ଡେପୁଟି ମେୟର ଓ ତାଙ୍କ ସମ୍ପର୍କୀୟଙ୍କୁ ମିଳିଛି ୫ ଘର

BJP-PRESS-MEET-(2)

ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ଘର ଯୋଜନାରେ ପାତରଅନ୍ତର ଅଭିଯୋଗ
ଭୁବନେଶ୍ୱର (ବୁ୍ୟରୋ): ରାଜଧାନୀର ମହିଷା ଖାଲରେ ଗରିବ ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପକ୍କା ବାସଗୃହ ଯୋଜନା ଉଦ୍ଘାଟନ ସମ୍ପୂର୍ଣ୍ଣ ବେଆଇନ ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ସହରାଞ୍ଚଳ ଗରିବ ବସ୍ତିବାସିନ୍ଦାଙ୍କ ପାଇଁ ପକ୍କା ବାସଗୃହ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ପରିବର୍ତ୍ତେ ବିଜେଡି ଦଳର ଧନୀ ନେତା ଓ କର୍ମୀ ଏହି ଘର ଗୁଡ଼ିକୁ ହାତେଇ ନେଇଛନ୍ତି ବୋଲି ସମୀର କହିଛନ୍ତି । ସେ ସିଧାସଳଖ ଅଙ୍ଗୁଳି ନିଦେ୍ର୍ଦଶ କରିଛନ୍ତି ବିଏମ୍ସିର ଡେପୁଟି ମେୟର କେ. ଶାନ୍ତିଙ୍କୁ । ପ୍ରକାଶ ଯେ, କେ. ଶାନ୍ତିଙ୍କ ପରିବାର ଏହି ଆବାସ ଯୋଜାନାରେ ହିତାଧିକାରୀ ଅଛନ୍ତି । ଏହାସହ ତାଙ୍କ ସ୍ୱାମୀ କେ. ଚିନ୍ନାପାଣ, ତାଙ୍କ ପୁଅ କେ. ରବିନାଙ୍କ ସମେତ ଡେପୁଟି ମେୟରଙ୍କ ପରିବାରର ୫ଜଣ ହିତାଧିକାରୀ ଏହି ତାଲିକାରେ ସାମିଲ୍ ଅଛନ୍ତି । ସହରାଞ୍ଚଳ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଏହି ବାସଗୃହ ଯୋଜନାର ନିୟମାନୁସାରେ ଏମାନେ ହିତାଧିକାରୀ ହେବାକୁ ଅଯୋଗ୍ୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଡେପୁଟି ମେୟରଙ୍କ ବାପାଙ୍କ ନାଁରେ ଭୁବନେଶ୍ୱରରେ ନିଜସ୍ୱ କୋଠାଘର ଥିବା ବେଳେ ଡେପୁଟି ମେୟରଙ୍କ ଦୁଇ ଭାଇ, ଜଣେ ଭଉଣୀ ଓ ଦାଦା ଏହି ହିତାଧିକାରୀ ତାଲିକାରେ ସାମିଲ୍ ଅଛନ୍ତି । ଏହିସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ରାସନକାର୍ଡ ହାତେଇ ଥିବା କାରଣରୁ କଟକର ପୂର୍ବତନ ମେୟର ଇସ୍ତଫା ଦେଇଥିବା ବେଳେ କେ. ଶାନ୍ତି କିପରି ନିଜ ପଦବୀରେ ବସିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ତେବେ ହିତାଧିକାରୀ ତାଲିକାରେ ୪୦ରୁ ଊଦ୍ଧ୍ୱର୍ ସରକାରୀ କର୍ମଚାରୀଙ୍କ ପରିବାର ଓ ଏହାଛଡ଼ା ୧୦ରୁ ଊଦ୍ଧ୍ୱର୍ ହିତାଧିକାରୀ ପରିବାରଙ୍କ ଭୁବନେଶ୍ୱର ସହରାଞ୍ଚଳରେ ଜାଗା ଓ ଘର, ୭ ଡିତାଧିକାରୀଙ୍କ ଭୁବନେଶ୍ୱର ତହସିଲ ଅଞ୍ଚଳରେ ଜମି ଓ ୧୪ ହିତାଧିକାରୀଙ୍କ ନିଜ ଗାଁରେ କୋଠାଘର ଥିବା ତଥ୍ୟଭିତ୍ତିକ ଅଭିଯୋଗକୁ ଭିତ୍ତି କରି ଉଚ୍ଚ ନ୍ୟାୟାଳୟ ବିଭିନ୍ନ ସରକାରୀ ବିଭାଗକୁ ନୋଟିସ୍ ଜାରି କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଉଚ୍ଚ ନ୍ୟାୟାଳୟରେ ପିଆଇଏଲ୍ ନଂ ୯୩୮୩, ଏପ୍ରିଲ୍ ୨୪, ୨୦୧୬ରେ ରୁଜୁ ହୋଇଥିବା ମାମଲାର ବିଚାର କରି ବିଡିଏର ଉପାଧ୍ୟକ୍ଷ, ସାଧାରଣ ପ୍ରଶାସନ ବିଭାଗ, ସହରାଞ୍ଚଳ ବିକାଶ ବିଭାଗ ସଚିବ, ବିଏମ୍ସି କମିଶନର ଓ ଖୋର୍ଦ୍ଧା କଲେକ୍ଟର, ବିଏମ୍ସିର ଡେପୁଟି ମେୟର କେ. ଶାନ୍ତି ଓ ତାଙ୍କର ବ୍ୟକ୍ତିଗତ ସହାୟକ ଭଗବାନ ସାହୁ ପ୍ରମୁଖଙ୍କୁ ନୋଟିସ୍ ଜାରି କରିଛନ୍ତି ।
ଅପରପକ୍ଷେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଗତ ଜୁନ୍ ୧୩ ତାରିଖରେ ବିଜେବି ନଗରସ୍ଥିତ ମହିଷାଖାଲ ଠାରେ ମୁଖ୍ୟମନ୍ତ୍ରୀ ରାଜୀବ ଆବାସ ହିତାଧିକାରୀଙ୍କ ଗୃହ ଯୋଜନାର ଉଦ୍ଘାଟନ କରିଥିଲେ । ଉଚ୍ଚ ନ୍ୟାୟାଳୟ ହିତାଧିକାରୀ ଚୟନ ନେଇ ସମ୍ପୂର୍ଣ୍ଣ ଘଟଣା ଯେତେବେଳେ ନ୍ୟାୟାଳୟଙ୍କ ବିଚାରାଧିନ ରହିଛି ସେତେବେଳେ ଏହି ପ୍ରକଳ୍ପ ଉଦ୍ଘାଟନ କରାଯିବା ବେଆଇନ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।