hirakud

ଛତିଶଗଡ଼ କବ୍ଜାରେ ମହାନଦୀ

38

ଭୁବନେଶ୍ୱର, ୨ା୭(ବୁ୍ୟରୋ): ଓଡିଶାର ଦାବିକୁ ଉପେକ୍ଷା କରି ଆନ୍ଧ୍ର ସରକାର ଗୋଦାବରୀ ନଦୀ ଉପରେ ପୋଲାଭରମ୍ ପ୍ରକଳ୍ପ ଏକତରଫା ଭାବେ ନିର୍ମାଣ କରୁଛନ୍ତି । ତେବେ ଓଡିଶାର ସର୍ବବୃହତ୍ତ ନଦୀ ତଥା ଉପକୂଳ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀର ପାଣିକୁ ଏବେ ଛତିଶଗଡ କବ୍ଜା କରିବାକୁ ଯାଉଛି । ମହାନଦୀର ଉପରମୁଣ୍ଡରେ ଛତିଶଗଡ ୭ଟି ବ୍ୟାରେଜ୍ ନିର୍ମାଣ କରି ଏହାର ପ୍ରବାହିତ ଜଳକୁ ଅବରୋଧ କରିବ । ଏଥିଲାଗି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ଆଶ୍ଚର୍ଯ୍ୟର ବିଷୟ ନଦୀ ଜଳ ଆବଣ୍ଟନ ଏକ ଆନ୍ତଃରାଜ୍ୟ ବୁଝାମଣାଭିତ୍ତିରେ ସ୍ଥିର କରିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ଛତିଶଗଡ ଏବେ ମନମୁଖୀଭାବେ ଏହି କାର୍ଯ୍ୟ କରୁଛି । ରାଜ୍ୟ ପକ୍ଷରୁ ଏ ବାବଦରେ ଖୁବ୍ଶୀଘ୍ର ପ୍ରତିବାଦ କରାଯିବ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ ଜଣାପଡିଛି । ଛତିଶଗଡର ଜଳସମ୍ପଦ ମନ୍ତ୍ରୀ ବ୍ରିଜ୍ ଅଗ୍ରୱାଲ କହିଛନ୍ତି ଯେ ମହାନଦୀ ଜଳ ଉପରେ ଛତିଶଗଡର ପ୍ରଥମେ ଅଧିକାର ଦିଆଯାଇଛି । ରାଜ୍ୟର ହିତ ଦୃଷ୍ଟିରୁ ମହାନଦୀ ଉପରେ ପ୍ରକଳ୍ପ ନିର୍ମାଣ କରାଯିବ । ଏଥିରେ କାହାର ମତ ନେବା କୌଣସି ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ଅପରପକ୍ଷରେ ଓଡିଶା ପକ୍ଷରୁ ମଧ୍ୟ ଏହାର ପ୍ରତିବାଦ କରାଯାଇ ଛତିଶଗଡ ସରକାରଙ୍କୁ ପତ୍ର ଲେଖାଯାଇଛି । ଖୁବ୍ଶୀଘ୍ର କେନ୍ଦ୍ରୀୟ ଜଳ ଆୟୋଗ (ସିଡବ୍ଲୁ୍ୟସି)ରେ ମଧ୍ୟ ରାଜ୍ୟ ପକ୍ଷରୁ ଅଭିଯୋଗ କରାଯିବ । ଜଳ ସମ୍ପଦ ବିଭାଗ ସ୍ୱତନ୍ତ୍ର ସଚିବ ଏସ୍କେ ପଟ୍ଟନାୟକ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଜେବି ମହାପାତ୍ରଙ୍କୁ ଏ ସମ୍ପର୍କରେ ପତ୍ର ଲେଖି ଜୁଲାଇ ୧୦ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି । ଛତିଶଗଡର ପ୍ରସ୍ତାବିତ ବ୍ୟାରେଜ୍ ଦ୍ୱାରା ଓଡିଶାର କ’ଣ କ୍ଷତି ହେବ ସେ ସମ୍ପର୍କରେ ଉଲ୍ଲେଖ କରିବାକୁ ଦର୍ଶାଯାଇଛି । ଚିଠିରେ ଦର୍ଶାଯାଇଛି ଯେ ଛତିଶଗଡ ସରକାରଙ୍କ ପକ୍ଷରୁ ତାଙ୍କ ରାଜ୍ୟରେ ପ୍ରବାହିତ ହେଉଥିବା ମହାନଦୀ ଅବବାହିକାରେ ଅନେକଗୁଡିଏ କାର୍ଯ୍ୟକ୍ରମ ଚାଲିଛି । ଏହା ଏକ ଅନ୍ତରାଜ୍ୟ ନଦୀ ହୋଇଥିଲେ ମଧ୍ୟ ଏଥିପାଇଁ ସେମାନେ ଓଡିଶାର ସହମତି ନେଇନାହାନ୍ତି । ଛତିଶଗଡ ମହାନଦୀର ଉପମୁଣ୍ଡରେ ଏଭଳି କାର୍ଯ୍ୟ କଲେ ଓଡିଶାକୁ ମହାନଦୀର ଜଳ ପ୍ରବାହ ପରିମାଣ କେତେ ରହିବ ତାହା ଅନୁଧ୍ୟାନ କରିବାକୁ କୁହାଯାଇଛି । ଏହାଦ୍ୱାରା ବନ୍ୟା ନିୟନ୍ତ୍ରଣ ଓ ଜଳ ବିଦୁ୍ୟତ୍ ଉତ୍ପାଦନରେ ପ୍ରଭାବ ପଡିବାର ଆଶଙ୍କା ରହିଛି । ଏ ବାବଦରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ଅନୁଧ୍ୟାନ ଆରମ୍ଭ କରାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଅନ୍ତରାଜ୍ୟ ନଦୀ ଜଳ ବିବାଦ ଆଇନ-୧୯୫୬ ଅନୁଯାୟୀ ନଦୀର ଉପରମୁଣ୍ଡରେ ଥିବା ରାଜ୍ୟ ଯଦି ନଦୀର ପାଣିକୁ ଅଟକାଇବା ପାଇଁ ଚେକ୍ ଡ୍ୟାମ୍ କରନ୍ତି, ତାହେଲେ ନିମ୍ନ ଅବବାହିକାରେ ଥିବା ରାଜ୍ୟଗୁଡିକ କ୍ଷତିଗ୍ରସ୍ତ ହେବେ । ଏହା ଆଇନର ଉଲ୍ଲଂଘନ । ମହାନଦୀରେ ବାର୍ଷିକ ୨୦ ନିୟୁତ କୁ୍ୟବିକ୍ ଫୁଟ୍ ଜଳ ପ୍ରବାହିତ ହୋଇଥାଏ । ଯଦି ଏହାକୁ ଉପରମୁଣ୍ଡରେ ଅବରୋଧ କରାଯାଏ, ତାହା ବହୁ ପରିମାଣରେ ହ୍ରାସ ପାଇବ । ଏହାଦ୍ୱାରା ୧୫.୫ ନିୟୁତ ଏକର ଫୁଟ୍ ଜଳ ଛତିଶଗଡ ସରକାରଙ୍କ ଦ୍ୱାରା ଚୋରି ହୋଇଯିବାର ଆଶଙ୍କା ରହିଛି । ଯାହା ଜଳ ସେଚନ ଓ ଜଳ ବିଦୁ୍ୟତ୍ ଉତ୍ପାଦନରେ ପ୍ରଭାବ ପକାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା ୨୦୧୦ରେ ଉଭୟ ରାଜ୍ୟ ମଧ୍ୟରେ ଜଳ ବୁଝାମଣା ନେଇ ଏକ ଅନୁଧ୍ୟାନ କରିଥିଲେ । ତଦନୁଯାୟୀ ଛତିଶଗଡ ଅନେକ ଡ୍ୟାମ୍ ଓ ବ୍ୟାରେଜ୍ କରି ନଦୀ ଅବବାହିକାରେ ବହୁ କି.ମି. ଅଞ୍ଚଳ ଅବରୋଧ କରିଛି । ଯାହା ଫଳରେ ହୀରାକୁଦକୁ ୩୯.୫ ନିୟୁତ ଏକର ଫୁଟ୍ରୁ ୨୪ ନିୟୁତ ଏକର ଫୁଟ୍ ଜଳ ପ୍ରବାହିତ ହେଉଛି ।

ସେଆର କରନ୍ତୁ:



Powered by odothemes.com