ନିରାପଦ ସମୁଦ୍ରସ୍ନାନ ପାଇଁ ୩୪୧ ଲାଇଫ୍ ଗାର୍ଡ଼: ମନ୍ତ୍ରୀ

47

ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ପର୍ଯ୍ୟଟକ ଆସୁନାହାନ୍ତି: ବିରୋଧୀ
ଭୁବନେଶ୍ୱର, ୨୧ ।୩ (ବୁ୍ୟରୋ): ସରକାର ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବେଶ୍ ସଚେତନ ଅଛନ୍ତି ଏବଂ ସେଥିପାଇଁ ଅନେକ ପଦକ୍ଷେପ ନିଆଯାଇଛି । ୨୦୦୫ରେ ୪୬ ଲକ୍ଷ ୩୨,୯୭୬ ଜଣ ଘରୋଇ ପର୍ଯ୍ୟଟକ ଆସିଥିବାବେଳେ ୨୦୧୪ରେ ଏହି ସଂଖ୍ୟା ୧ କୋଟି ୭ ଲକ୍ଷ ୯୦ ହଜାର ୨୨୨ରେ ପହଞ୍ଚôଛି । ସେହିଭଳି ୨୦୦୫ରେ ୩୩,୩୧୦ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ, ୨୦୧୪ରେ ଏହା ୭୧,୪୨୬ ଜଣ ଆସିଛନ୍ତି । ଏହାଛଡ଼ା ଯାତ୍ରୀମାନଙ୍କ ସମୁଦ୍ରସ୍ନାନ ସମୟରେ ସୁରକ୍ଷା ନିମନ୍ତେ ପୁରୀରେ ୨୬୬ ଜଣ ଏବଂ ଗୋପାଳପୁରରେ ୭୫ ଜଣ ନୋଳିଆ ସଂପ୍ରଦାୟର ବ୍ୟକ୍ତିଙ୍କୁ ଲାଇଫ୍ ଗାର୍ଡ଼ ଭାବରେ ନିୟୋଜିତ କରି ସେମାନଙ୍କୁ ବୀମାଭୁକ୍ତ କରିଛନ୍ତି । ସାତପଡ଼ା, ଚାନ୍ଦିପୁର ଓ କୋଣାର୍କରେ ମଧ୍ୟ ଏ ବ୍ୟବସ୍ଥା କାରଯିବ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ବିଧାନସଭାରେ ପ୍ରକାଶ କରିଛନ୍ତି ।
“ରାଜ୍ୟରେ ପର୍ଯ୍ୟଟନସ୍ଥଳୀ ଓ ପର୍ଯ୍ୟଟକ ଅସୁରକ୍ଷିତ, ରାଜ୍ୟ ସରକାର ଉଦାସୀନ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ସମୟରେ ସତର୍କତା ଅବଲମ୍ବନ ତଥା ଲାଇଫ୍ ଗାର୍ଡ଼ମାନଙ୍କର ସହାୟତା ନେବା ପାଇଁ ବିଭିନ୍ନ ଭାଷାରେ ୩୦ଟି ସୂଚନା ଫଳକ ଲଗାଯିବ । କିଛି ଅଗ୍ରଣୀ ଜନହିତୈଷୀ ଅନୁଷ୍ଠାନ ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ନିମନ୍ତେ ଲାଇଫ୍ ଜ୍ୟାକେଟ୍ ଯୋଗାଇଛନ୍ତି । ବିଭିନ୍ନ ଟିଭି ଚ୍ୟାନେଲ୍ରେ “ଅତିଥି ଦେବୋ ଭବଃ’ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଇ ବିଜ୍ଞାପନ ପ୍ରଦର୍ଶିତ ହେଉଛି । ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଏକ କୋଟି ଟଙ୍କାର “ପର୍ଯ୍ୟଟକ ଜରୁରୀକାଳୀନ ପାଣ୍ଠି’ ବ୍ୟବସ୍ଥା କରାଯାଇଛି । ପୁରୀରୁ କୋଣାର୍କ ଏବଂ ପୁରୀରୁ ସାତପଡ଼ା ରାସ୍ତାର ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପୁଲିସ୍ ପାଟ୍ରୋଲିଂ ବ୍ୟବସ୍ଥା ଫେବୃଆରି ପହିଲାରୁ ଆରମ୍ଭ କରାଯାଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ପୁରୀ ବେଳାଭୂମିରେ ୧୦ ଜଣ ହୋମଗାର୍ଡ଼ ମୁତୟନ କରାଯାଇଛି । ସେହିଭଳି ପୁରୀ ବେଳାଭୂମି, ଚନ୍ଦ୍ରଭାଗା , ଧଉଳି, ଲିଙ୍ଗରାଜ, ନନ୍ଦନକାନନ, ସାତପଡ଼ା, ଗୋପାଳପୁର, ଚାନ୍ଦିପୁର ଆଦି ଥାନାରେ ପର୍ଯ୍ୟଟକଙ୍କ ପାଇଁ ପୁଲିସ୍ ପ୍ରକୋଷ୍ଠ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଉଛି । ହୋଟେଲରେ ପର୍ଯ୍ୟଟକଙ୍କ ରହଣୀ ପାଇଁ ପରିଚୟପତ୍ରକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ସୁରକ୍ଷା ପାଇଁ ଧଉଲି ପାହାଡ଼ ଉପରକୁ ବଡ଼ ବଡ଼ ବସ୍ ନ ଯିବାକୁ ନିର୍ଦ୍ଧେଶ ଦିଆଯାଇଛି । ବୁଦ୍ଧ ସର୍କିଟ୍, ଆଦିବାସୀ ସର୍କିଟ୍ ଓ ଇକୋ ପର୍ଯ୍ୟଟନ ବିକାଶ ପାଇଁ ପଦକ୍ଷେପ ନିଆଯାଇଛି । ୧୦୬ କୋଟି ଟଙ୍କାର ପର୍ଯ୍ୟଟନ ପ୍ରକଳ୍ପ ବିକାଶ ଲାଗି କାର୍ଯ୍ୟ ଚାଲିଛି ଓ ୧୬୫ କୋଟିର ବ୍ୟୟ ବରାଦ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ରବି ନାଏକ, ପ୍ରଦୀପ ପୁରୋହିତ ଓ ଅଂଶୁମାନ ମହାନ୍ତି ପ୍ରମୁଖ ଆଲୋଚନା କରି କହିଲେ, ସରକାରଙ୍କର ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଆନ୍ତରିକତା ନାହିଁ । ଇକୋ ପର୍ଯ୍ୟଟନ ପାଇଁ ଆସିଥିବା ଟଙ୍କା ହରିଲୁଟ୍ ହୋଇଛି । ବିଦେଶୀ ପର୍ଯ୍ୟଟକମାନେ ଅସାମାଜିକ ଯୁବକଙ୍କ ଦ୍ୱାରା ଆକ୍ରମଣର ଶୀକାର ହେଉଛନ୍ତି । କୋଣାର୍କରେ ବିଦେଶୀ ପର୍ଯ୍ୟଟକମାନେ ଅସୁରକ୍ଷିତ ମଣୁଛନ୍ତି । ସରକାର ମଦଦୋକାନ ଖୋଲିବାକୁ ଯେତିକି ଗୁରୁତ୍ୱ ଦେଉଛନ୍ତି, ସେତିକି ଗୁରୁତ୍ୱ ଦେଇ ପର୍ଯ୍ୟଟନ ସ୍ଥଳୀର ବିକାଶ କଲେ ମଦଠାରୁ ଅଧିକ ରାଜସ୍ୱ ମିଳିବ ବୋଲି କହିଥିଲେ ।
ଦୃଷ୍ଟି ଆକର୍ଷଣକାରୀ ନୋଟିସ୍ର ଆଲୋଚନା କରି ଶାସକ ଦଳ ସଭ୍ୟ ଅମର ପ୍ରସାଦ ଶତପଥୀ, ରାଜେନ୍ଦ୍ର ସାହୁ, ପ୍ରଫୁଲ୍ଲ ସାମଲ, ଏସ୍ଏସ୍ କୁମାର ହାଁସଦା ଓ ସରକାରୀ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ପଦକ୍ଷେପ ନିଆଯାଉଥିବାବେଳେ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅନେକ ଯୋଜନା କରାଯାଇଛି । ପର୍ଯ୍ୟଟକ ପୁଲିସ୍ ବ୍ୟବସ୍ଥା କରାଯାଇଛି । ବର୍ଷକୁ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ବୋଲି ସେମାନେ କହିଛନ୍ତି ।




Powered by odothemes.com