ଚଳନ୍ତା ବସ୍ରେ ଯାତ୍ରୀଙ୍କୁ ଲୁଟ୍

37

ଭୁବନେଶ୍ୱର,୨୧ା୩(ବୁ୍ୟରୋ): ଚଳନ୍ତା ବସ୍ରେ ଜଣେ ଯାତ୍ରୀଙ୍କୁ ୫ ଜଣ ଦୁର୍ବୃତ୍ତ ଲୁଟିବାପରେ ଫେରାର ହୋଇଯାଇଛନ୍ତି । ଜାତୀୟ ରାଜପଥର ସିଆର୍ପି ଛକ ନିକଟରେ ପୂର୍ବାହ୍ନ ୧୧.୪୫ ମିନିଟ୍ରେ ଏହି ଘଟଣା ରାଜଧାନୀରେ ଆଲୋଡନର ବିଷୟ ହୋଇଛି । ଏହି ଲୁଟ୍ପାଟ୍ରେ ବସ୍ କର୍ମଚାରୀଙ୍କ ସମ୍ପୃକ୍ତିକୁ ପୁଲିସ୍ ସନ୍ଦେହ କରିଛି । ଲୁଟ୍ର ଶିକାର ହୋଇଥିବା ଯାତ୍ରୀ ବଳରାମ ଷଡଙ୍ଗୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇପାରିନାହିଁ ।
ଘଟଣାରୁ ପ୍ରକାଶ, ଖଣ୍ଡଗିରି ଥାନା ଅଧିନସ୍ଥ ଡୁମୁଡୁମା ଫେଜ୍-୨ରେ ରହୁଥିବା ବଳରାମ ଶ୍ରୀରାମ୍ଜୀ ନାମକ (ଓଆର୍-୦୧ଭି-୧୧୮୭) ବସ୍ରେ ବାଲେଶ୍ୱରରୁ ଭୁବନେଶ୍ୱର ଆସୁଥିଲେ । ଗାଡି ବରମୁଣ୍ଡାରେ ରହିବା କଥା । ସେ ୯ ନମ୍ବର ସିଟ୍ରେ ବସିଥିଲେ । ଗାଡି ସିଆର୍ପି ନିକଟରେ ପହଞ୍ଚିବା ମାତ୍ରେ ବସ୍ ମଧ୍ୟରେ ଥିବା ୫ ଜଣ ଯୁବକ ହଠାତ୍ ତାଙ୍କ ନିକଟରେ ପହଞ୍ଚିଥିଲେ । ବସ୍ ବରମୁଣ୍ଡା ଯିବ ନାହିଁ ସେଠାରେ ଓହ୍ଲାଇ ପଡିବାକୁ ବଳରାମଙ୍କୁ କହିଥିଲେ । ଯୁକ୍ତି କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମାଡ ମାରି ନଗଦ ୮ ହଜାର ଟଙ୍କା ଓ ଗୋଟିଏ ସୁନା କାନଫୁଲ ଲୁଟି ନେଇଥିଲେ । ଫାୟାର୍ଷ୍ଟେସନ୍ ଛକରେ ସେମାନେ ଓହ୍ଲାଇ ପଳାଇଥିଲେ । ଏସବୁ ଘଟଣା ମଧ୍ୟରେ ବଳରାମ ହୋହାଲ୍ଲା କରି ଗାଡି ଅଟକାଇବାକୁ କହିଥିଲେ ମଧ୍ୟ କେହି ଶୁଣି ନଥିଲେ । ବସ୍ ବରମୁଣ୍ଡାରେ ଅଟକିବା ପରେ ବଳରାମ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏଠାରେ ପ୍ରଶ୍ନ ଉଠେ ଯେ ଚଳନ୍ତା ଗାଡିରେ ଏତେ ସବୁ ଘଟଣା ଘଟିଯାଇଥିଲେ ମଧ୍ୟ ବସ୍ କର୍ମଚାରୀ କିଭଳି କିଛି ଜାଣିପାରି ନଥିଲେ ।




Powered by odothemes.com