ମହାନଦୀକୁ ନେଇ ଉଦ୍ବେଗ

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ
ଭୁବନେଶ୍ୱର, ୪ା୭(ବୁ୍ୟରୋ): ସଂଘୀୟ ବ୍ୟବସ୍ଥାରେ ଓଡିଶାବାସୀଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣଭାବେ ଉପେକ୍ଷା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାଛଡା କେନ୍ଦ୍ରୀୟ ଜଳ କମିଶନ ସିଡବ୍ଲୁ୍ୟସି ଭଳି କେନ୍ଦ୍ରୀୟ ସଂସ୍ଥା ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁଃଖଦାୟକ । ନୋଡାଲ୍ ଏଜେନ୍ସି ହିସାବରେ ସେମାନେ ନିରପେକ୍ଷ ହେବା ସହ ରାଜ୍ୟର ନଦୀ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଚାଷୀମାନଙ୍କର ସ୍ୱାର୍ଥ୍ୟକୁ ରକ୍ଷା କରିବା ପାଇଁ ସେମାନେ ତପ୍ତରତା ପ୍ରକାଶ କରିବା ଆବଶ୍ୟକ । ମାତ୍ର ତାହା ସେମାନେ କରୁନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଛତିଶଗଡ ସରକାର ମନମୁଖୀ ଓ ଏକତରଫା ଭାବେ ମହାନଦୀର ଜଳକୁ ନିଜେ ବ୍ୟବହାର କରିବାକୁ ଉଦ୍ୟମ କରି ଓଡିଶାର ସ୍ୱାର୍ଥ ପ୍ରତି କୁଠାରଘାତ କରୁଛନ୍ତି । ତୁରନ୍ତ ଜଙ୍ଗଲ ଓ ପରିବେଶ ବିଭାଗ ଏଥିରେ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି । ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ମନମୁଖୀଭାବେ ୭ଟି ବ୍ୟାରେଜ୍ ନିର୍ମାଣ କରିବା ପାଇଁ ନେଇଥିବା ନିଷ୍ପତ୍ତିର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତୀବ୍ର ପ୍ରତିବାଦ କରିଛନ୍ତି । ଏ ସମ୍ପର୍କରେ ସେ ଲେଖିଥିବା ପତ୍ରରେ ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ସହ ତାଙ୍କ ଉଦ୍ବେଗକୁ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ୧୫ଟି ଜିଲ୍ଲାର ଜୀବନରେଖା ହେଉଛି ମହାନଦୀ । ସର୍ବାଧିକ ଜଳସେଚନ ଏହି ନଦୀରୁ କରାଯାଏ । ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର,ସୋନପୁର, ବୌଦ୍ଧ, ଅନୁଗୁଳ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ପୁରୀ, ନୟାଗଡ ଓ ଖୋର୍ଦ୍ଧାର ଚାଷୀମାନେ ସମ୍ପୂର୍ଣ୍ଣଭାବେ ମହାନଦୀ ଉପରେ ନିର୍ଭରଶୀଳ । ରାଜ୍ୟର ମୋଟ୍ ଜନସଂଖ୍ୟାର ୫୦% ଲୋକଙ୍କ ଉପରେ ମହାନଦୀର ପ୍ରତ୍ୟକ୍ଷ ପ୍ରଭାବ ଥିବାବେଳେ ଏହାର ଶାଖା ନଦୀ ପ୍ରାୟ ୬୫% ଲୋକଙ୍କର ଜୀବନଜୀବୀକାକୁ ନିର୍ବାହ କରିବାରେ ସହାୟକ ହୋଇଥାଏ । ଏହାଛଡା ରାଜ୍ୟବାସୀ ମହାନଦୀକୁ ଏକ ପବିତ୍ର ନଦୀଭାବେ ମାନସିକ ସ୍ତରରେ ଗ୍ରହଣ କରିଛନ୍ତି । ମହାନଦୀ ସହିତ ସେମାନଙ୍କର ଭାବାଗତ, ସଂସ୍କୃତିଗତ ଓ ବୌଦ୍ଧିକ ସମ୍ପର୍କ ରହିଛି । ୧୯୪୮ ମସିହାରେ ମହାନଦୀରେ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପଭାବେ ହୀରାକୁଦ ବନ୍ଧ ନିର୍ମାଣ କରାଯାଇଥିଲା ଏବଂ ୧୯୫୭ରେ ଏହା ଆଧୁନିକ ଭାରତର ମନ୍ଦିର ଭାବେ ବିଚାର କରାଯାଉଥିଲା । ଛତିଶଗଡ ସରକାର ଅନୈତିକଭାବେ ସଂକୀର୍ଣ୍ଣ ସ୍ୱାର୍ଥ ରଖି ମହାନଦୀରୁ ସମସ୍ତ ଫାଇଦା ନେବା ପାଇଁ ଉଦ୍ୟମ କରୁଛନ୍ତି । ମହାନଦୀର ଉପରମୁଣ୍ଡ ତଥା ହୀରାକୁଦର ନିକଟବର୍ତ୍ତୀ ସ୍ଥାନରେ ସେମାନେ ୭ଟି ବନ୍ଧ ନିର୍ମାଣ କରୁଛନ୍ତି । ସାରଡି ଓ କଲ୍ମା ହୀରାକୁଦ ନିକଟସ୍ଥ ଉପରମୁଣ୍ଡରେ ନିର୍ମାଣ ହେଉଥିବାବେଳେ ମହାନଦୀ ଓ ସେନାଥର ଶାଖା ନଦୀ ହରପ୍ପାରେ ଖୋଙ୍ଗସରା ପ୍ରକଳ୍ପ, ସାଲ୍କା ପ୍ରକଳ୍ପ ଓ ବିଳାସପୁର ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଛନ୍ତି । ସେହିପରି ଆମ୍ବାଗୁଡା ଡାଇଭର୍ସନ ପ୍ରକଳ୍ପ ସାଲ୍କା ଡାଇଭର୍ସନ ପ୍ରକଳ୍ପ, ଲଚ୍ଛାପୁର ଡାଇଭର୍ସନ ପ୍ରକଳ୍ପ ସମେତ ହରପ୍ପା ଭାଇସାଜହର ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ସେହିଭଳି ପାଇରି-ମହାନଦୀ ନଦୀ ସଂଯୋଗୀକରଣ ଯୋଜନା ଆରମ୍ଭ କରିଛନ୍ତି । ଯାହା ମହାନଦୀରେ ଜଳ ପ୍ରବାହକୁ ପ୍ରଭାବିତ କରିବ ଓ ହୀରାକୁଦ ଜଳଭଣ୍ଡାରକୁ କମ୍ ଜଳ ଆସିବ । ସେହିଭଳି ଛତିଶଗଡ ସରକାର ମଧ୍ୟ କିଓଲୋ ନଦୀରେ ଏକ ଜଳଭଣ୍ଡାର ନିର୍ମାଣ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି, ଯାହା ଓଡିଶାର ସୀମାବର୍ତ୍ତୀ ଅଞ୍ଚଳ । ରାଜ୍ୟବାସୀଙ୍କ ପକ୍ଷରୁ ଏହି ଘଟଣାରେ ପ୍ରଧାନମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହାଛଡା କେନ୍ଦ୍ର ସରକାର ତୁରନ୍ତ ଏ ବାବଦରେ ଛତିଶଗଡ ସରକାରଙ୍କୁ ଏକ ସୂଚନା ଦିଅନ୍ତୁ । ଛତିଶଗଡ ସରକାର ମହାନଦୀରେନିର୍ମାଣ କରୁଥିବା ସମସ୍ତ ବେଆଇନ ପ୍ରକଳ୍ପକୁ ବନ୍ଦ କରିବାକୁ ତୁରନ୍ତ ନିଦେ୍ର୍ଦଶ ଦେବା ସହ ଓଡିଶାର ଲକ୍ଷାଧିକ ଚାଷୀଙ୍କ ସ୍ୱାର୍ଥକୁ ରକ୍ଷା କରାଯାଉ ବୋଲି ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଛନ୍ତି ।