କଟ୍କୀ-ଡାକ୍ତର-ଦାଉଦ୍ ଲିଙ୍କ୍

terrorist-Md-abdul-rehaman

କ୍ରାଇମ୍ ବ୍ରାଞ୍ଚର ନୂଆ ଖୁଲାସା
ଭୁବନେଶ୍ୱର, ୨୩ା୬ (ବୁ୍ୟରୋ): ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ଆତଙ୍କବାଦୀ ସଂଗଠନ ‘ଅଲ୍କାଏଦା’ ସଦସ୍ୟ ମହମ୍ମଦ ଅବ୍ଦୁଲ୍ ରେହେମାନ୍ ଓରଫ୍ କଟ୍କୀକୁ ତୃତୀୟ ଦିନ ଜେରାରେ କ୍ରାଇମ୍ ବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି । ଗତକାଲି କଟ୍କୀ ଜେରାବେଳେ କାନ୍ଦାହାର ବିମାନ ଅପହରଣର ପ୍ରମୁଖ ଅପହର୍ତ୍ତା ସଲିମ୍କୁ କଟକରେ ଆଶ୍ରୟ ଦେଇଥିଲା ବୋଲି କହିଥିଲା । ସଲିମ୍ ଏଠାରେ ରହି ଟ୍ରକ୍ ଡ୍ରାଇଭରଭାବେ କାମ କରୁଥିଲା । ପରେ ଏକ ଏନ୍କାଉଣ୍ଟରରେ ସଲିମ୍ର ମୃତୁ୍ୟ ହୋଇଥିଲା ବୋଲି ସେ ପୁଲିସ୍ ଆଗରେ ସ୍ୱୀକାର କରିଥିଲା । ଆଜି ତୃତୀୟ ଦିନ ଜେରାରେ କଟ୍କୀ ତା ସଙ୍ଗଠନ ବିଷୟରେ ପୁଲିସ୍କୁ କିଛି ଗୁପ୍ତ ସୂଚନା ଦେଇଛି । ସେ ମାନିଛି ଓଡିଶାରୁ ମିଳୁଥିଲା ଗଦାଗଦା ଟଙ୍କା । ତା ସଙ୍ଗଠନ ବଢାଇବା ପାଇଁ ଜଣେ ଓଡିଆ ଡାକ୍ତର ସାହଯ୍ୟର ହାତ ବଢାଇଥିଲେ । ସେହି ଡାକ୍ତର ଜଣଙ୍କ ଏବେ ଆମେରିକାରେ ରହୁଛନ୍ତି । ତାଙ୍କ ଭାଇ ଜଣେ ଓକିଲ । ସେ ସାଲେପୁରରେ ଓକିଲାତି କରୁଛନ୍ତି । ଡାକ୍ତର-ଦାଉଦ୍-କଟ୍କୀ ସମ୍ପର୍କର ସୂଚନା ପାଇଛି କ୍ରାଇମ୍ ବ୍ରାଞ୍ଚ । ଡାକ୍ତର ବହୁ ସମୟରେ ଦୁବାଇ ଯାଇଥାନ୍ତି । ସେଠାରେ ରୋଗୀଙ୍କୁ ମଧ୍ୟ ଚିକିତ୍ସା କରିଥାନ୍ତି । ଦାଉଦ୍ ସହ ଡାକ୍ତରଙ୍କର ଘନିଷ୍ଠ ସମ୍ପର୍କ ଥିବା ଜେରାରେ କଟ୍କୀ ସ୍ୱୀକାର କରିଛି । କେବଳ ଦାଉଦ୍ ନୁହେଁ, ଛୋଟା ସକିଲ୍ର ଭାଇକୁ ସେହି ଓଡିଆ ଡାକ୍ତର ଅପରେସନ୍ ମଧ୍ୟ କରିଛନ୍ତି । ଡାକ୍ତରଙ୍କ ମାଧ୍ୟମରେ କଟ୍କୀ ଟଙ୍କା ନେଇଥିବା ଜେରାରେ କ୍ରାଇମ୍ ବ୍ରାଞ୍ଚ ଜାଣିବାକୁ ପାଇଛି । କଟ୍କୀର ଆତଙ୍କବାଦୀ କାର୍ଯ୍ୟକଳାପ ଓଡିଶାର କୋଣ ଅନୁକଣରେ ବ୍ୟାପୀଥିବା ଜାଣିବା ପରେ ଓଡିଶା ପୁଲିସ୍ ଛାତି ଧଡପଡ ହୋଇଛି । ସେ କେଉଁ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଉଥିବା ସେ ସମ୍ପର୍କରେ ଜାଣିବା ପାଇଁ ସ୍ପେଶାଲ ଡିଜି ବିଜୟ କୁମାର ଶର୍ମା କଟ୍କୀକୁ ତୁହାକୁ ତୁହା ଜେରା ଚଳାଇଛନ୍ତି । କଟ୍କୀ ବୟାନ ଅନୁଯାୟୀ ତା ସହଯୋଗୀଙ୍କୁ କ୍ରାଇମ୍ ବ୍ରାଞ୍ଚ ଧରିବ ବୋଲି ଜଣାପଡିଛି ।
