋଟି ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପବିତ୍ର ଅଧରପଣା ନୀତି ଅନୁଷ୍ଠିତ ହୋଇଛି । ମହାପ୍ରଭୁଙ୍କର ରଥଯାତ୍ରାକାଳିନ ଏହି ପାରମ୍ପରିକ ନୀତି ଦର୍ଶନ କରିବା ପାଇଁ ରଥଗୁଡ଼ିକ ନିକଟରେ ହଜାର ହଜାର ଭକ୍ତ ସମବେତ ହୋଇଥିଲେ । ଏଠାରେ ସୂଚନଯୋଗ୍ୟ ଯେ, ପୂର୍ବରୁ ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପି ଅନୁସାରେ ମହାପ୍ରଭୁଙ୍କର ଅଧରପଣା ଭୋଗ ନୀତି ବାହୁଡ଼ା ଦଶମୀ ତିଥିଠାରୁ ଆରମ୍ଭ ହେଉଥିଲା । ଏହି ନୀତି ଆଷାଢ଼ ଶୁକ୍ଳ ତ୍ରୟୋଦଶୀ ତିଥି ପର୍ଯ୍ୟନ୍ତ ଚାଲୁ ରହୁଥିଲା । ତେବେ ଦୀର୍ଘ ବର୍ଷଧରି ଏହି ଅଧରପଣା ନୀତି କେବଳ ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ହିଁ ଅନୁଷ୍ଠିତ ହୋଇଆସୁଛି । ରଥାଋଢ଼ ସ୍ୱତନ୍ତ୍ର ନିର୍ମାଣ କୌଶଳରେ ନିର୍ମିତ ହୋଇଥିବା ମାଟିହାଣ୍ଡି ଗୁଡ଼ିକରେ ରଥ ଉପରେ ପଣା ପୂର୍ଣ୍ଣ ହାଣ୍ଡିଗୁଡ଼ିକ ପରମ୍ପରା ଅନୁସାରେ ଭାଙ୍ଗି ଦିଆଯାଏ । ଏହି ଅଧରପଣା ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଥିଲା । ସକାଳୁ ରଥ ତିନିଗୋଟି ଉପରେ ଦିଅଁମାନଙ୍କର ମଙ୍ଗଳ ଆରତୀ, ଅବକାଶ, ଗୋପାଳବଲ୍ଲଭ, ସକାଳ ଧୂପ, ମହାସ୍ନାନ, ସର୍ବାଙ୍ଗ ଓ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା । ପରେ ପରେ ଶ୍ରୀ ଦାରୁଦେବତାମାନଙ୍କର ଅଧରପଣା ସେବା ପାଇଁ ପ୍ରସ୍ତୁତ ପର୍ବ ଆରମ୍ଭ କରାଯାଇଥିଲା । ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପଣା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଦ୍ରବ୍ୟମାନ ଯୋଗାଇ ଦିଆଯାଇଥିଲା । ପଣା ପ୍ରସ୍ତୁତି ପାଇଁ ସିଂହଦ୍ୱାର ଛାଉଣି ମଠ ସମ୍ମୁଖସ୍ଥ ପବିତ୍ର ଜଳ ଯୋଗାଇ ଦିଆଯାଇଥିଲା । ମହାସୁଆର ସେବକମାନେ ସର, ପାଚିଲା କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୂର ଓ ଜାଇଫଳର ସମ୍ମିଶ୍ରଣରେ ଅଧର ହାଣ୍ଡିଗୁଡ଼ିକରେ ପଣା ପ୍ରସ୍ତୁତ କରିଥିଲେ । ଅଧରପଣା ଭୋଗ ହେବା ପୂର୍ବରୁ ଭିତରଚ୍ଛ, ତଳିଛ ଓ ପୁଷ୍ପାଳକ ସେବକମାନେ ଦିଅଁମାନଙ୍କ ଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଚ୍ଛାରେ ଟେରା ବାନ୍ଧିଥିଲେ । ଅଧରପଣା ପ୍ରସ୍ତୁତ ହେବା ପରେ ହାଣ୍ଡିଗୁଡ଼ିକ ଉପରେ ଧଳା କରିଆ ଗାମୁଛା ପକାଯାଇଥିଲା । ପତ୍ରବଡୁ, ସୁଆରବଡୁ ଓ ଗରାବଡୁ ପାଳିଆ ସେବକମାନେ ରଥ ଉପରେ ଅଧରପଣା ପୂଜା-ଠା ପ୍ରସ୍ତୁତ କରିଥିଲେ । ପାଳିଆ ପୂଜାପଣ୍ଡାମାନେ ପଞ୍ଚ ଉପଚାରରେ ଅଧରପଣାର ଭୋଗ ନୀତି ସମ୍ପୂର୍ଣ୍ଣ କରିଥିଲେ । ଶ୍ରୀବିଗ୍ରହମାନଙ୍କୁ ଭୋଗ କରାଯାଇଥିବା ଅଧରପଣା ହାଣ୍ଡିଗୁଡ଼ିକ ରଥଗୁଡ଼ିକ ଉପରେ ଭାଙ୍ଗି ଦିଆଯାଇଥିଲା । ରଥ ଉପରେ ଅଧରପଣା ଭୋଗ କରାଯାଇ ପଣା ହାଣ୍ଡିଗୁଡ଼ିକ ଭାଙ୍ଗିଦିଆଯିବା ସଂକ୍ରାନ୍ତରେ ଏକ ସୁନ୍ଦର ଜନଶ୍ରୁତି ରହିଛି । ରଥମାନଙ୍କର ପାଶ୍ୱର୍ଦେବାଦେବୀ ଓ ଅନ୍ୟ ଠାକୁରାଣୀ, ଚଣ୍ଡି ଚାମୁଣ୍ଡାଙ୍କ ଉଦେ୍ଦଶ୍ୟରେ ଏହି ଅଧରପଣା ପ୍ରସ୍ତୁତ କରାଯାଇ ରଥ ଉପରେ ହିଁ ଭାଙ୍ଗି ଦିଆଯାଏ । ରଥ ଉପରେ ଅଶରିରୀ ରୂପରେ ରହିଥିବା ଠାକୁର, ଠାକୁରାଣୀ, ଚଣ୍ଡି-ଚାମୁଣ୍ଡାଙ୍କ ଉଦେ୍ଦଶ୍ୟରେ ମହାପ୍ରଭୁଙ୍କୁ ଭୋଗ ଲାଗି ମହାପ୍ରସାଦରେ ପରିଣତ ହୋଇଥିବା ପଣା ଉତ୍ସର୍ଗ କରାଯିବା ପରେ ସେମାନେ ତୃପ୍ତ ହୋଇଥାଆନ୍ତି ବୋଲି ପ୍ରବାଦ ରହିଛି । ଅଧରପଣା ହାଣ୍ଡି ଭଙ୍ଗାଯିବା ପରେ ପଣା ମହାପ୍ରସାଦ ଟୋପାଏ ପାଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିବାର ଲକ୍ଷ୍ୟ କରାଯାଇଥିଲା । ଆଜି ତିନିରଥରେ ଅଧରପଣା ହାଣ୍ଡି ଭଙ୍ଗାଯିବା ନୀତି ଶେଷ ହେବା ପରେ ଆସନ୍ତାକାଲି ରବିବାର ଦିନ ଶ୍ରୀକ୍ଷେତ୍ରରେ ନିଳାଦ୍ରୀ ବିଜେ ହେବ । ଏହି ମହୋତ୍ସବ ଅବସରରେ ରଥାଋଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡି କରାଯାଇ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ବିଜେ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com