ଯେତେ ଖୋଳିଲେ ସେତେ ବାହାରୁଛି

49

ଭୁବନେଶ୍ୱର, ୧୪ା୬(ବୁ୍ୟରୋ): ପ୍ରଭାସ ରାଉତଙ୍କୁ କ୍ରାଇମବ୍ରାଞ୍ଚର ମାରାଥନ ଜେରା ପରେ ଓସ୍କାର ଠକେଇ ମାମଲାର ଗୁମର ଖୋଲିବାରେ ଲାଗିଛି । ଆଜି କ୍ରାଇମବ୍ରାଞ୍ଚ ସ୍ପେସାଲ ଡିଜି ବି. କେ. ଶର୍ମା ପ୍ରଭାସଙ୍କୁ ଜେରା କରିବା ପରେ ଆହୁରି ନୂଆ ତଥ୍ୟ ପଦାକୁ ଆସିଛି । ପୂର୍ବରୁ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ୬୦ ଲକ୍ଷ ଟଙ୍କା ଥିବା ଜଣାପଡିଥିବା ବେଳେ ଆଜି ଜେରା ବେଳେ ଭୁବନେଶ୍ୱରର ଆଉ ଗୋଟିଏ ବ୍ୟାଙ୍କରେ କୋଟିଏ ଟଙ୍କା ଠାବ କରାଯାଇଛି । ସେହିପରି ଗୁଜରାଟରେ ଆଉ ୫ଟି ସଂପତ୍ତି ଥିବା ସୂଚନା ମିଳିଛି । ଏହାକୁ ମିଶାଇ ଗୁଜରାଟରେ ପ୍ରଭାସ ରାଉତଙ୍କ ୧୯ଟି ସଂପତ୍ତି ଠାବ କରିବାରେ କ୍ରାଇମବ୍ରାଞ୍ଚ ସକ୍ଷମ ହୋଇଛି । ଗୁଜରାଟରେ ପ୍ରଭାସଙ୍କ ବିରୋଧରେ ତିନିଟି ମାମଲା ରହିଛି । ପ୍ରଭାସଙ୍କ ଓସ୍କାର ସାମ୍ରାଜ୍ୟ ବିଷୟରେ ଅଧିକ ଯାଞ୍ଚ ପାଇଁ ଜଣେ ଡିଏସପିଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୁଜରାଟ ଯିବାକୁ ନିଷ୍ପତ୍ତି ହୋଇଛି । ତେବେ ଗୁଜରାଟ ବ୍ୟତୀତ ମହାରାଷ୍ଟ୍ରରେ ମଧ୍ୟ ଓସ୍କାରର ଦୁଇଟି ସଂପତ୍ତି ଥିବା ତଥ୍ୟ କ୍ରାଇମବ୍ରାଞ୍ଚକୁ ମିଳିଛି । ପ୍ରଭାସଙ୍କୁ କ୍ରାଇମବ୍ରାଞ୍ଚ ଯେତିକି ଜେରା କରୁଛି, ସେତିକି ଅଧିକ ତଥ୍ୟ ମିଳିବାରେ ଲାଗିଛି । ଓସ୍କାର ପ୍ରଯୋଜିତ ସିନେମାରେ ଅଭିନୟ କରିଥିବା କଳାକାରମାନଙ୍କୁ ଆବଶ୍ୟକ ଠାରୁ ଅଧିକ ପ୍ରାପ୍ୟ ଦିଆଯାଇଛି କି ନାହିଁ, ତାହା ମଧ୍ୟ କ୍ରାଇମବ୍ରାଞ୍ଚ ଯାଞ୍ଚ କରୁଛି । ତେବେ ଓସ୍କାର ଠକେଇ ସହ କେତେକ ଓଲିଉଡ କଳାକାରଙ୍କ ସଂପର୍କ ନେଇ କ୍ରାଇମବ୍ରାଞ୍ଚକୁ ଠୋସ୍‌ ସୂଚନା ମିଳିଥିବା ଜଣାପଡିଛି । ଏହି ସୂଚନାକୁ ଆଧାର କରି କ୍ରାଇମବ୍ରାଞ୍ଚ ଖୁବଶୀଘ୍ର ଓଲିଉଡ କଳାକାରଙ୍କୁ ଜେରା କରାଯିବ । ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ସଂପୃକ୍ତ କଳାକାରଙ୍କୁ ନୋଟିସ ପଠାଯିବ । ଅନ୍ୟପକ୍ଷରେ ହାସ୍ୟ ଅଭିନେତା ପପୁ ପମ୍‌ ପମ୍‌ ୨୦୧୪ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବେଳେ ଦେଇଥିବା ସତ୍ୟପାଠରେ ପ୍ରଭାସ ରାଉତ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ବ୍ୟକ୍ତିଗତ ଋଣ ନେଇଥିବା ସଂପର୍କରେ ଉଲ୍ଲେଖ କରିଥିବା ନଜରକୁ ଆସିଛି । ତେବେ ଏହି ଋଣଦାତା ପ୍ରଭାସ ରାଉତ ଓସ୍କାର ଅଧ୍ୟକ୍ଷ କି ନୁହଁନ୍ତି, ସେ ସଂପର୍କରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିନାହିଁ ।




Powered by odothemes.com