ବାରାକ୍-୮ ପରୀକ୍ଷଣ ସଫଳ

barak-8

ବାଲେଶ୍ୱର,୩୦ା୬(ଆପ୍ର): ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଏକ ବଡ଼ ସଫଳତା ମିଳିଛି । ଭୂପୃଷ୍ଠରୁ ଆକାଶକୁ ଉତ୍କ୍ଷେପଣ କରାଯାଇ ପାରୁଥିବା ତଥା ନୂଆକରି ବିକଶିତ ବାରାକ୍-୮ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି । ଗୁରୁବାର ସକାଳ ୮ଟା ୧୫ରେ ଚାନ୍ଦିପୁରସ୍ଥିତ ଆଇଟିଆର୍ ୩ ନମ୍ବର ଲଞ୍ଚ୍ ପ୍ୟାଡ୍ରୁ ଦୁଇଥର ଏହାକୁ ପରୀକ୍ଷା କରାଯାଇଥିଲା ଓ ପରୀକ୍ଷା ବେଳେ ଆଇଟିଆର୍, ପ୍ରତିରକ୍ଷା ବିଭାଗର ବରିଷ୍ଠ ଅଧିକାରୀ ଏବଂ ଡିଆର୍ଡିଓ ବୈଜ୍ଞାନିକମାନେ ଉପସ୍ଥିତ ଥିଲେ । ପ୍ରାୟ ୪ମିଟର ଲମ୍ବ, ୨୭୫ କେଜି ଓଜନ ବିଶିଷ୍ଟ ବାରାକ୍-୮ର ଲକ୍ଷ୍ୟଭେଦୀ କ୍ଷମତା ୭୦ କିମି ଓ ଏହା ୬୦କେଜି ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ । ଏତଦ୍ଭିନ୍ନ ଏଥିରେ ବହୁମୁଖୀ ସର୍ବେକ୍ଷଣ ଏବଂ ଆପଦକାଳୀନ ସୂଚନା ପ୍ରଦାନକାରୀ ରାଡାର ରହିଛି । ଇସ୍ରାଏଲ୍ର ସହଯୋଗରେ ଏହାକୁ ବିକଶିତ କରାଯାଇଛି । ପ୍ରଥମ କରି ଭାରତରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଆଗାମୀ ଦିନରେ ଲଗାତର ପରୀକ୍ଷଣ କରାଯିବ ବୋଲି କୁହାଯାଇଛି । ପୂର୍ବରୁ ଇସ୍ରାଏଲ୍ରେ ବାରାକ-୮ର ନାଭାଲ୍ ଭର୍ସନ୍ ପରୀକ୍ଷା କରାଯାଇଥିଲା । ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ପରୀକ୍ଷା ପୂର୍ବରୁ ଗତକାଲିଠାରୁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଆଇଟିଆର୍ ଚତୁଃପାଶ୍ୱର୍ର ୨.୫ କିମି ପରିମିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିଥିଲା ।