16-7-2016=1

ପଛୁଆ ଅଞ୍ଚଳ ବିକାଶରେ କେନ୍ଦ୍ର ବାଧକ

45

୧୦ ବର୍ଷ ପରେ ବସିଲା ଆନ୍ତଃରାଜ୍ୟ ପରିଷଦ ବୈଠକ
ନୂଆଦିଲ୍ଲୀ, ୧୬ା୭(ବୁ୍ୟରୋ): ପଛୁଆ ଅଞ୍ଚଳ ବିକାଶ କାର୍ଯ୍ୟକ୍ରମ ପାଇଁ କେନ୍ଦ୍ରୀୟ ସହାୟତା ବନ୍ଦ କରାଯାଇଥିବାରୁ ତାହା ରାଜ୍ୟର ଦୁର୍ବଳ ଶ୍ରେଣୀ ଓ ବିଶେଷଭାବରେ ପଛୁଆ ଅଞ୍ଚଳର ବିକାଶ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଛି । ବିଶେଷକରି କୋରାପୁଟ, ବଲାଙ୍ଗୀର ଓ କଳାହାଣ୍ଡି (କେବିକେ) ପାଇଁ କାର୍ଯ୍ୟକାରୀ ହେଉଥିବା ସ୍ୱତନ୍ତ୍ର ଯୋଜନା, ପଛୁଆ ଅଞ୍ଚଳ ବିକାଶ ପାଣ୍ଠି (ବିଆର୍ଜିଏଫ୍) ଓ ସମନ୍ୱିତ କାର୍ଯ୍ୟାନ୍ୱୟନ ଯୋଜନା (ଆଇଏପି) ଲାଗି କେନ୍ଦ୍ରୀୟ ସହାୟତା ବନ୍ଦ ହେବା ଫଳରେ ରାଜ୍ୟର ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ପୁନର୍ବାର ଏହି ଯୋଜନାଗୁଡିକୁ କାର୍ଯ୍ୟକାରୀ କରି କେନ୍ଦ୍ରୀୟ ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ୧୧ତମ ଆନ୍ତଃରାଜ୍ୟ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରେଳ ଓ ସଡକ ଯୋଜନା କ୍ଷେତ୍ରରେ ଓଡିଶା ପ୍ରତି ଐତିହାସିକ ଅବହେଳା ପ୍ରଦର୍ଶନ କରାଯାଇଛି । ରେଳବାଇ ବିଭାଗ ପ୍ରକଳ୍ପଗୁଡିକର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନେଉ । ରାଜ୍ୟ ସରକାର ବହୁଦିନ ଧରି ପଡିରହିଥିବା ରେଳ ପ୍ରକଳ୍ପ ଲାଗି ଆର୍ଥôକ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛନ୍ତି । ଓଡିଶା ସଂଘୀୟ ବ୍ୟବସ୍ଥା ପ୍ରତି ଅଙ୍ଗୀକାରବଦ୍ଧ ହୋଇ ସାମାଜିକ, ଅର୍ଥନୈତିକ ଗତିକୁ ତ୍ୱରିତ୍ କରିବା ସହ ବିକାଶ ପ୍ରକ୍ରିୟା ଜାରି ରଖିଛି । ରାଷ୍ଟ୍ର ଗଠନରେ ଓଡିଶା କରୁଥିବା ଏହି ଯୋଗଦାନ ଲାଗି କେନ୍ଦ୍ର ସରକାର ସହଯୋଗର ହାତ ବଢାଇବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଶ୍ରୀ ପଟ୍ଟନାୟକ କହିଲେ ଯେ ସଂଘୀୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ କେନ୍ଦ୍ର-ରାଜ୍ୟ ସମ୍ପର୍କ ନେଇ ପୁନ୍ଚି କମିଶନ କରିଥିବା ସୁପାରିସ ମଧ୍ୟରୁ ବହୁ ସୁପାରିସକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ତେବେ ରାଜ୍ୟର ସ୍ୱାଧୀନତା କ୍ଷୁର୍ଣ୍ଣ ହେଲା ଭଳି କରାଯାଇଥିବା ସୁପାରିସକୁ ବାଦ୍ ଦିଆଯାଇଛି । ରାଜ୍ୟ ସରକାର ପରିଚୟ ପ୍ରମାଣଭାବେ ଆଧାର କାର୍ଡକୁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହିତାଧିକାରୀମାନଙ୍କୁ ରିହାତି ପ୍ରଦାନ ପାଇଁ ଏହାକୁ ବ୍ୟବହାର କରାଯାଉଛି । ତେବେ ରାଜ୍ୟର ବହୁ ଅଞ୍ଚଳରେ ବ୍ୟାଙ୍କ ସେବା ନଥିବା ଓ ଇଣ୍ଟରନେଟ୍ ବ୍ୟବସ୍ଥା