marriage

ଶେଷରେ ପ୍ରେମିକାଙ୍କୁ ବାହାହେଲେ ବିଡିଓ

62

ଫୁଲବାଣୀ,୨୧ା୩(ଆପ୍ର): ମିସ୍‍ କଲ୍‍ରୁ ଯୋଗାଯୋଗ, ତାପରେ ଫେସ୍‍ବୁକ୍‍ରେ ବନ୍ଧୁତା, ପୁଣି ପ୍ରେମ ଓ ଶାରୀରିକ ସମ୍ପର୍କ ରଖିବାପରେ ପ୍ରତାରଣା । ଏଭଳି ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା ଚକାପାଦ ବିଡିଓ ସନତ କୁମାର ନାୟକ ଆଜି ଶେଷରେ ପ୍ରେମିକାଙ୍କୁ ବିବାହ କରିଛନ୍ତି । ଆଜି ପୂର୍ବାହ୍ନ ୧୧ଟା ବେଳେ ସବ୍ରେଜିଷ୍ଟ୍ରୀ ଅଫିସ୍ରେ ଶ୍ରୀ ନାୟକ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବରଣମାଳା ପିନ୍ଧାଇ ପ୍ରେମିକାଙ୍କ ପନôୀଭାବେ ଗ୍ରହଣ କରିଛନ୍ତି । ବିବାହ ପରେ ଉଭୟ ଭୁବନେଶ୍ୱର ଆସି ରାଜ୍ୟ ମହିଳା କମିଶନର୍ଙ୍କୁ ସାକ୍ଷାତ କରି ପିଟିସନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ଆସନ୍ତା ଏକମାସ ମଧ୍ୟରେ ସେମାନଙ୍କ ବିବାହ ପଞ୍ଜିକୃତ ହେବ । ଦୁଇ ଜଣଙ୍କ ମଧ୍ୟରେ ଥିବା ମନୋମାଳିନ୍ୟ ଦୂର ହୋଇଛି ଓ ଦୁହେଁ ପତିପନôୀ ଭାବେ ଏକାଠି ରହିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ବିବାହ ଔପଚାରିକତା ସମାପନ ପରେ ମହିଳା ଜଣକ କହିବା ସହିତ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି ।
ଦୁଇ ଦିନ ତଳେ ଚକାପାଦ ବିଡିଓ ସନତଙ୍କୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ମହିଳା ସହାୟତା କେନ୍ଦ୍ର ନିକଟରେ ଜଣେ ମହିଳା ଅଟକାଇବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ମୟୂରଭଞ୍ଜର ମୋରଡ଼ାରେ ସରକାରୀ କର୍ମଚାରୀ ରୂପେ କାର୍ଯ୍ୟକରୁଥିବା ଜନୈକା ମହିଳା ଅଭିଯୋଗ କରିଥିଲେ ଯେ ଦୀର୍ଘ ବିବାହ ପ୍ରତିଶ୍ରୁତି ଦେଇ ୩ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିବା ପରେ ସନତ୍ ତାଙ୍କୁ ପନôୀ ରୂପେ ସ୍ୱୀକାର କରିବାକୁ ଅମଙ୍ଗ ହେଉଛନ୍ତି । ଏହାପରେ ସନତ୍ ଏକ ପ୍ରକାର ନିଖୋଜ ହୋଇଯାଇଥିବା ବେଳେ ମହିଳାଙ୍କୁ ପୁଲିସ୍ ନିଜ ହିପାଜତରେ ରଖିଥିଲା । କନ୍ଧମାଳ ଏସ୍‍ପି କନୱର ବିଶାଲ ସିଂହ ଜଣେ ମହିଳା ଇନ୍ସପେକ୍ଟରଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦେବା ସହ ରିପୋର୍ଟ ମିଳିବା ପରେ ପୀଡିତାଙ୍କୁ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଯୁବତୀଙ୍କ କହିବା ଅନୁଯାୟୀ ମୋରଡା ବ୍ଲକ୍‍ରେ ସେ କାର୍ଯ୍ୟରତ ଥିବାବେଳେ ଫୋନ୍‍ କଲ୍‍ରେ ସନତ କୁମାର ନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ଏହାପରେ ସୋସିଆଲ୍‍ ନେଟ୍‍ୱର୍କିଂ ସାଇଟ୍‍ ଜରିଆରେ ଉଭୟଙ୍କ ବନ୍ଧୁତା ସୃଷ୍ଟି ହୋଇ ତାହା ପ୍ରେମରେ ରୂପାନ୍ତରିତ ହୋଇଥିଲା । ଦୀର୍ଘ ୩ବର୍ଷ ଧରି ଉଭୟଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଥିବାବେଳେ ଶ୍ରୀ ନାୟକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ତେବେ ସେଠାରୁ ପଳାଇଆସିବା ପରେ ଶ୍ରୀ ନାୟକ ଅନ୍ୟତ୍ର ବିବାହ କରୁଥିବା ଶୁଣି ପ୍ରତାରିତା ଯୁବତୀ ଜଣଙ୍କ ଶ୍ରୀ ନାୟକଙ୍କ ବଲାଙ୍ଗୀର ଜିଲ୍ଲା ଲାଠୋରସ୍ଥିତ ଗାଁକୁ ଆସି ନିଜ ଗୁହାରି ଶୁଣାଇଥିଲେ । ଶ୍ରୀ ନାୟକଙ୍କ ପରିବାରବର୍ଗ ତାଙ୍କୁ କର୍ଣ୍ଣପାତ ନକରିବାରୁ ସେ ବଲାଙ୍ଗୀର ଏସ୍‍ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସେଠାରୁ ନିରାଶ ହେବାପରେ ସେ ଗତକାଲି ଫୁଲବାଣୀ ଆସି ଏସ୍‍ପି କନୁୱର ବିଶାଲ ସିଂହଙ୍କୁ ସାକ୍ଷାତ କରି ନିଜ ଦୁଃଖଦ କାହାଣୀ ବର୍ଣ୍ଣନା କରିଥିଲେ । ଏହାପରେ ଏସ୍‍ପି ମହିଳା ସହାୟିକା କେନ୍ଦ୍ରକୁ ଏ ସମ୍ପର୍କରେ ଜଣାଇ ଚକାପାଦ ବିଡିଓ ଶ୍ରୀ ନାୟକଙ୍କୁ ଡକାଇଥିଲେ । ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ଆଜି ମହିଳା ସହାୟିକା କେନ୍ଦ୍ରର କର୍ମକର୍ତ୍ତାମାନେ ଉଦ୍ୟମ କରିଥିଲେ । ଆଲୋଚନାବେଳେ ବିଡିଓ ଶ୍ରୀ ନାୟକ ୧୦ ଦିନ ସମୟ ମାଗିଥିଲେ । ମାତ୍ର ମୌଖିକ ପ୍ରତିଶ୍ରୁତିରେ ଯୁବତୀ ରାଜି ନହୋଇ ତାଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଚାହିଁବାରୁ ବିଡିଓ ମହିଳା ସହାୟିକା କେନ୍ଦ୍ରରୁ ବାହାରି ପଳାଇ ଆସିଥିଲେ । ବିଡିଓଙ୍କୁ ମହିଳାଙ୍କ ଅଭିଯୋଗ ସମ୍ପର୍କରେ ସାମ୍ବାଦିକମାନେ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରି କହିଥିଲେ, ସେ ଯାହା କହିବେ କୋର୍ଟରେ କହିବେ । ସମ୍ପୃକ୍ତ ଯୁବତୀଙ୍କ ସହ ତାଙ୍କର କୌଣସି ଶାରୀରିକ ସମ୍ପର୍କ ନଥିଲା । ବରଂ ସେ ମିଥ୍ୟା ଅଭିଯୋଗ ଆଣିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି । 




Powered by odothemes.com