1 (2)

‘ସ୍ୱଦେଶ ଦର୍ଶନ’ ପ୍ରକଳ୍ପରେ ଓଡ଼ିଶାର ୪୮୫ କିମି ସମୁଦ୍ର ତଟର ଉନ୍ନତୀକରଣ

51

ଭୁବନେଶ୍ୱର, ୨୧ା ୩ (ବୁ୍ୟରୋ): ଭାରତ ମହାସାଗର ଉପରେ ଅନେକ ରାଷ୍ଟ୍ରର ଅର୍ଥନୀତି ନିର୍ଭରଶୀଳ । ଭାରତ ମହାସାଗର ପାଶ୍ୱର୍ବର୍ତ୍ତୀ ୪୦ଟି ରାଷ୍ଟ୍ର ରହିଥିବା ବେଳେ ବିଶ୍ୱର ପ୍ରାୟ ୪୦ ପ୍ରତିଶତ ଲୋକ ଏହି ସାଗର ଉପରେ ନିର୍ଭର କରୁଛନ୍ତି । ତେଣୁ ଅର୍ଥନୈତିକ ଅଭିବୃଦ୍ଧି ଓ ସହଯୋଗ ପାଇଁ ଏହି ମହାସାଗରର ସୁରକ୍ଷା ସମସ୍ତ ରାଷ୍ଟ୍ର ମିଳିମିଶି କରିବା ଉଚିତ ବୋଲି କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି । ଭାରତ ଏବଂ ଭାରତ ମହାସାଗରୀୟ ରାଷ୍ଟ୍ର ସଂପର୍କିତ ଅନ୍ତର୍ଜାତୀୟ ସମ୍ମିଳନୀରେ ଦ୍ୱିତୀୟ ଦିବସରେ ଆଇଆର୍ଏସ୍ ଏବଂ ଇନଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ଏଣ୍ଡ କଲଚ୍ରାଲ୍ ଷ୍ଟଡିଜ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ଅଧ୍ୟକ୍ଷତା କରି କହିଲେ, ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧିର ମୂଳ ଉତ୍ସ । ଭାରତ ସରକାର ଏବେ ପର୍ଯ୍ୟଟନ ଉପରେ ଗୁରୁତ୍ୱ ଦେଇ ‘ସ୍ୱଦେଶ ଦର୍ଶନ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏଥିରେ ମୋଟ ଉପରେ ୧ଲକ୍ଷ ୬୦ ହଜାର କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଏଥିରେ ୫ଟି ବିଭାଗ ଉପରେ ଗୁରୁତ୍ୱ ଦିଆଯାଇଛି । ସେଥିମଧ୍ୟରୁ ଭାରତର ସମୁଦ୍ର କୂଳବର୍ତ୍ତୀ ୭୫୦୦କିଲୋମିଟର ସେମଧ୍ୟରୁ ଓଡିଶାର ୪୮୫କିମି ଅନ୍ତର୍ଭୁକ୍ତ କରାଯାଇଛି ଏବଂ ସେଗୁଡିକର ଅଞ୍ଚଳର ଉନ୍ନତୀକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଅନେକ ବନ୍ଦର ଓ ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରିଛି ଇ-ଭିସା ଏବଂ ଭିସା ଅନ୍ ଆରାଇଭାଲ୍ ସୁବିଧା ପ୍ରଦାନ କରାଯାଇଛି । ଏହି ସୁବିଧା ଯୋଗୁ ପର୍ଯ୍ୟଟନ କ୍ଷେତ୍ରରେ ୧୨ ପ୍ରତିଶତ ଅଭିବୃଦ୍ଧି ଘଟିଛି । ବର୍ତ୍ତମାନ ସୁଦ୍ଧା ୪୪ଟି ରାଷ୍ଟ୍ରର ନାଗରିକଙ୍କୁ ଭିସା ଅନ୍ ଆରାଇଭାଲ ସୁବିଧା ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ୧୫୦ଟି ରାଷ୍ଟ୍ରକୁ ଏହି ସୁବିଧା ବୃଦ୍ଧି କରାଯିବ । ବର୍ତ୍ତମାନ ପର୍ଯ୍ୟଟନ କ୍ଷେତ୍ରରୁ ୬୦ ପ୍ରତିଶତ ନିଯୁକ୍ତି ସୃଷ୍ଟି ହୋଇପାରିଛି । ପର୍ଯ୍ୟଟନ କ୍ଷେତ୍ରରେ ଜିଡିପି ୬.୮୮ ପ୍ରତିଶତ ରହିଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟ ୬.୮ ପ୍ରତିଶତ ରହିଛି । ନିକଟରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଭାରତରେ ୫ଟି ନୂତନ ପର୍ଯ୍ୟଟନ ସର୍କିଟ ସ୍ଥାପନା ନିମନ୍ତେ ୫୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି । ଆହୁରି ମଧ୍ୟ କେନ୍ଦ୍ର ସରକାର ଜାତୀୟ ଐତିହ୍ୟ ସହର ବିକାଶ ଏବଂ ବୃଦ୍ଧି (ହୃଦୟ)ଯୋଜନାର ଶୁଭାରମ୍ଭ କରିଛନ୍ତି । ଧାର୍ମିକ ପର୍ଯ୍ୟଟନର ବିକାଶ ନିମନ୍ତେ ମଧ୍ୟ ତୀର୍ଥଯାତ୍ରା, ନବୀକରଣ ଏବଂ ଆଧ୍ୟାତ୍ମିକ ବୃଦ୍ଧି ମିଶନ (ପ୍ରସାଦ) ଯୋଜନାର କାର୍ଯ୍ୟକାରୀ ହୋଇଛି ।
ଏହି ସମ୍ମିଳନୀର ଦ୍ୱିତୀୟ ଦିବସରେ ଦୁଇଟି ସମାନ୍ତରାଳ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଭାରତ ମହାସାଗରୀୟ ଅଞ୍ଚଳରେ ବାଣିଜ୍ୟଗତ ସମ୍ପର୍କ-ଗତିପଥ, ଦ୍ରବ୍ୟ ଏବଂ ବଣିକ, ଧର୍ମ ଏବଂ ସାହିତ୍ୟ, ଦେଶାନ୍ତରଣ, ପ୍ରବାସୀ ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ସେହିଭଳି ୨ୟ ସମାନ୍ତରାଳ ଅଧିବେଶନରେ ତିନିଟି ଭିନ୍ନ ବିଷୟ ଯଥା ନୌବାଣିଜ୍ୟ ଏବଂ ମାନବିକ ମୂଲ୍ୟବୋଧ ସମ୍ପର୍କ, ଅଣପାରମ୍ପରିକ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଏବଂ ସାମଗ୍ରିକ ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା ।
ଏହି ଦିବସରେ ବିଶ୍ୱର ଅନେକ ଅନ୍ତର୍ଜାତୀୟ ପ୍ରମୁଖ ବ୍ୟକ୍ତିତ୍ୱ ସେମାନଙ୍କର ମତାମତ ଦେବା ସହିତ ଏହି ସମ୍ମିଳନୀ ସମ୍ପର୍କରେ ସେମାନଙ୍କର ମତବ୍ୟକ୍ତ କରିଥିଲେ ।ଫ୍ରାନ୍ସରୁ ଆସିଥିବା ପ୍ରତ୍ନତତ୍ତ୍ୱ ବିଭାଗର ପ୍ରଫେସର ତଥା ବିଶିଷ୍ଟ ଐତିହାସିକ ଫ୍ରାେଙ୍କାଇସ୍ ସେଲ୍ସ୍ ଏହି ଅଭିନବ ସମ୍ମିଳନୀ ସଂପର୍କରେ ମତଦେଇ କହିଥିଲେ ଯେ ଏହି ବିଶେଷ ସମ୍ମିଳନୀ ଭବିଷ୍ୟତରେ ଦେଶ ଦେଶମାନଙ୍କ ମଧ୍ୟରେ ବନ୍ଧୁତାର କଥାବାର୍ତା ଆରମ୍ଭ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ସେହିଭଳି ପଶ୍ଚିମ ଅଷ୍ଟ୍ରେଲିଆର କର୍ଟିନ ବିଶ୍ୱବିଦ୍ୟାଳୟର ଭାରତ ମହାସାଗର ସମ୍ବନ୍ଧରେ ଗବେଷଣା କରୁଥିବା ବିଶିଷ୍ଟ ଐତିହାସିକ ଡେନିସ ରୁମ୍ଲେ, ଦକ୍ଷିଣ ଆଫ୍ରିକାର ବୈଦେଶିକ ବ୍ୟାପାର ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀମତୀ ଏଲିଜାବେଥ ସିଡିରୋପୋଲସ ଏହି ଅନ୍ତର୍ଜାତୀୟ ସମ୍ମିଳନୀ ସମ୍ପର୍କରେ ସେମାନଙ୍କର ମତବ୍ୟକ୍ତ କରିବା ସହିତ ଭାରତ ମହାସାଗର ସମଗ୍ର ବିଶ୍ୱ ନିମନ୍ତେ ଏକ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି କହିଥିଲେ । ଦ୍ୱିତୀୟ ଦିବସର ସନ୍ଧ୍ୟାରେ ଅରୁଣା ମହାନ୍ତି ଏବଂ ତାଙ୍କ ସାଥୀ କଳାକାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଏବଂ ସମ୍ମୋହନୀ ଓଡିଶୀ ନୃତ୍ୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।




Powered by odothemes.com