ବିଦୁ୍ୟତ୍‍ କମ୍ପାନି ଲୁଟିଛନ୍ତି ୫ ହଜାର କୋଟି

53

ଭୁବନେଶ୍ୱର,୨୧ା୩(ବୁ୍ୟରୋ): ସର୍ବନିମ୍ନ ଦେୟ ଆଳରେ ଘରୋଇ ବିଦୁ୍ୟତ୍‍ କମ୍ପାନିଗୁଡିକ ରାଜ୍ୟର ୫୬ଲକ୍ଷ ବିଦୁ୍ୟତ୍‍ ଉପଭୋକ୍ତାଙ୍କୁ ଦୀର୍ଘ ୧୨ବର୍ଷ ଧରି ଲୁଟିଛନ୍ତି । ଅଯଥାରେ ମାସିକ ୬୦ ଟଙ୍କା ହିସାବରେ ବିଦୁ୍ୟତ୍‍ କମ୍ପାନିଗୁଡିକ ଲୁଟିଥିବା ୫ ହଜାର କୋଟି ଟଙ୍କା ଉପଭୋକ୍ତାଙ୍କୁ ଫେରାଇ ଦେବା ଲାଗି ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ଆଜି ବିଧାନସଭାରେ ଉଭୟ ଶାସକ ଓ ବିରୋଧୀ ଦଳର ସଭ୍ୟମାନେ ଦୃଢ ଦାବି କରିଛନ୍ତି । ଶୂନ୍ୟକାଳରେ ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ରାଜ୍ୟର ୫୬ ଲକ୍ଷ ବିଦୁ୍ୟତ୍‍ ଉପଭୋକ୍ତାଙ୍କ ମଧ୍ୟରୁ ୬ ଲକ୍ଷଙ୍କୁ ବାଦ୍‍ ଦେଲେ ଅବଶିଷ୍ଟ ୫୦ ଲକ୍ଷ ଗରିବ ଓ ନିମ୍ନ ମଧ୍ୟବିତ୍ତ । ୨୦୦୩ ମସିହାରୁ ବିଦୁ୍ୟତ୍‍ ଆବଣ୍ଟନକାରୀ କମ୍ପାନିମାନେ ବିଦୁ୍ୟତ୍‍ ବିଲ୍‍ ଉପରେ ୬୦ ଟଙ୍କା ଲେଖାଏଁ ସର୍ବନିମ୍ନ ଦେୟ ଅସୁଲ କରିଆସିଛନ୍ତି । ପୂର୍ବରୁ ଏ ବ୍ୟବସ୍ଥା ନଥିଲା । କେନ୍ଦ୍ରୀୟ ବିଦୁ୍ୟତ୍‍ ନିୟାମକ ଆୟୋଗ (ସିଇଆର୍‍ସି) ଗଠନ ପରେ ଏହି ବ୍ୟବସ୍ଥା ଲାଗୁ ହୋଇଛି । ବ୍ୟବହୃତ ବିଦୁ୍ୟତ୍‍ ଠାରୁ ଏହି ଅଯଥା ଦେୟ ଜଣେ ଉପଭୋକ୍ତା କାହିଁକି ପୈଠ କରିବ ବୋଲି ସେ ପ୍ରଶ୍ନ କରିଥିଲେ । ସେ କହିଲେ, ବେଆଇନଭାବେ ବିଦୁ୍ୟତ୍‍ କମ୍ପାନିଗୁଡିକ ଅସୁଲ କରିଥିବା ଏହି ଅର୍ଥ ଉପଭୋକ୍ତା ଫେରିପାଇବା ଉଚିତ । ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଶ୍ରୀ ସ୍ୱାଇଁଙ୍କୁ ସମର୍ଥନ କରି କହିଲେ, ଗରିବ ଲୋକଙ୍କ ଘରକୁ ବିଦୁ୍ୟତ୍‍ ସଂଯୋଗ ଦିଆଯାଇନଥିଲେ ମଧ୍ୟ ସର୍ବନିମ୍ନ ଦେୟ ଆଦାୟ କରାଯାଇଛି । ପୂର୍ବରୁ ଗୃହରେ ବିଦୁ୍ୟତ୍‍ ସଂସ୍କାର ବିଲ୍‍ ପାସ୍‍ ହୋଇଥିଲା । ବିଲ୍‍ ବ୍ୟବସ୍ଥା ଅନୁଯାୟୀ ଟ୍ରାନ୍ସଫର୍ମର ଖରାପ ହେଲେ ଧାର୍ଯ୍ୟ ସମୟ ମଧ୍ୟରେ ନୂଆ ଟ୍ରାନ୍ସଫର୍ମର ଲାଗିବା, ବିଭ୍ରାଟହୀନ ବିଦୁ୍ୟତ୍‍ ଯୋଗାଣ, ଭିତ୍ତିଭୂମି ବିକାଶ ପାଇଁ ଆବଣ୍ଟନକାରୀ କମ୍ପାନି ପୁଞ୍ଜି ବିନିଯୋଗ କରିବା ଆଦି ନିୟମ ଥିଲା । ମାତ୍ର ଏପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରାଯାଇନାହିଁ । ବିପିଏଲ୍‍ ପରିବାରକୁ ବିଦୁ୍ୟତ୍‍ ସଂଯୋଗ ନିମନ୍ତେ ଟଙ୍କା ଆଦାୟ କରାଯାଇଛି । ରିଲାଏନ୍ସ ଲୁଟିବା ପରେ ଏବେ ସରକାରଙ୍କ ଉପରେ ବିଦୁ୍ୟତ୍‍ ବୋଝ ପଡିଛି । ତେବେ ରିଲାଏନ୍ସ ଲୁଟିଥିବା ୫ ହଜାର କୋଟି ଟଙ୍କାକୁ ଅସୁଲ କରାଯାଇ ଉପଭୋକ୍ତାଙ୍କୁ ଫେରାଯାଉ ବୋଲି ସେ ଦାବି କରିଥିଲେ ।




Powered by odothemes.com