bolangir--timan-ghara-uchheda

ଟିମନ ପରେ ଗୁରୁଜୀଙ୍କ ଦୁର୍ଗ ପତନ ଆରମ୍ଭ

68

ବଲାଙ୍ଗିର,୧୪ା୬(ଆପ୍ର): କୁଖ୍ୟାତ ତଥା ମାଫିଆ ଡନ୍ ଟିମନର ବେଆଇନ ସାମ୍ରାଜ୍ୟର ପତନ ପରେ ଆରମ୍ଭ ହୋଇଛି ତାର ଗୁରୁଜୀ କ୍ଷୀରୋଦ ମିଶ୍ରଙ୍କ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା । ଟିମନର ପ୍ରମୁଖ ସହଯୋଗୀ ବୋଲାଉଥିବା ମାଷ୍ଟରମାଇଣ୍ଡ ଗୁରୁଜୀଙ୍କ ଶାନ୍ତିପଡ଼ା ସ୍ଥିତ ବାସଭବନର କିଛି ଅଂଶକୁ ଆଜି ପୌରପାଳିକା ପକ୍ଷରୁ ଜେସିବି ମେସିନ ସହାୟତାରେ ଭଙ୍ଗା ଯାଇଛି । ଶାନ୍ତିପଡ଼ାସ୍ଥିତ ଉଚ୍ଚ ପ୍ରାଥମିକ ସ୍କୁଲର କିଛି ଅଂଶକୁ ବେଆଇନ ଭାବେ କ୍ଷୀରୋଦ ମାଡ଼ି ବସି ନିର୍ମାଣ କରିଥିଲେ ଅଟ୍ଟାଳିକା । ସୋମବାର ପୌରପାଳିକା ପକ୍ଷରୁ ସେଠାରୁ ଜବରଦଖଲ ହଟାଇବାକୁ ୨୪ ଘଣ୍ଟିଆ ନୋଟିସ ତାଙ୍କ ଘର କାନ୍ଥରେ ଲଗାଯାଇଥିଲା ଏବଂ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେଠାରେ ୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଜି ଜବର ଦଖଲ ହଟାଯାଇଛି । ସୂଚନାଯୋଗ୍ୟ ଯେ ସଦେଇପାଲିସ୍ଥିତ ସୋଲାର ପ୍ଲାଣ୍ଟର ଦୁଇ ଇଂଜିନିୟରଙ୍କୁ ଦାଦାବଟି ପାଇଁ ମାଡ଼ ମାରିବା ଘଟଣାକୁ କେନ୍ଦ୍ରକରି ସଦରଥାନା ପୁଲିସ କୁଖ୍ୟାତ ଟିମନକୁ ଗିରଫ କରିଥିଲା । ପରେ ତା’ର ବେଆଇନ ଜମି ସଂପର୍କୀୟ ଅନେକ ତଥ୍ୟ ପଦାକୁ ଆସିଥିଲା । ଯେଉଁଥିରେ କି କ୍ଷୀରୋଦ ମାଷ୍ଟର ମାଇଣ୍ଡ ଥିବା ଜଣାପଡିଥିଲା । ଇତି ମଧ୍ୟରେ ଟିମନ ସମେତ ତା’ର ୧୪ଜଣ ସହଯୋଗୀ ଗିରଫ ହୋଇଥିବାବେଳେ ଗୁରୁଜୀ ପୁଲିସକୁ ଚକ୍ମା ଦେଇ ଫେରାର ମାରିଛି । ଶେଷରେ ଅପରାଧ ଜଗତର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଜିତେନ ଦୀପ ଓ ମାଷ୍ଟ୍ରେଙ୍କ ସମେତ ୧ଠ ଜଣଙ୍କ ନାମରେ ପୁଲିସ ପକ୍ଷରୁ ଏନ୍ବିଡ଼ବ୍ଲୁ୍ୟ ଜାରି କରାଯାଇଛି । ଗୁରୁଜୀଙ୍କ ବେଆଇନ ସ୍କୁଲ ଘର ଅକ୍ତିଆର ପ୍ରସଙ୍ଗ ଉପରେ ପୂର୍ବରୁ ଶିକ୍ଷା ବିଭାଗ ପକ୍ଷରୁ ମାମଲା ଦାଏର କରାଯାଇଥିଲା । କ୍ଷୀରୋଦଙ୍କ ଏହି ଜମି ଜବରଦଖଲ ସମେତ ଆହୁରି ଅନେକ ସରକାରୀ ଜମି ହଡ଼ପ କରିଥିବା ଜଣାଯାଇଛି । ପର୍ଯ୍ୟାୟକ୍ରମେ ସମସ୍ତ ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଫେରାର ଥିବା ଗୁରୁଜୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ସମ୍ପତ୍ତି ବ୍ୟାଜାପ୍ତ କରିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି ।




Powered by odothemes.com