ବିଶ୍ୱ ଯୁବ ଦକ୍ଷତା ଦିବସ

SKILLED-ODISHA--(2)

ଭୁବନେଶ୍ୱର, ୧୪ା୭(ବୁ୍ୟରୋ): ଶୁକ୍ରବାର ବିଶ୍ୱ ଯୁବ ଦକ୍ଷତା ଦିବସ ପ୍ରଥମଥର ପାଇଁ ରାଜ୍ୟର ସମସ୍ତ ସରକାରୀ ଆଇଟିଆଇ, ପଲିଟେକ୍ନିକ୍ ଓ ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ରରେ ପାଳନ କରାଯିବ । ଏହି ଉପଲକ୍ଷେ ବିଭାଗୀୟ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ସମସ୍ତ ରାଜ୍ୟବାସୀ ଓ ବୈଷୟିକ ଅନୁଷ୍ଠାନଗୁଡ଼ିକୁ ଅଧିକରୁ ଅଧିକ ଯୁବକଯୁବତୀ ବିଶେଷ କରି ଆଇଟିଆଇ, ପଲିଟେକ୍ନିକ୍ ଓ ଦକ୍ଷତା ତାଲିମ୍ କେନ୍ଦ୍ରରେ ଅଧିକ ସଂଖ୍ୟକ ଝିଅମାନଙ୍କୁ ନାମ ଲେଖାଇବାକୁ ଆହ୍ୱାନ ଦେଇଛନ୍ତି । ଆଗାମୀ ଦିନରେ ଉତ୍ତମ ରୋଜଗାର ସୁଯୋଗ ପାଇବା ପାଇଁ ସେମାନେ ଉପଯୁକ୍ତ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ଦାସବର୍ମା ଆଶାବ୍ୟକ୍ତ କରିଛନ୍ତି । ଏଥିପାଇଁ ବିଭାଗ ପକ୍ଷରୁ ବିସ୍ତୃତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକୁ ଜଣାଇ ଦିଆଯାଇଛି । ରାଜ୍ୟର ବିଭିନ୍ନ ଅନୁଷ୍ଠାନରେ ହେବାକୁଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧିକାରୀମାନେ ଯୋଗଦେବାର ସ୍ଥିର କରାଯାଇଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା ସୂଚନା ଦେଇଛନ୍ତି ।
ଏହି ଦିବସ ପାଳନ ଅବସରରେ ଦିନବ୍ୟାପୀ ବୃକ୍ଷରୋପଣ, ଆନ୍ତଃବୃତ୍ତି ଦକ୍ଷତା ପ୍ରଦର୍ଶନୀ, ଆଦର୍ଶ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ସହ ସେମାନଙ୍କ ଦକ୍ଷତା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ଉଦ୍ୟୋଗୀକରଣ ବିକାଶ ସମ୍ପର୍କିତ କାର୍ଯ୍ୟକ୍ରମ, ଅତିଥିମାନଙ୍କ ସହ ପ୍ରେରଣାଦାୟୀ ଆଦାନପ୍ରଦାନ ଭଳି ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ।
ଅଧିକ ବାଳିକା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ତାଲିମ୍ ପାଇଁ ଆକର୍ଷିତ କରିବା ବିଶ୍ୱ ଯୁବ ଦକ୍ଷତା ବିକାଶ ଦିବସ ପାଳନର ଲକ୍ଷ୍ୟ । ଏଥି ସକାଶେ ପିତାମାତାମାନେ ସେମାନଙ୍କ କନ୍ୟାମାନଙ୍କ ସହ ନିକଟସ୍ଥ ଆଇଟିଆଇ ଓ ପଲିଟେକ୍ନିକ୍ ପରିଦର୍ଶନ କରିବା ନିମନ୍ତେ ନିମନ୍ତ୍ରଣ କରାଯାଇଛି ।
ବିଭିନ୍ନ ସରକାରୀ ଆଇଟିଆଇ, ପଲିଟେକ୍ନିକ୍ର ବିକାଶ ସହିତ ସେଗୁଡ଼ିକ କିଭଳି ଶ୍ରେଷ୍ଠତା ହାସଲ କରିବେ ସେ ନିମନ୍ତେ ଦଶଟି ବିଷୟ ପ୍ରତି ଅଧିକ ଧ୍ୟାନ ପ୍ରମୁଖ ଶାସନ ସଚିବ ଶ୍ରୀ ଗୁପ୍ତା ପରାମର୍ଶ ଦେଇଛନ୍ତି । ବିଶେଷ ଭାବେ ଏହି ଅବସରରେ ଅନୁଷ୍ଠାନର ପରିବେଶକୁ ସ୍ୱଚ୍ଛ ଓ ସବୁଜ ରଖିବା, ଭିତ୍ତିଭୂମି ଓ ଯନ୍ତ୍ରପାତିର ରକ୍ଷଣାବେକ୍ଷଣ, ଭିତ୍ତିଭୂମିର ସର୍ବୋତ୍ତମ ଉପଯୋଗ, ଇଣ୍ଟରନେଟ୍ ଓ ୟୁଟୁ୍ୟବ୍ର ବ୍ୟବହାର, ଭିନ୍ନକ୍ଷମ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ମହିଳାମାନଙ୍କ ଅନ୍ତର୍ଭୁକ୍ତିକରଣ, ଶିଳ୍ପାନୁଷ୍ଠାନଗୁଡ଼ିକରେ ପ୍ରତ୍ୟାକ୍ଷାନୁଭୂତି ଗୁଣାତ୍ମକମାନର କର୍ମସଂସ୍ଥାନ ବ୍ୟବସ୍ଥା, ଆଦର୍ଶ ବ୍ୟକ୍ତିମାନଙ୍କ ସଫଳତାକୁ ଉତ୍ସାହିତ କରିବା, ଅନୁଷ୍ଠାନମାନଙ୍କ ମଧ୍ୟରେ ଯୋଗାଯୋଗ, ନେଟ୍ୱାର୍କିଂ ଓ ତଥ୍ୟ ଆଦାନପ୍ରଦାନ, ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ସମୀକ୍ଷା, ମନିଟରିଂ ଓ ମାନଯୁକ୍ତ କରିବା ଉପରେ ଜନଚେତନା ସୃଷ୍ଟି କରାଯିବ ।
ଏହି କ୍ରମରେ ମନ୍ତ୍ରୀ ଶ୍ରୀ ଦାସବର୍ମା ୧୫ ତାରିଖ ଦିନ କଟକରେ ବିଶ୍ୱ ଯୁବ ଦକ୍ଷତା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଗୁପ୍ତା କୋରାପୁଟ ଓ ରାୟଗଡ଼ାଠାରେ, ନିୟୋଜନ ନିଦେ୍ର୍ଦଶକ ଜି. ରାଜେଶ କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାରେ, ବୈଷୟିକ ଶିକ୍ଷା ଓ ତାଲିମ୍ ନିଦେ୍ର୍ଦଶକ ବଲୱନ୍ତ ସିଂ ମାଲକାନାଗିରି ଓ ନବରଙ୍ଗପୁରଠାରେ ଏହି ବିଶ୍ୱ ଯୁବ ଦକ୍ଷତା ଦିବସ ଉପଲକ୍ଷେ ଆୟୋଜନ କାର୍ଯ୍ୟକ୍ରମରେ ଯୋଗଦେବେ ।