indra-dhanu-marcket-re-gulikanda,-avijukta-doctor-biswa-bhusana-pradhan--giraf-(2)

କ୍ଲିନିକ୍ ସମ୍ମୁଖରେ ପରିସ୍ରା କରିବାରୁ ଗୁଳି

37

ଅଭିଯୁକ୍ତ ହୋମିଓପାଥିକ ଡାକ୍ତର ଗିରଫ, ପିସ୍ତଲ ଜବତ
ଭୁବନେଶ୍ୱର,୧୬ା୭(ବୁ୍ୟରୋ): କ୍ଲିନିକ୍ ସମ୍ମୁଖରେ ପରିସ୍ରା କରିବାରୁ ଡାକ୍ତରଙ୍କ ଗୁଳିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକ ହେଲେ ମହେଶ୍ୱର ରାଉତରାୟ । ସମ୍ପୃକ୍ତ ଡାକ୍ତରଙ୍କୁ ନୟାପଲ୍ଲୀ ଥାନା ପୁଲିସ୍ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ୧୫ ରାଉଣ୍ଡ୍ର ୟୁଏସ୍ ମେଡ୍ ଗୋଟିଏ ପିସ୍ତଲ ପୁଲିସ୍ ଜବତ କରିଛି । ଏହି ପିସ୍ତଲ ୨୦୦୪ରୁ ଲାଇସେନ୍ସ ଥିବା ଡାକ୍ତର କହିଛନ୍ତି । ତେବେ ପିସ୍ତଲର ଲାଇସେନ୍ସ ଅଛି କି ନାହିଁ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ସୂର୍ଯ୍ୟମଣୀ ପ୍ରଧାନ ସୂଚନା ଦେଇଛନ୍ତି । ପୁଲିସ୍ ସୂତ୍ରରୁ ପ୍ରକାଶ, ଆହତ ମହେଶ୍ୱର ସେସୁରେ ଚାକିରି କରିଛନ୍ତି । ଶନିବାର ପୂର୍ବାହ୍ନରେ ତାଙ୍କ ସାଙ୍ଗ ଅଶୋକ ମହାରଣାଙ୍କୁ ଚିକିତ୍ସା ପାଇଁ ଇନ୍ଦ୍ରଧନୁ ମାର୍କେଟ ଦୀନବନ୍ଧୁ ମହରଣାଙ୍କ ଆୟୁର୍ବେଦିକ କ୍ଲିନିକ୍କୁ ଆସିଥିଲେ । ଚିକିତ୍ସା ପାଇଁ ଡାକ୍ତରଙ୍କୁ ଅପେକ୍ଷା କରିବା ମଧ୍ୟରେ ମହେଶ୍ୱର ସେହି ନିକଟରେ ଥିବା ହୋମିଓ ପଲ୍ଲି କ୍ଲିନିକ୍ ସମ୍ମୁଖ ଅଳିଆ ଗଦାରେ ପରିସ୍ରା କରିଥିଲେ । ଏହାକୁ ପଲ୍ଲି କ୍ଲିନିକ୍ ଡାକ୍ତର ବିଶ୍ୱଭୂଷଣ ପ୍ରଧାନ ବିରୋଧ କରିଥିଲେ । ଅଳିଆଗଦା ଥିବାରୁ ପରିସ୍ରା କରିଲି ବୋଲି ମହେଶ୍ୱର କହିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ସେଠାରେ ନିକଟ ବ୍ୟବସାୟୀଙ୍କ ଭିଡ ଜମିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ହାତାହାତି ହୋଇଥିଲେ । ଏଥିରେ ଡାକ୍ତର ବିଶ୍ୱ ଭୂଷଣ ଉତ୍କ୍ଷିପ୍ତ ହୋଇ କ୍ଲିନିକ୍ ଭିତରୁ ଦୌଡି ଯାଇଥିଲେ । ତାଙ୍କ ଟେବୁଲ ଡ୍ର’ରେ ଥିବା ପିସ୍ତଲ ଆଣି ମହେଶ୍ୱରଙ୍କ ଗୋଡକୁ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ । ତାଙ୍କ ଗୁଳିରେ ମହେଶ୍ୱର ତଳେ ପଡିଯାଇଥିଲେ । ଖବରପାଇ ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଡାକ୍ତରଙ୍କୁ ଗିରଫ କରିଥିଲା । ସେଠାରେ ମହେଶ୍ୱରଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଅନ୍ୟତ୍ର ସ୍ତାନାନ୍ତର କରାଯାଇଛି । ତାଙ୍କ ଗୋଡ ଆଣ୍ଠୁରେ ଗୁଳି ବାଜିଛି । ଡାକ୍ତରଙ୍କ ଗୁଳିମାଡରେ ମହେଶ୍ୱରଙ୍କ ଆଣ୍ଠୁ ହାଡ ଭାଙ୍ଗିଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ସେହି ନିକଟରେ ଲାଗିଥିବା ସିସିଟିଭିକୁ ପୁଲିସ୍ ଯାଞ୍ଚ କରୁଛି । କେଉଁ ପରିସ୍ଥିତିରେ ଏପରି ଗୁଳିକାଣ୍ଡ ଘଟିଲା ସିସିଟିଭି ଫୁଟେଜ୍ରୁ ଜଣାପଡିବ ବୋଲି ପୁଲିସ୍ କହିଛି ।

ସେଆର କରନ୍ତୁ:



Powered by odothemes.com