ଆଜି ବାହୁଡ଼ିବେ ତିନି ଠାକୁର

ସନ୍ଧ୍ୟା ଦର୍ଶନ କଲେ ସାଢ଼େ ୩ ଲକ୍ଷ ଶ୍ରଦ୍ଧାଳୁ
ପୁରୀ, ୧୩ା୭(ବୁ୍ୟରୋ): ଆଜି ଭକ୍ତମାନେ ଆଡପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ସନ୍ଧ୍ୟା ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗୁଣ୍ଡିଚାଘରର ସିଂହଦ୍ୱାର ଖୋଲାଯାଇଥିଲା । ଚଳିତ ରଥଯାତ୍ରାରେ ଶ୍ରୀଜିଉଙ୍କର ଆଜି ଶେଷ ଆଡପମଣ୍ଡପ ଦର୍ଶନ ହୋଇଥିବାରୁ ପୁରୀରେ ଲକ୍ଷାଧିକ ଭକ୍ତଙ୍କର ଭିଡ ହୋଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆଜି ପ୍ରାୟ ସାଢେ ୩ ଲକ୍ଷ ଭକ୍ତ ଶ୍ରୀଜିଉଙ୍କର ଦର୍ଶନ କରିଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ଆସନ୍ତାକାଲି ମହାପ୍ରଭୁଙ୍କର ବାହୁଡା ଯାତ୍ରା ଅନୁଷ୍ଠିତ ହେବ । ବାହୁଡା ଯାତ୍ରାର ଶୃଙ୍ଖଳିତ ପରିଚାଳନା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ପ୍ରାତଃ ୪ଟାରେ ମଙ୍ଗଳ ଆରତୀ କରାଯିବ ଓ ସକାଳ ସାଢେ ୬ଟା ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ ଲାଗି କରାଯିବା ସହ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ଖେଚୁଡି ଭୋଗ କରାଯିବ । ସକାଳ ସେଢା ୬ଟାରୁ ସାଢେ ୧୧ଟା ମଧ୍ୟରେ ଶ୍ରୀଜିଉଙ୍କର ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ । ୧୧ଟା ୪୫ରେ ମଙ୍ଗଳାର୍ପଣ କରାଯିବା ପରେ ମହାପ୍ରଭୁଙ୍କର ଧାଡିପହଣ୍ଡି ବିଜେ ଅନୁଷ୍ଠିତ ହେବ । ଅପରାହ୍ଣ ସାଢେ ୨ଟା ସୁଦ୍ଧା ତିନି ଠାକୁର ଧାଡିପହଣ୍ଡିରେ ତିନି ରଥରେ ବିରାଜମାନ କରିବେ । ଅପରାହ୍ଣ ୩ଟା ସୁଦ୍ଧା ଶ୍ରୀଜିଉମାନଙ୍କର ବେଶ ଶେଷ କରାଯିବା ପରେ ସାଢେ ୩ଟାରେ ଗଜପତି ମହାରାଜ ତିନି ରଥରେ ଛେରାପହଁରା କରିବେ । ୪ଟା ସୁଦ୍ଧା ରଥରୁ ଚାରମାଳ ଫିଟାଯିବା ସହ ଘୋଡା ଯୋଚା ଯିବ ଏବଂ ୪ଟାରେ ବଡଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣାଯିବ । ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ବାହୁଡିବା ବାଟରେ ତିନିଠାକୁରଙ୍କୁ ମାଉସୀ ମା’ ମନ୍ଦିରରେ ପାରମ୍ପରିକଭାବେ ପୋଡପିଠା ଭୋଗ ଅର୍ପଣ କରାଯିବ । ସେହିପରି ଗଜପତି ମହାରାଜଙ୍କ ଉଆସ ସମ୍ମୁଖରେ ନନ୍ଦିଘୋଷ ରଥ ଅଟକିବା ପରେ ଗଜପତି ମହାରାଜ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ଅନୁଷ୍ଠିତ କରାଇବେ । ଆସନ୍ତାକାଲି ସୂର୍ଯ୍ୟାସ୍ତ ସୁଦ୍ଧା ତିନି ରଥକୁ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚାଇବା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।