ଦୂତୀଙ୍କୁ ଅଲିମ୍ପିକ୍ ଯୋଗ୍ୟତା

Dutee_Chand_2908664f

ଭୁବନେଶ୍ୱର, ୨୫ ।୬(ବୁ୍ୟରୋ): ରିଓ ଅଲିମ୍ପିକ୍ ପାଇଁ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦ ଯୋଗ୍ୟତା ହାସଲ କରିଛନ୍ତି । କାଜାଖ୍ସ୍ଥାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ୧୦୦ମିଟର ରେସ୍ରେ ୧୧.୩୦ ସେକେଣ୍ଡରେ ଦୂରତା ଅତିକ୍ରମ କରି ସେ ଏହି ସଫଳତା ହାସଲ କରିଛନ୍ତି । ପ୍ରଥମ ମହିଳା ଓଡ଼ିଆ ଭାବରେ ରିଓ ଅଲମ୍ପିକ୍ ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦୂତୀଙ୍କ ଏହି ସଫଳତାକୁ ଐତିହାସିକ ଏବଂ ଓଡ଼ିଶା ତଥା ଓଡ଼ିଆଙ୍କ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିବା ସହ ତାଙ୍କର ଅଲମ୍ପିକ୍ସ ବିଜୟ କାମନା କରିଛନ୍ତି । ଦୂତୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି । କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ ଦୂତୀଙ୍କୁ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ । ଅନ୍ୟପକ୍ଷରେ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) ଦୂତି ଚାନ୍ଦଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିବାବେଳେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ପକ୍ଷରୁ ଦୂତିଙ୍କୁ ୫୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଓସିଏ ସଂପାଦକ ଆଶୀର୍ବାଦ ବେହେରା ପ୍ରକାଶ କରିଛନ୍ତି । ଏହି ଅବସରରେ ଦୂତି କହିଛନ୍ତି ଯେ ରିଓ ଅଲିମ୍ପିକ ପାଇଁ ଟିକେଟ ପାଇ ମୁଁ ବହୁତ ଖୁସି । ସେଥିପାଇଁ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।୧୪ ବର୍ଷ ପରିଶ୍ରମର ଫଳ ଆଜି ସଫଳ ହୋଇଛି । ଜୀବନର ବହୁତ ବାଧା ବିଘ୍ନ ପରେ ମୁଁ ଏହି ସ୍ଥାନରେ ପହଞ୍ଚôପାରିଛି । ଏଥି ପାଇଁ ମୋର ପରିବାର ମୋତେ ବହୁତ ସହଯୋଗ କରିଛନ୍ତି ।