ନିର୍ଦ୍ଧାରଣ ହେବ ଆଗାମୀ ଦିନର ରାଜନୈତିକ ଏଜେଣ୍ଡା

ଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ
ଭୁବନେଶ୍ୱର, ୯ା୭(ବୁ୍ୟରୋ): ଆସନ୍ତାକାଲି ବିଜୁ ଜନତା ଦଳ(ବିଜେଡି)ର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ବୈଠକ ରାଜନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟକାରିଣୀରେ ବିଜେଡିର ଆଗାମୀ ଦିନର ରାଜନୈତିକ ଏଜେଣ୍ଡା ସହ ଅର୍ଥନୈତିକ, ସାମାଜିକ କ୍ଷେତ୍ର ସମେତ ୬ଟି ପ୍ରସ୍ତାବକୁ ଅନୁମୋଦନ ଦିଆଯିବ ବୋଲି ଜଣାପଡ଼ିଛି । ଏହାଛଡ଼ା ୨୦୧୭ରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଫୋକସ୍ କରାଯାଇ ବୈଠକରେ ଆଲୋଚନା କରାଯାଇ ରଣନୀତି ନିର୍ଦ୍ଧାରଣ ହେବ । ସୂଚନା ଅନୁଯାୟୀ, ବୈଠକରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ କୌଣସି ସାଲିସ୍ କରାଯିବ ନାହିଁ ବୋଲି ମଧ୍ୟ ନିଷ୍ପତ୍ତି ନିଆଯିବ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା ପରେ ରାଜ୍ୟରେ ରାଜନୈତିକ ଦଳଭାବେ ବିଜେଡି ସଫଳତାର ସହ ୧୬ ବର୍ଷ ଧରି ନିରଙ୍କୁଶ କ୍ଷମତାସୀନ ରହିଛି । ଆଗାମୀ ଦିନରେ ଏହି ଧାରାକୁ ବଜାୟ ରଖିବା ଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ । ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ପୂର୍ବଭଳି ଯେପରି ଦଳ ଉପରେ ଅତୁଟ ରହିବ ସେ ଦିଗରେ ଆଲୋଚନା କରାଯିବ । ବିଗତ ଦିନରେ ରାଜ୍ୟ ପ୍ରତି କଂଗ୍ରେସର କ୍ରମାଗତ ଅବିଚାର ଓ ରାଜ୍ୟକୁ ଦୁର୍ଗତି ମଧ୍ୟକୁ ଠେଲି ଦେବା ପ୍ରତିବାଦରେ ଗଠନ ହୋଇଥିବା ଅଣକଂଗ୍ରେସ ପ୍ଲାଟ୍ଫର୍ମ ନାମ ଅତୀତରେ ଭିନ୍ନ ଭିନ୍ନ ଥିଲା । ମାତ୍ର ଏବେ ଏହା ବିଜେଡିକୁ ରୂପାନ୍ତରିତ ହୋଇଛି । କେନ୍ଦ୍ରରେ ଅଣକଂଗ୍ରେସ ସରକାର ଗଠନ ହେଲା ପରେ ରାଜ୍ୟ ପ୍ରତି ହେଉଥିବା ଅବହେଳାର ଅନ୍ତ ହେବ ବୋଲି ବିଜେଡ଼ି ନେତାମାନେ ଭାବିବା ସ୍ୱାଭାବିକ । ମାତ୍ର ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏ ସରକାରର ଦୁଇବର୍ଷ ପୂର୍ତ୍ତି ହେଲା ପରେ ଅବହେଳାର ଧାରା ପୂର୍ବଭଳି ବଳବତ୍ତର ରହିଛି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ହେଉ ବା ବିଜେପି ନେତୃତ୍ୱାଧୀନ ଏନ୍ଡ଼ିଏ ସରକାର ଓଡ଼ିଶା ପ୍ରତି ଉଭୟ ଦଳର ଆଭିମୁଖ୍ୟ ସମାନ । ପୋଲାଭରମ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ୟୁପିଏ ସରକାର ଦେଇଥିଲେ । ଏନଡିଏ ସରକାର ଆଉ ପାଦେ ଆଗେଇ ବଜେଟ୍ରେ ଏଥି ପାଇଁ ଅର୍ଥ ବରାଦ କରିଥିଲେ । ମହାନଦୀ ଏକ ଅନ୍ତଃରାଜ୍ୟ ନଦୀ ହୋଇଥିଲେ ହେଁ ଏବେ ଛତିଶଗଡ଼ର ବିଜେପି