daal

ଲାଗୁହେଲା ନୂଆ ଡାଲି ଦର

44

ଭୁବନେଶ୍ୱର,(ବୁ୍ୟରୋ): ବିଳମ୍ବରେ ହେଉ ପଛକେ ବ୍ୟବସାୟୀ ମହାସଂଘର ଆନେ୍ଦାଳନକୁ ସମର୍ଥନ କରି ରାଜ୍ୟ ସରକାର ଡାଲି ଉପରୁ ମୂଲ୍ୟଯୁକ୍ତ କର (ଭାଟ୍) ୫ ପ୍ରତିଶତରୁ ୪ ପ୍ରତିଶତ କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତାକାଲି (ଶୁକ୍ରବାର) ଠାରୁ ସରକାର ଡାଲି ଓ ଡାଲି ଜାତୀୟ ଶସ୍ୟ ଉପରୁ ୧ ପ୍ରତିଶତ ଟିକସ ଆଦାୟ କରିବେ । ସେହିକ୍ରମରେ ଟିକସ ଛାଡ଼ ପରେ ଡାଲିର ମୂଲ୍ୟ ପୂର୍ବାପେକ୍ଷା ପ୍ରାୟ କୁଇଣ୍ଟାଲ୍ ପିଛା ୪୦୦ଟଙ୍କା କମିବ ବୋଲି ସ୍ଥାନୀୟ ଏକ ହୋଟେଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି । ସେ ଆହୁରି କହିଛନ୍ତି, ବିଭିନ୍ନ ସମୟରେ କଳାବଜାରୀ ପାଇଁ ରାଜ୍ୟ ସରକାର ଏହି ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ ଟିକସ ପାଇପାରୁନଥିଲେ । ଶତପ୍ରତିଶତ ଟିକସରୁ ୯୦ଭାଗ କଳାବଜାରୀ ହେଉଥିବା ବେଳେ ସରକାର ମାତ୍ର ୧୦ ଭାଗ ପାଉଥିଲେ । ରାଜ୍ୟରେ ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ୧୦ କିଲୋରୁ ଉଦ୍ଧ୍ୱର୍ ଡାଲିଜାତୀୟ ପଦାର୍ଥର ଆବଶ୍ୟକତା ରହିଛି । ପୂର୍ବରୁ କୁଇଣ୍ଟାଲ ପିଛା ହୋଲ୍ସେଲ୍ ଡାଲି ଦର ୧୨ହଜାର ୮୦୦ଟଙ୍କା ଥିବା ବେଳେ ଟିକସ ଛାଡ଼ ପରେ ଏହି ମୂଲ୍ୟ ୧୨ହଜାର ୩୫୦ରୁ ୧୨ହଜାର ୪୦୦ଟଙ୍କା ରହିବ । ଏହି କ୍ରମରେ ଉପଭୋକ୍ତାମାନେ ଖୁଚୁରା ଦୋକାନରୁ ଡାଲି ଦର କିଲୋ ପିଛା ୧୨୮ ଟଙ୍କାରେ କିଣିପାରିବେ ବୋଲି ସେ କହିଛନ୍ତି । ସେହିପରି ଯଦି କୌଣସି ବ୍ୟବସାୟୀ ଡାଲି ଦର ଚଢା ରେଟ୍ରେ ବିକୁଥିବେ ତେବେ ଖାଉଟି ସମ୍ପୃକ୍ତ ବ୍ୟବସାୟୀଙ୍କ ନିକଟରେ ସଠିକ୍ ଦରରେ ଡାଲି ଦେବା ପାଇଁ ଦାବି କରିବା ସହିତ ସଂଘକୁ ମଧ୍ୟ ଜଣାଇବା ଦରକାର । ଏଥିପାଇଁ ଗ୍ରାହକମାନେ ଜାଗ୍ରତ ହେବା ଆବଶ୍ୟକ । ଏହାସହିତ ଗ୍ରାହକମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ସରକାରଙ୍କ ସମେତ ଗଣମାଧ୍ୟମଗୁଡ଼ିକ ଆଗେଇ ଆସିବା ଉଚିତ । ଯାହାଦ୍ୱାରା ଖାଉଟି ଉଚିତ୍ ଦରରେ ଜିନିଷ ପାଇପାରିବେ । ସାଧାରଣତଃ ତିନିପ୍ରକାର ଡାଲି ମାର୍କେଟ୍ରେ ଉପଲବ୍ଧ ରହିଛି । ସେଗୁଡ଼ିକ ହେଲା, ଫଟ୍କା ଡାଲିି, ଫୋର୍ଡ଼ ଡାଲିି ଓ ସରଟେକ୍ସ ଡାଲି । ଫଟ୍କା ଡାଲି ମୂଲ୍ୟ କିଲୋ ପିଛା ୧୨୮ଟଙ୍କା, ଫୋର୍ଡ଼ ଡାଲି ୧୧୫ ଓ ସରଟେକ୍ସ ୧୩୧ ଟଙ୍କାରେ ମିଳିବ । ଏହି ନିଷ୍ପତ୍ତି ତିନିମାସ ପାଇଁ ପରୀକ୍ଷାମୂଳକ ଭାବେ ଗ୍ରହଣ କରାଯାଇଛି । ଏହା ସଫଳ ହେଉ ଓ ଆଗାମୀ ଦିନରେ ଡାଲିି ଜାତୀୟ ଶସ୍ୟ ଓ ଡାଲିି ଉପରୁ ସମ୍ପର୍ଣ୍ଣ ଟିକସ ଛାଡ଼ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବ୍ରିଜ୍ ମୋହନ୍ ଅଗ୍ରୱାଲ୍ ଓ ଆଇନ୍ ପରାମର୍ଶଦାତା ଶକ୍ତିଶଙ୍କର ମିଶ୍ର ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com