ନଥିବାରୁ ଏହାକୁ କାର୍ଯ୍ୟକାରୀ କରିବାରେ ସମସ୍ୟା ସୃଷ୍ଟି ହେଉଛି । ଯେଉଁ ପଞ୍ଚାୟତଗୁଡିକରେ ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଏହି ସେବା ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଯୋଗାଇ ଦେବା ସହ ପ୍ରତି ପଞ୍ଚାୟତକୁ ଇଣ୍ଟରନେଟ୍ ସହ ସଂଯୋଗ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ । ପେନ୍ସନ୍ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର (ଡିବିଟି) ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଆପତ୍ତି ଉଠାଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ୪୪ ଲକ୍ଷ ପେନ୍ସନ୍ଧାରୀ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଦୁର୍ଗମ ଅଞ୍ଚଳରେ ବସବାସ କରନ୍ତି । ସେମାନଙ୍କୁ ପେନ୍ସନ୍ ପ୍ରଦାନ ପାଇଁ ପଞ୍ଚାୟତ ଅଫିସ୍ରେ ଏକ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇଛି । ଯାହା ସମଗ୍ର ଦେଶରେ ଆଦୃତ ହୋଇଛି । ମାତ୍ର ସବୁ ଅଞ୍ଚଳରେ ବ୍ୟାକିଂ ବା ପୋଷ୍ଟ ଅଫିସ୍ ସୁବିଧା ନଥିବାରୁ ଡିବିଟି କାର୍ଯ୍ୟକାରୀ ହେଲେ ପେନ୍ସନ୍ ହିତାଧିକାରୀମାନେ ଅସୁବିଧାର ସମ୍ମୁଖୀନ ହେବେ । ସେମାନଙ୍କ ସାମାଜିକ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯାଉ । ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡିକ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରାଯିବା ଉଚିତ୍ ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସ୍ତରରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଉଜ୍ଜ୍ୱଳା ଓ ଉକ୍ରୃଷ କାର୍ଯ୍ୟକାରୀ କରୁଛନ୍ତି । ଏହାଛଡା ରାଜ୍ୟର ୧୦୦ଟି ବ୍ଲକ୍ରେ ସିବିଏସ୍ଇ ଅନୁମୋଦିତ ୧୦୦ ମଡେଲ୍ ସ୍କୁଲ୍ ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ କରାଯାଇଛି । ତେବେ ଶିକ୍ଷା କ୍ଷେତ୍ରରେ ପଛୁଆ ବ୍ଲକ୍ ପାଇଁ ଆରମ୍ଭ କରାଯାଇଥିବା ମଡେଲ୍ ସ୍କୁଲ୍ ଯୋଜନାକୁ କେନ୍ଦ୍ର ସରକାର ବନ୍ଦ କରିଦେବା ଫଳରେ ରାଜ୍ୟ ରାଜକୋଷ ଉପରେ ଅତିରିକ୍ତ ୧୬୦ କୋଟି ଟଙ୍କାର ବୋଝ ପଡିଛି । ପୁନର୍ବାର ଏହି ଯୋଜନା ଚାଲୁ କରାଯାଉ ।
ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମାଓବାଦୀ କାର୍ଯ୍ୟକଳାପ ହେଉଛି ବଡ ଆହ୍ୱାନ । ରାଜ୍ୟ ସରକାର ନିୟମିତ ବ୍ୟବଧାନରେ ନକ୍ସଲ ଅପରେସନ୍ କରୁଛନ୍ତି । କିନ୍ତୁ ସୀମାପାର୍ ନକ୍ସଲମାନେ ରାଜ୍ୟ ଲାଗି ସମସ୍ୟା ସୃଷ୍ଟି କରୁଛନ୍ତି । କେନ୍ଦ୍ରୀୟ ପୁଲିସ୍ ବଳକୁ ନକ୍ସଲ ଉପଦ୍ରୁତ ସବୁ ରାଜ୍ୟରେ ସମାନ ଭାବରେ ଦିଆଗଲେ ସୀମା ପାର୍ ହୋଇ ଆସୁଥିବା ନକ୍ସଲମାନଙ୍କ ସଂଖ୍ୟା ହ୍ରାସ ପାଇବ । କେନ୍ଦ୍ର ସରକାର ପୂର୍ବ ଭଳି ପୁଲିସ୍ ଆଧୁନିକୀକରଣ ଯୋଜନା କାର୍ଯ୍ୟକାରୀ କରିବାକୁ ସେ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ଗଭୀର ଉଦ୍ବେଗ ପ୍ରକାଶ କରି କହିଛନ୍ତି ଯେ ରାଜ୍ୟର ବହୁ ପ୍ରତିବାଦ ସତ୍ତ୍ୱେ ପୋଲାଭରମ୍ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପଭାବେ ଘୋଷଣା କରାଯାଇଛି । ଏହାଦ୍ୱାରା ବହୁ ସଂଖ୍ୟକ ଆଦିବାସୀ ପରିବାର ସେମାନଙ୍କ ଜୀବନ-ଜୀବୀକା ହରାଇବେ । ଯାହା ରାଜ୍ୟ ସ୍ୱାର୍ଥର ପରିପନ୍ଥୀ ଓ ଆନ୍ତଃରାଜ୍ୟ ପରିଷଦ ବୈଠକର ଲକ୍ଷ୍ୟର ବିରୋଧାଚରଣ କରୁଛି । ପରିଷଦ ଏହି ଆନ୍ତଃରାଜ୍ୟ ସମସ୍ୟାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦୂର କରିବା ପାଇଁ ପଦକ୍ଷେପ ନେଉ । ସେହିଭଳି ଓଡିଶାର ୧୫ ଜିଲ୍ଲାର ଲୋକଙ୍କର ଜୀବନରେଖା ହେଉଛି ମହାନଦୀ । ରାଜ୍ୟ ଜନସଂଖ୍ୟାର ୬୫% ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଏହା ଉପରେ ନିର୍ଭର କରିଥାନ୍ତି । ଓଡିଶାର ଲକ୍ଷାଧିକ ଚାଷୀଙ୍କ ସ୍ୱାର୍ଥ ପାଇଁ ଏହାର ଉପରମୁଣ୍ଡରେ କୌଣସି ପ୍ରକଳ୍ପ ନିର୍ମାଣକୁ ଅନୁମତି ନଦେବା ପାଇଁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।
ଓଡିଶାର ଚାଷୀମାନେ ମୁଖ୍ୟତଃ ଧାନ ଉପରେ ନିର୍ଭରଶୀଳ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୨୫୦୦ ଟଙ୍କା କରାଯାଇ ସେମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ କରାଯାଉ । ଏହାଦ୍ୱାରା ଦାଦନ ସଂଖ୍ୟା ହ୍ରାସ ପାଇବା ସହ ଧାନ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ । ଖଣି ପଦାର୍ଥରେ ଓଡିଶା ସମୃଦ୍ଧ ରାଜ୍ୟ ହୋଇଥିଲେ ହେଁ କୋଇଲା ଖଣିଜକୁ କ୍ରମାଗତଭାବେ ବିଭିନ୍ନ କ୍ଷେତ୍ରରେ କ୍ଷତିଗ୍ରସ୍ତ ହେଉଛନ୍ତି । କୋଇଲାଭିତ୍ତିକ ବିଦୁ୍ୟତ୍ ପ୍ଲାଣ୍ଟ ଓ କୋଇଲା ରୟାଲିଟି ୪ ବର୍ଷ ହେବ ସଂଶୋଧନ ନହେବାରୁ ରାଜ୍ୟ ବହୁ କ୍ଷତି ସହିଛି । କେନ୍ଦ୍ର ସରକାର କ୍ଲିନ୍ ଏନ୍ଭାର୍ମେଣ୍ଟାଲ୍ ସେସ୍ ବାବଦରେ ୪୦୦ ଟଙ୍କା ଟନ୍ ପିଛା ଆଦାୟ କରିଛନ୍ତି । ଯାହା ରାଜ୍ୟ ରୟାଲିଟି ପାଉଥିବାର ୪ ଗୁଣ । କିନ୍ତୁ ଏହି ସେସ୍ରୁ ରାଜ୍ୟକୁ ସିଂହଭାଗ ମିଳିବା ଆବଶ୍ୟକ । ଫଳରେ ପ୍ରଦୂଷଣ, ପରିବହନ ସମସ୍ୟା, ବିସ୍ଥାପିତ ଓ ଅନ୍ୟାନ୍ୟ ସମସ୍ୟାକୁ ସମାଧାନ କରିବାରେ ରାଜ୍ୟ ସକ୍ଷମ ହେବ । ଏହି ସେସ୍ରୁ କୋଇଲାଭିତ୍ତିକ ରାଜ୍ୟଗୁଡିକୁ ୬୦% ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com