ananda-prasad-ray-photo-(1)

ଅନ୍ନଦା ପ୍ରସାଦ ରାୟଙ୍କ ପରଲୋକ

603

କଟକ,୧୪ା୬(ବୁ୍ୟରୋ): ରାଜ୍ୟର ଆଗଧାଡ଼ିର ଲେଖକ ତଥା ବରିଷ୍ଠ ସାମ୍ବାଦିକ ଅନ୍ନଦାପ୍ରସାଦ ରାୟ ଆଉ ନାହାନ୍ତି । ମଙ୍ଗଳବାର ଦିନ ସାଢେ ଗୋଟାଏରେ ସେ ପରଲୋକଗମନ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା । ହୃଦ୍ଘାତ ଯୋଗୁଁ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ ଏବଂ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ । ତାଙ୍କର ମୃତୁ୍ୟ ଖବର ପ୍ରଚାରିତ ହୋଇଯିବା ପରେ ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ରାଜନୈତିକ ବ୍ୟକ୍ତି ‘କୃଷ୍ଣକାନ୍ତ ଭବନ’କୁ ଆସି ତାଙ୍କର ଶେଷ ଦର୍ଶନ କରିଥିଲେ । ଏମିତି ଅଶ୍ରୁଳ ଅପରାହ୍ନରେ ତଳ ତେଲେଙ୍ଗାବଜାର ସ୍ଥିତ କୃଷ୍ଣକାନ୍ତ ଭବନ ଓ ଆଖପାଖରେ ରଜ ଉତ୍ସବ ହଜିଯାଇଥିଲା । ତାଙ୍କର ମୃତୁ୍ୟ ଖବର ପାଇ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ଯୋଗାଣ ବିଭାଗ ମନ୍ତ୍ରୀ ସଞ୍ଜୟ ଦାସବର୍ମା, ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ବାରବାଟୀ କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ଉପ ସଭାପତି ସୁରେଶ ମହାପାତ୍ର, ପିସିସି କୋଷାଧ୍ୟକ୍ଷ ତଥା କଟକ ନଗର ଜିଲ୍ଲା କଂଗ୍ରେସ କମିଟି ସଭାପତି ଇଂ. ମହମ୍ମଦ ମୋକିମ, ଅଖିଳ ଓଡ଼ିଶା ଝୋପଡ଼ପଟ୍ଟି ମହାସଂଘ ଏକତା ସଭାପତି ବୃନ୍ଦାବନ ଦାସ ଆଜାଦ, ରେଳ ଶ୍ରମିକ ନେତା ଉକ୍ରଳ ଭୂଷଣ ରାଉତରାୟ, ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ପୂର୍ବତନ ମେୟର ନିବେଦିତା ପ୍ରଧାନ, କଂଗ୍ରେସ ନେତା ଧରଣୀଧର ନାୟକ, ଡକ୍ଟର ସୁଦର୍ଶନ ପଟ୍ଟନାୟକ, ରୁମଝୁମ୍ ନାୟକ, ପୁଲିସ ବରିଷ୍ଠ ଅଧିକାରୀ ସତ୍ୟଜିତ ମହାନ୍ତି, ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ, ରାଜନେତା ତାଙ୍କ ବାସଭବନରେ ପହଞ୍ଚô ଶେଷ ଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଥିଲେ । ଆସନ୍ତା କାଲି ସ୍ଥାନୀୟ ଖାନନଗର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ଜଣାପଡ଼ିଛି । ଅନ୍ନଦା ରାୟ କଟକ ସହରର ଜଣେ ଜଣାଶୁଣା ମୁହଁଥିଲେ । ପ୍ରତ୍ୟେକ ସାହିତ୍ୟ ଅନୁଷ୍ଠାନର ବିଭିନ୍ନ ସମ୍ମିଳନୀରେ ତାଙ୍କ ଓଜସ୍ୱିନୀ ଅଭିବ୍ୟକ୍ତିକୁ ଅପେକ୍ଷା କରିଥାନ୍ତି, ଶ୍ରୋତା, ଆଉ ଗଣମାଧ୍ୟମର ପ୍ରତିନିଧି । ୧୯୩୭ ମସିହା ଜାନୁୟାରୀ ୧୪ ତାରିଖ ମକର ସଂକ୍ରାନ୍ତି ତିଥିରେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳରେ ଜନ୍ମ ହୋଇଥିବା ଅନ୍ନଦା ରାୟ ବହୁ ପ୍ରତିଭାର ଅଧିକାରୀ ଥିଲେ । ସେ ୧୩ ବର୍ଷ ବୟସରେ ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଛାତ୍ର ସଂଗଠନ ଗଠନ କରି ରାଜନୀତିରେ ପାଦ ଥାପି ଥିଲେ । ପରେ ସେ କଟକରେ ରହି ନିଜର ପ୍ରତିଭାର ପରିପୃଷ୍ଟ କରିପାରିଥିଲେ । ୭୯ ବର୍ଷ ବୟସ ମଧ୍ୟରେ ସେ ଅନେକଙ୍କ ପାଇଁ ପାଲଟି ଯାଇଥିଲେ ପ୍ରେରଣାର ଉତ୍ସ । ସେ ବହୁ ପୁସ୍ତକ ରଚନା କରି ସାହିତ୍ୟ ମାର୍ଗରେ ଏକ ମାଇଲ ଖୁଣ୍ଟ ହୋଇପାରିଥିଲେ । କବିତା ସଂକଳନ ପାଫୁର ସ୍ୱାକ୍ଷର, ଗଳ୍ପ ସଂକଳନ ଏ ଐ ଐରାବତ, ରୁଦ୍ର ସମୁଦ୍ର, ଉପନ୍ୟାନ ବିନ୍ଦୁ, ଧାମ, ମାଟିର ଲୁହ, ପଥାନ୍ତର, ବଳୟ, ଆତ୍ମଜୀବନୀ ମୁଠାଏ ଜୀବନ ଆଞ୍ଜୁଳାଏ ସ୍ମୃତି, ପ୍ରବନ୍ଧ ସଂକଳନ କଣ୍ଟା ଓ ଫୁଲର ସହର କଟକ, ଗଦ୍ୟପ୍ରସ୍ଥ, ପ୍ରବନ୍ଧାୟନ, ସ୍ମୃତିରେ ସ୍ମୃତିରେ ଚର୍ଚ୍ଚା, ପୁନଶ୍ଚ ଚର୍ଚ୍ଚା, ପୂଣ୍ୟଶ୍ଲୋକ, ଶିରିଡ଼ି ସାଇବାବା, ଯା’ ଦେବୀ, ଶିରିଡ଼ି ସାଇ ସତ୍ଚରିତ, ଇଂଗ୍ରାଜୀ ଭାଷାରେ ଏ ହ୍ୟାଣ୍ଡ ଫୁଲ ଅଫ ଲାଇଫ, ହିନ୍ଦୀ ଭାଷାରେ ମିଟିକେ ଆଂଶୁ, କଂଗ୍ରେସ ଇତିହାସ, ସାଇସ୍ମୃତି ମଞ୍ଜରୀ, ମୋ’ଜୀବନରେ ସାଇ, ଶ୍ରୀଗୁରୁ ଭାଗବତ, ଶ୍ରଦ୍ଧା, ସହିଷ୍ଣୁତା ଓ ସେବା, ଅମୃତ ହସ୍ତା ଆଦି ଅନେକ ପୁସ୍ତକ ରହିଛି । ଏଥି ସହିତ ଜଣେ ସଫଳ ସାମ୍ବାଦିକତାର ଦାୟିତ୍ୱ ମଧ୍ୟ ତୁଲାଇବା ସହ ଅଗ୍ନିବୀଣା, ଦୈନିକ ମାତୃଭାଷା, ଦୈନିକ ପୃଷ୍ଠଭୂମି, ଅଗ୍ନିବର୍ଷୀ ଆଦି ଗଣମାଧ୍ୟମରେ ସମ୍ପାଦକ ରହି ସମାଜରେ ଅନେକ ପରିବର୍ତ୍ତନ କଥା ନିଜ ପୃଷ୍ଠାରେ ସ୍ଥାନ ଦେଉଥିଲେ ।
ଅନ୍ନଦା ବାବୁ ମଧ୍ୟ ଜୀବନରେ ବିଭିନ୍ନ କ୍ଷେତ୍ରରେ ଅନେକ ସଫଳତା ପାଇଛନ୍ତି । ନିଖିଳ ଉକ୍ରଳ ମାଧ୍ୟମିକ ଛାତ୍ର ସଂଘ ସଭାପତି, ଯାଜପୁର ନରସିଂହ ଚୌଧୁରୀ କଲେଜ ଛାତ୍ର ସଂସଦ ସଭାପତି ଥିଲେ । ପୁରୀ ଜିଲ୍ଲାର ଏସ.ସି.