ସମ୍ପୃକ୍ତ ଓଡିଆ ଡାକ୍ତରଙ୍କର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ଜମି ରହିଛି । ଜମିର ଉନ୍ନତିକରଣ କରିବା ପାଇଁ ଏକ ବିଲ୍ଡର ସଂସ୍ଥାକୁ ସେ ଠିକା ଦେଇଥିଲେ । ସମ୍ପୃକ୍ତ ବିଲ୍ଡର ତାଙ୍କ ଜମିରେ କାର୍ଯ୍ୟ କରୁଥିଲେ । କଟ୍କୀର ୬ ଲକ୍ଷ ଟଙ୍କା ଆବଶ୍ୟକ ପଡିବାରୁ ସେ ଡାକ୍ତରଙ୍କୁ ମାଗିଥିଲା । ସେହି ସମୟରେ ଡାକ୍ତର ଆମେରିକାରେ ଥିବାରୁ ୬ ଲକ୍ଷ ଟଙ୍କା କଟ୍କୀକୁ ଦେବା ପାଇଁ ବିଲ୍ଡରକୁ କହିଥିଲେ । ୨୦୧୫ ମାର୍ଚ୍ଚ ୬ ତାରିଖରେ କଟ୍କୀ ଓ ତା’ର ଜଣେ ସହଯୋଗୀ ବିଲ୍ଡରଙ୍କ ନିକଟରେ ପହଞ୍ଚô ଉକ୍ତ ଟଙ୍କା ନେଇଥିଲେ । ଡିସେମ୍ବର ୧୬ ତାରିଖରେ ଆଇବି ଓ ଦିଲ୍ଲୀ ପୁଲିସ୍ କଟ୍କୀକୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା । କଟ୍କୀ ଗିରଫ ସମୟରେ ବିଲ୍ଡର ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗଣମାଧ୍ୟମରେ କଟ୍କୀ ସମ୍ପର୍କରେ ଜାଣିବା ପରେ ସମ୍ପୃକ୍ତ ବିଲ୍ଡର ଦିଲ୍ଲୀ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଟଙ୍କା ଦେଇଥିବା ଅଭିଯୋଗରେ ଦର୍ଶାଇଥିଲେ । ତାଙ୍କ ଅଭିଯୋଗର ତଦନ୍ତ ଏବେ ଏନ୍ଆଇଏ କରୁଛି । ତେବେ ସମ୍ପୃକ୍ତ ଡାକ୍ତର ଆମେରିକାରେ ଥିବାରୁ ତଦନ୍ତ ଅଧାବାଟରେ ଅଟକି ରହିଛି । ଏପରିକି ସେହି ଓଡିଆ ଡାକ୍ତର କଟ୍କୀ ସହ ଏକାଧିକ ଥର ତା ମଦ୍ରାସାକୁ ବୁଲିଯାଇଥିବା ଜେରାରେ ସେ ମାନିଛି ।
ସୂଚନାଯୋଗ୍ୟ, କଟ୍କୀର କାର୍ଯ୍ୟକଳାପ ସମ୍ପର୍କରେ ଆଇବି ଓଡିଶା ଗୁଇନ୍ଦାକୁ ଅବଗତ କରାଇଥିଲା । ଏହାପରେ ମଧ୍ୟ ଗୁଇନ୍ଦା ବିଭାଗର ଚେତା ପଶିନଥିଲା । ଏ ସଂକ୍ରାନ୍ତରେ ୨୦୧୫ ନଭେମ୍ବର ୨୨ ତାରିଖରେ ଦୈନିକ ଖବରକାଗଜ ‘ସର୍ବସାଧାରଣ’ରେ ଖବର ପ୍ରକାଶ ପାଇଥିଲା । ଡିସେମ୍ବର ୧୫ ତାରିଖ ରାତିରେ ଦିଲ୍ଲୀ ପୁଲିସ୍ ପହଞ୍ଚô କମିଶନରେଟ୍ ପୁଲିସ୍ ସହାୟତାରେ ଜଗତପୁରସ୍ଥିତ ପଶ୍ଚିମକଛ ଗାଁରୁ କଟ୍କୀକୁ ଗିରଫ କରିଥିଲା ।