ତିନି ବର୍ଷରେ ୩୦ ଲକ୍ଷ ମହିଳାଙ୍କୁ ମାଗଣା ଏଲ୍ପିଜି: ଧର୍ମେନ୍ଦ୍ର

bjp

ସମ୍ବଲପୁର (ଆପ୍ର): ସ୍ୱାଧୀନତାରୁ ଆଜିପର୍ଯ୍ୟନ୍ତ ଓଡ଼ିଶାରେ ଯେତିକି ଗ୍ୟାସ ସଂଯୋଗ ଥିଲା ଆଗାମୀ ତିନିବର୍ଷରେ ତା’ଠାରୁ ଅଧିକ ଏଲ୍ପିଜି ସଂଯୋଗ ଯୋଗାଇ ଦିଆଯିବାର ବିଧିବଦ୍ଧ ଯୋଜନା ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସୋମବାର ସ୍ଥାନୀୟ ପିଏଚ୍ଡି ପଡ଼ିଆରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ରାଜ୍ୟସ୍ତରୀୟ ଲୋକାର୍ପଣ ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୩ ବର୍ଷ ମଧ୍ୟରେ ୩୦ ଲକ୍ଷ ବିପିଏଲ୍ ପରିବାରଙ୍କୁ ମାଗଣା ଏଲ୍ପିଜି କନେକ୍ସନ୍ ସମେତ ମୋଟ ୪୦ ଲକ୍ଷ ନୂଆ ଏଲ୍ପିଜି ସଂଯୋଗ ଦିଆଯିବ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ୍ ଏହି ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଲୋକାର୍ପଣ କରିଥିଲେ ।
ସେ କହିଛନ୍ତି ଯେ ବିପିଏଲ୍ ବର୍ଗର ମହିଳାମାନଙ୍କୁ ବିନା ମୂଲ୍ୟରେ ଏଲ୍ପିଜି କନେକ୍ସନ୍ ଦେବା ପାଇଁ ଗାଁ ଗାଁରେ ମେକଳା କରାଯାଇ ଦରଖାସ୍ତ ସଂଗ୍ରହ କରାଯିବ । ଆଧାର କାର୍ଡ଼, ବ୍ୟାଙ୍କ ଆକାଉଣ୍ଟ ଦେବାକୁ ପଡ଼ିବ । ଯଦି ଘରେ ଆଉ କାହା ନାଁରେ ଗ୍ୟାସ ସଂଯୋଗ ଅଛି ତା’ ହେଲେ ନୂଆ ଗ୍ୟାସ ସଂଯୋଗ ମିଳିବ ନାହିଁ । ଦରଖାସ୍ତ ସହ ଆବଶ୍ୟକ କାଗଜ ଦେଇ ଗ୍ୟାସ ସଂଯୋଗ ନିଆଯାଇପାରିବ ।
୨୦୧୧ର ସାମାଜିକ-ଆର୍ଥିକ ଓ ଜାତିଗତ ଜନଗଣନା ଆଧାରରେ ପ୍ରସ୍ତୁତ ତାଲିକା ଅନୁସାରେ ଏହି ସଂଯୋଗ ଦିଆଯିବ । ଗାଁରେ ଖୋଲା ଆକାଶ ତଳେ ସର୍ବସମ୍ମୁଖରେ ତାଲିକା ପ୍ରସ୍ତୁତ କରାଯିବ । ଏଥିପାଇଁ କାହାର ଚାପ, ସୁପାରିଶର ଆବଶ୍ୟକତା ରହିବ ନାହିଁ । ଗ୍ୟାସ ସଂଯୋଗ ପାଇବା ପାଇଁ ପ୍ରତ୍ୟେକ ଓଡ଼ିଆ ହକ୍ଦାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସେ କହିଛନ୍ତି ଯେ ଗ୍ୟାସ ଆବଶ୍ୟକତାକୁ ପୂରଣ କରିବା ପାଇଁ ସାରା ରାଜ୍ୟରେ ବଟଲିଂ ପ୍ଲାଣ୍ଟ୍ଗୁଡ଼ିକର କ୍ଷମତା ବୃଦ୍ଧି କରାଯିବ । ଗ୍ରାମାଞ୍ଚଳରେ ଗ୍ୟାସ ବିତରକ ସଂଖ୍ୟାକୁ ବୃଦ୍ଧି କରାଯାଇ ଗ୍ୟାସ ବିତରଣ ବ୍ୟବସ୍ଥାକୁ ଘର ପାଖରେ ପହଞ୍ଚାଯିବ । କାଠ ଚୁଲୀ ଓ ଘସି ଧୂଆଁରେ ଆଉ ଓଡ଼ିଆ ମା’ ଭଉଣୀ ଆଖିରୁ ଲୁହ ଗଡ଼ିବ ନାହିଁ । କାରଣ ଗରୀବୀଙ୍କୁ ଅଙ୍ଗେ ନିଭାଇଥିବା ମୋଦି ହିଁ ସାଧାରଣ ଲୋକଙ୍କ ଦୁଃଖ ବୁଝିପାରନ୍ତି ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟରେ ଖାଦ୍ୟ ସୁରକ୍ଷା ଆଇନ୍ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନା ଲାଗୁ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ଭିତ୍ତିଭୂମିକୁ ଉପଯୋଗ କଲେ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ କାର୍ଯ୍ୟକାରୀ କରିବା କଠିନ କାର୍ଯ୍ୟ ନୁହେଁ । ଏପରି ଯୋଜନା ଉଚିତ୍ ହିତାଧିକାରୀ ପାଖରେ ଲାଭ ପହଞ୍ଚାଇବା ସହ ସରକାରୀ ଅର୍ଥ ବ୍ୟୟକୁ ମଧ୍ୟ ବନ୍ଦ କରିପାରିବ ବୋଲି ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ପହଲ ଯୋଜନା ଲାଗୁ ହେବା କାରଣରୁ କେନ୍ଦ୍ର ସରକାର ବାର୍ଷିକ ୨୧ ହଜାର କୋଟି ଟଙ୍କା ସଂଚୟ କରିବାରେ ସଫଳ ହୋଇଛନ୍ତି । ସବୁ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ ଅର୍ଥ ପ୍ରଦାନ କରାଗଲେ ଦୁର୍ନୀତି ରୋକାଯିବା ସହ ଉଚିତ୍ ବ୍ୟକ୍ତି ଲାଭ ପାଇପାରିବେ ।
ତାଙ୍କୁ ଡାକପିଅନ ଭାବେ ସମାଲୋଚନା କରାଯାଉଥିବା ପରିପ୍ରେକ୍ଷୀରେ ସେ କହିଥିଲେ ଯେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ବିକାଶ ଓ ସ୍ୱାର୍ଥର ଡାକପିଅନ ହେବା ପାଇଁ ସେ ପ୍ରସ୍ତୁତ ।