ଏସ କଲେଜ ସାଧାରଣ ସମ୍ପାଦକ, ଅର୍ଥନୀତି ଓ ପ୍ଲାନିଂ ଫୋରମ ସାମନ୍ତ ଚନ୍ଦ୍ରଶେଖର କଲେଜର ସମ୍ପାଦକ ଥିଲେ । ସେହିପରି ପଶ୍ଚିମବଙ୍ଗ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ଶାନ୍ତିନିକେତନ ସାଧାରଣ ସମ୍ପାଦକ, ଓଡ଼ିଆ ସାହିତ୍ୟ ପରିଷଦ ସମ୍ପାଦକ, ରାବିବାସରୀୟ ସାହିତ୍ୟ ସଂସଦ ଓ ଉକ୍ରଳ ଯୁବ ଲେଖକ ସମ୍ମିଳନୀର ପ୍ରତିଷ୍ଠାତା ଥିଲେ । କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବେ ରାଜନୈତିକ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିସହ ପିସିସି ସାଧାରଣ ସମ୍ପାଦକ ଓ ଏଆଇସିସି ସଦସ୍ୟ ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ସଭାପତି, ଓଡିଶା ଅର୍ଥ କମିଶନ ପ୍ରଥମ ସଦସ୍ୟ, କୃଷ୍ଟି ଓ କୈଷୟିକ ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ ସଦସ୍ୟ ଭାବେ ଖ୍ୟାତି ଅର୍ଜନ କରିଥିଲେ । କେବଳ କଟକ କି ଓଡ଼ିଶାରେ ନୁହେଁ ଜାତୀୟ ଆନ୍ତର୍ଜାତୀୟସ୍ତର ବିଭିନ୍ନ ସଂଗଠନରେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଭାରତ ସେବକ ସମାଜ ସଭାପତି ସହ ଭାରତ-କୋରିଆ ମୈତ୍ରୀ ସଂଘ, ଭାରତ ଚୀନ ମୈତ୍ରୀ ସଂଘ, ସଭାପତି ଇସ୍କଫ୍, ରାଜ୍ୟ ପରିଷଦ ସଦସ୍ୟ ତଥା ଉକ୍ରଳ ସମ୍ମିଳନୀ ଶତବାର୍ଷିକ କମିଟି ସଭାପତି, ଶତାୟୁ ଅନୁଷ୍ଠାନ ଉକ୍ରଳ ସାହିତ୍ୟ ସମାଜର ସଭାପତି, ରାଜ୍ୟ ଇଂରାଜୀ ଲେଖକ ସମ୍ମିଳନୀ ସହିତ ବହୁ ପୁରାତନ ଉକ୍ରଳ ସାହିତ୍ୟ ସମାଜର ସଭାପତି ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ । ଜୀବନରେ ଅନେକ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିଲେ । ୧୯୮୦ ମସିହାରେ ସାହିତ୍ୟ ରତ୍ନ ସମ୍ମାନ, ୧୯୯୯ ମସିହାରେ ବ୍ୟାସକବି ଫକିର ମୋହନ ସମ୍ମାନ, ମାୟାଧର ମାନସିଂହ ସମ୍ମାନ, ସାରଳା ସମ୍ମାନ, ତେଳିତୋଳ ସମ୍ମାନ, ବୀରରାଣୀ ଶୁକଦେଈ ସମ୍ମାନ, ଉକ୍ରଳ ସାହିତ୍ୟ କଳା ପରିଷଦ ସମ୍ମାନ, ଶତକ୍ରୁତ ସମ୍ମାନ, ଉଦୟଭାନ ଜ୍ୟୋତି ସମ୍ମାନ, କାନ୍ତି ଓ କ୍ରାନ୍ତି ସମ୍ମାନ, ଚିର ସନ୍ଧାନ ସମ୍ମାନ, ଇଣ୍ଡୋ- ସୋଭିଏତ ସମ୍ମାନ, କଟକ ମହୋତ୍ସବ ସମ୍ମାନ, ଆଦି କବି ସମ୍ମାନ, ଭୁବନେଶ୍ୱର ସାହିତ୍ୟ ସମାଜ ସମ୍ମାନ, ରାଜୀବ ଗାନ୍ଧି ସମ୍ମାନ,ଉକ୍ରଳ ସାହିତ୍ୟ ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ସେଆର କରନ୍ତୁ:



Powered by odothemes.com