ସରକାର ଏହା ଉପରେ ଏକତରଫା ଭାବେ କବ୍ଜା କରିବାକୁ ଚେଷ୍ଟା କରୁଛନ୍ତି । ପୂର୍ବରୁ ବୋର୍ୱେଲ ମାଧ୍ୟମରେ ସେମାନେ ଜଳ ସଂରକ୍ଷଣ କରୁଥିଲେ । ଏବେ ଏକତରଫା ଭାବେ ବ୍ୟାରେଜ୍ ନିର୍ମାଣ କରି ମହାନଦୀର ଜଳପ୍ରବାହକୁ ଅବରୋଧ କରିବାକୁ ଚାହୁଁଛନ୍ତି । ଫଳରେ ବନ୍ୟା ନିୟନ୍ତ୍ରଣ, ବିଦୁ୍ୟତ୍ ଉତ୍ପାଦନ ଓ ଜଳସେଚନ ଭଳି ବହୁମୁଖୀ ଆଭିମୁଖ୍ୟକୁ କରାଯାଇଥିବା ହୀରାକୁଦ ନଦୀବନ୍ଧ ଏବେ ନିଷ୍ପ୍ରଭ ହୋଇ ପଡ଼ିବ । ଏଥିଯୋଗୁ ରାଜ୍ୟର ୧୫ଟି ଜିଲ୍ଲାର ଲୋକ ପ୍ରଭାବିତ ହେବେ । ଏହି ପ୍ରସଙ୍ଗକୁ ମଧ୍ୟ ବୈଠକରେ ଆଲୋଚନା କରାଯାଇ ଏହାକୁ ବିରୋଧ କରିବା ଲାଗି ପ୍ରସ୍ତାବ ଅଣାଯିବ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରତି କେନ୍ଦ୍ରର ଉଦାସୀନତା ଅଭିଯୋଗରେ ମଧ୍ୟ ପ୍ରସ୍ତାବ ଅଣାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ଧାର୍ଯ୍ୟ କରାଯିବ । ଏହାଛଡ଼ା ଖଣି ରୟାଲଟି ସଂଶୋଧନ ହେଉ ନଥିବାରୁ ଓଡ଼ିଶା ଖଣିଜଭିତ୍ତିକ ରାଜ୍ୟ ହେଉଥିଲେ ହେଁ ଏଥିରୁ କମ୍ ଅର୍ଥ ଟିକସ ବାବଦରେ ପାଉଛନ୍ତି । ୨୦୧୯ ପର୍ଯ୍ୟନ୍ତ ଖଣିି ରୟାଲଟି ସଂଶୋଧନ ନକରିବାକୁ କେନ୍ଦ୍ର ନେଇଥିବା ନିଷ୍ପତ୍ତିର ମଧ୍ୟ ଦଳ ପ୍ରତିବାଦ କରିବ । କେନ୍ଦ୍ରୀୟ ଯୋଜନା ବନ୍ଦ ଓ କେତେକ କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ରୀୟ ଅଂଶ ହ୍ରାସ ନିଷ୍ପତ୍ତିର ମଧ୍ୟ ପ୍ରତିବାଦ କରାଯିବ । ଏହାଛଡ଼ା କେନ୍ଦ୍ରର କ୍ରମାଗତ ଅବହେଳା ସତ୍ତ୍ୱେ ବି ରାଜ୍ୟର ବିକାଶ ପାଇଁ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ଗ୍ରହଣ କରିଥିବା ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସେଗୁଡ଼ିକ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହେବ ।
ସଂଘୀୟ ବ୍ୟବସ୍ଥାରେ ଓଡ଼ିଶା ପ୍ରତି ହେଉଥିବା ପାତରଅନ୍ତର ନୀତିକୁ ମଧ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଯୋଜନା କରାଯିବ । ସବୁ ପରେ ବି ବିଜେଡି ଓଡ଼ିଶାବାସୀଙ୍କ ରହିଛି ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ଅହରହ ସଂଗ୍ରାମ କରିବାକୁ ବ୍ରତ ଭାବେ ଗ୍ରହଣ କରିଛି ସେ ବାର୍ତ୍ତା ଦିଆଯିବ । ୨୦୦୦ରୁ ବିଜେଡ଼ି ଯେଭଳି ସବୁ ନିର୍ବାଚନରେ ତା’ର ବିଜୟଧାରା ବଜାୟ ରଖିଛି, ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଭଳି ଏହି ଧାରା ବଳବତ୍ତର ରହିବ ତାହାକୁ ଦୃଷ୍ଟିରେ ରଖି ରଣନୀତି ନିର୍ଦ୍ଧାରଣ କରାଯାଇ ଦଳୀୟ ନେତା ଓ କର୍ମୀଙ୍କୁ ଦଳର ରାଜ୍ୟ ସଭାପତି ଗୁରୁମନ୍ତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି ।