dengu

ଡେଙ୍ଗୁ: ନଜରରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ

27

ଭୁବନେଶ୍ୱର, ୧୩ା୭(ତଥ୍ୟ): ରାଜ୍ୟରେ ଡେଙ୍ଗୁ ରୋଗ ବ୍ୟାପୁଥିବା ବେଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରୁ ରାଜଧାନୀକୁ ଡେଙ୍ଗୁ ବ୍ୟାପିପାରେ ବୋଲି କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି । କେନ୍ଦୁଝର ଓ କଟକ ସ୍ଥିତିକୁ ଦେଖିବା ପରେ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣରେ ଥିବା ଅଧିକାରୀମାନେ ଏଭଳି ମତ ଦେଉଛନ୍ତି । ସରକାରୀ ହିସାବରେ ଗତକାଲି ସୁଦ୍ଧା କେନ୍ଦୁଝରରେ ରାଜ୍ୟର ସର୍ବାଧିକ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିଲେ । ପରୀକ୍ଷା ହୋଇଥିବା ୧୫୨୩ ନମୁନାରୁ ୫୪୧ଟି ଡେଙ୍ଗୁ ଭୂତାଣୁ ଥିବା ଜଣାପଡ଼ିଥିଲା । ଏହା ପଛକୁ ଦ୍ୱିତୀୟ ସର୍ବାଧିକ ୧୧୩ ଡେଙ୍ଗୁ ରୋଗୀଙ୍କୁ କଟକରେ ଠାବ କରାଯାଇଛି । ୬୦୨ ରକ୍ତ ନମୁନା ପରୀକ୍ଷାରୁ ଏହି ରିପୋର୍ଟ ପଦାକୁ ଆସିଛି । ଡେଙ୍ଗୁ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀମାନେ କହିଛନ୍ତି ଯେ କେନ୍ଦୁଝର ଜିଲ୍ଲାରେ ଚିହ୍ନଟ ହୋଇଥିବା ଡେଙ୍ଗୁମାନଙ୍କ ମଧ୍ୟରୁ ୯୦ ପ୍ରତିଶତରୁ ଅଧିକ ରହିଛନ୍ତି ବଡ଼ବିଲ ଶିଳ୍ପାଞ୍ଚଳରେ । ଏଠାରେ କଳ କାରଖାନାର ପରିତ୍ୟକ୍ତ ସାମଗ୍ରୀରେ ପାଣି ଜମି ରହିବା ଫଳରେ ସେଠାରେ ଡେଙ୍ଗୁର ବାହକ ଏଡିିସ୍‌ ମଶା ସହଜରେ ବଂଶ ବିସ୍ତାର କରିଯାଇଛନ୍ତି । ଅନୁରୂପ ଅବସ୍ଥା କଟକରେ ବି ହୋଇଛି । ଜଗତ୍‌ପୁର ଶିଳ୍ପାଞ୍ଚଳରେ ପରିତ୍ୟକ୍ତ ସାମଗ୍ରୀରେ ଏଡିସ୍‌ ମଶା ବଂଶ ବିସ୍ତାର କରିଥିବା କର୍ତ୍ତୃପକ୍ଷଙ୍କ ନଜରକୁ ଆସିଛି ।
ଉପରୋକ୍ତ ଦୁଇ ଶିଳ୍ପାଞ୍ଚଳ ନିକଟରେ ଅଧିକ ଡେଙ୍ଗୀ ରୋଗୀ ଚିହ୍ନଟ ହେଉଥିବା ବେଳେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏହା ବ୍ୟାପିବାର ସମ୍ଭାବନା ଅଧିକ ଥିବା ବିଶେଷଜ୍ଞମାନେ କହୁଛନ୍ତି । ଏହି ଶିଳ୍ପାଞ୍ଚଳରେ ଏବେ ସଂଖ୍ୟାଧିକ କଳ କାରଖାନା ଅଚଳ ହୋଇ ପଡ଼ିଥିବାରୁ ସେଠାରେ ବିଭିନ୍ନ ସାମଗ୍ରୀ ଏଣେତେଣେ ଗଦା ହୋଇ ରହିଛି । ସେହିସବୁ ସାମଗ୍ରୀରେ ବର୍ଷାଜଳ ଜମି ଏଡିସ୍‌ ମଶା ଉତ୍ପତ୍ତିର ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ଆଶଙ୍କା ପ୍ରକାଶ ପାଉଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଏଡିସ୍‌ ମଶା ମାଧ୍ୟମରେ ଡେଙ୍ଗୁ ରୋଗ ବ୍ୟାପୁଥିବା ବେଳେ ଏହି ମଶା ସ୍ୱଚ୍ଛ ଜଳରେ ନିଜର ବଂଶ ବିସ୍ତାର କରିଥାନ୍ତି । ବିଶେଷ କରି ପୁରୁଣା ଟାୟାର, ଭଙ୍ଗା ଲୁହା ଓ ଅନ୍ୟାନ୍ୟ ପାତ୍ର, ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଆଦିରେ ଦୀର୍ଘଦିନ ଧରି ସ୍ୱଚ୍ଛ ପାଣି ଜମି ରହିଲେ ସେଠାରେ ଏଡିସ୍‌ ମଶା ବଂଶ ବଢ଼ିବା ସହିତ ଡେଙ୍ଗୁ ରୋଗ ବ୍ୟାପିଥାଏ ।
ବିଶେଷଜ୍ଞମାନଙ୍କ ମତରେ ଡେଙ୍ଗୁ ଜ୍ୱର ଏକ ସାଧାରଣ ଭୂତାଣୁ ଜନିତ ଜ୍ୱର ହୋଇଥିବା ବେଳେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଏହି ହାର ଯଥେଷ୍ଟ କମ୍‌ । ଗତ ମାସ ଶେଷ ସୁଦ୍ଧା କେରଳରେ ସର୍ବାଧିକ ୨୭୫୩ ଡେଙ୍ଗୁରୋଗୀ ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୧୬୬୪, ତାମିଲନାଡ଼ୁ ୯୮୨ ଓ ମହାରାଷ୍ଟ୍ରରେ ୯୭୩ ଜଣ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।
ରାଜ୍ୟ ସରକାର ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଏବେ ସହରାଞ୍ଚଳରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଘୋଷଣା କରିଥିବା ବେଳେ ଶିଳ୍ପାଞ୍ଚଳଗୁଡ଼ିକୁ ପ୍ରଥମେ ଆବର୍ଜନାମୁକ୍ତ କରିବାକୁ ବିଶେଷଜ୍ଞମାନେ ମତ ଦେଉଛନ୍ତି । କାରଣ ଏହିଠାରେ ହିଁ ଡେଙ୍ଗୁ ରୋଗର ବାହକ ଏଡିସ୍‌ ମଶା ସେମାନଙ୍କର କାୟା ବିସ୍ତାର କରିବାରେ ସଫଳ ହୋଇଥାନ୍ତି ।

ସେଆର କରନ୍ତୁ:



Powered by odothemes.com