ବିଶ୍ୱର ଶ୍ରେଷ୍ଠ ୫ଶହ ଏନ୍‌ଜିଓ ତାଲିକାରେ କିସ୍‌

kiss

ଭୁବନେଶ୍ୱର, ୨୭ ।୬ (ବୁ୍ୟରୋ): ବିଶ୍ୱର ଶ୍ରେଷ୍ଠ ୫ଶହ ଏନ୍‌ଜିଓ ମଧ୍ୟରେ ଭୁବନେଶ୍ୱରର କଳିଙ୍ଗ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିସ୍‌-ଭୁବନେଶ୍ୱର) ସ୍ଥାନ ପାଇଛି । ନିକଟରେ ଜେନେଭାସ୍ଥିତ ମେଡିଆ ପ୍ରତିଷ୍ଠାନ ‘ଏନ୍‌ଜିଓ ଆଡ୍‌ଭାଇଜର’ ଦ୍ୱାରା କରାଯାଇଥିବା ସର୍ବେକ୍ଷଣ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଉକ୍ତ ୫ଶହ ଏନ୍‌ଜିଓ ମଧ୍ୟରେ ଭାରତର କିସ୍‌ ସମେତ ୧୦ଟି ଏନ୍‌ଜିଓ ସ୍ଥାନ ପାଇଛନ୍ତି । ବିଶେଷ କରି ଉତ୍ତମ ପ୍ରଭାବ (ଆଉଟ୍‌ଷ୍ଟାଣ୍ଡିଂ ଇମ୍‌ପାକ୍ଟ), ନୂତନତ୍ୱ (ଇନୋଭେସନ୍‌) ଓ ପରିଚାଳନା (ଗଭର୍ଣ୍ଣାନ୍‌ସ) ଭିତ୍ତିରେ ଏହି ସଂସ୍ଥା ବିଶ୍ୱର ପ୍ରତି ଦେଶରୁ ହଜାର ହଜାର ଏନ୍‌ଜିଓଙ୍କୁ ନେଇ ସର୍ବେକ୍ଷଣ କରିଥିଲେ । ଏନ୍‌ଜିଓ ଆଡ୍‌ଭାଇଜର ପକ୍ଷରୁ ପୁଙ୍ଖାନୁପୁଙ୍ଖ ଓ କଡ଼ାକଡ଼ି ଯାଞ୍ଚ ପରେ ସେଥି ମଧ୍ୟରୁ ବିଶ୍ୱର ଶ୍ରେଷ୍ଠ ୫ଶହ ଏନ୍‌ଜିଓ ବଛାଯାଇଥିଲା । ଏହି ସର୍ବେକ୍ଷଣରେ ଏନ୍‌ଜିଓ ଆଡ୍‌ଭାଇଜର ପକ୍ଷରୁ ସ୍ୱଚ୍ଛତା ନିମନ୍ତେ ଜନମତ ସଂଗ୍ରହ କରିବା ସହ ୧୬୫ ଟି ମାନଦଣ୍ଡରେ ଏନ୍‌ଜିଓଗୁଡ଼ିକର ପ୍ରଦର୍ଶନକୁ ଭିତ୍ତିକରି ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରଭାବ, ପରିଚାଳନା ଓ ନୂତନତ୍ୱ ଆଦି ୩ଟି ଦିଗକୁ ଲକ୍ଷ୍ୟରେ ରଖି ଏହି ୧୬୫ଟି ମାନଦଣ୍ଡ ପ୍ରସ୍ତୁତ କରାଯାଇଥିଲା । ୧୯୯୩ରେ ଶିକ୍ଷାବିତ୍‌ ତଥା ସମାଜସେବୀ ଅଚୁ୍ୟତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିସ୍‌ ଆଜି ‘ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ସଶକ୍ତିକରଣ’ର ଏକ ସଫଳ ମଡେଲ୍‌ ଭାବେ ସାରା ବିଶ୍ୱରେ ଆଦୃତ ଲାଭ କରିଛି । ବର୍ତ୍ତମାନ କିସ୍‌ରେ ୨୫ହଜାର ଅତି ଗରିବ ଜନଜାତି ଛାତ୍ରଛାତ୍ରୀ ପ୍ରାଥମିକ ଶ୍ରେଣୀରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷା ଲାଭ କରୁଛନ୍ତି । ଏହା ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ଅନୁଷ୍ଠାନ । ୨୦୧୫ରେ ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦ କିସ୍‌କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରିଛନ୍ତି । ଜାତିସଂଘ ପକ୍ଷରୁ କୌଣସି ଏନ୍‌ଜିଓକୁ ଏହା ହେଉଛି ଶ୍ରେଷ୍ଠ ମାନ୍ୟତା । ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତ ଏନ୍‌ଜିଓ ଆଡ୍‌ଭାଇଜର ମେଡିଆ ପ୍ରତିଷ୍ଠାନକୁ କୃତଜ୍ଞତା ଜଣାଇବା ସହ କିସ୍‌ ବାସ୍ତବ ସମାଜସେବା କରିଆସୁଥିବାରୁ ଏଭଳି ମାନ୍ୟତା ପ୍ରାପ୍ତ ହୋଇଛି ବୋଲି କହିଛନ୍ତି । ଏହା କିସ୍‌କୁ ତାର ଲକ୍ଷ୍ୟ ହାସଲ୍‌ ଦିଗରେ ଆହୁରି ଦକ୍ଷତାର ସହ ଅଗ୍ରସର ହେବାକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।