ଖୋର୍ଦ୍ଧା-ପୁରୀ ଷ୍ଟେସନ୍ରେ ସିବିଆଇ ଚଢ଼ାଉ

cbi

ଭୁବନେଶ୍ୱର/ଜଟଣୀ,୧୧ା୬ (ବୁ୍ୟରୋ): ଖୋର୍ଦ୍ଧା-ପୁରୀ ଷ୍ଟେସନ୍ରେ ସିବିଆଇର ଦୁଇଟି ଟିମ୍ ଏକସଙ୍ଗେ ଶନିବାର ଚଢ଼ାଉ କରିଛି । ଟିଟିଇଙ୍କୁ ପଚରା ଉଚରା କରିବା ସହ ଟିକେଟ୍ କାଉଣ୍ଟରରେ ତଦନ୍ତକାରୀ ସଂସ୍ଥା ଯାଞ୍ଚ କରିଛି । ସଂରକ୍ଷିତ ଟିକେଟ ଟ୍ରାଭେଲ୍ସ ଏଜେନ୍ସିଗୁଡିକ ହାତକୁ ଯିବା ଓ ଟିଟିଇମାନେ ଆଦାୟ କରୁଥିବା ଜରିମାନା ଟଙ୍କା ଠିକ୍ ସମୟରେ କାଉଣ୍ଟରରେ ଡିପୋଜିଟ୍ ହେଉଛି କି ନାହିଁ ସିବିଆଇ ଖୋଳତାଡ କରିଛି । ହାତିଆ ଏକ୍ସପ୍ରେସ୍ରେ ମଧ୍ୟ ଚଢ଼ାଉ କରାଯାଇଛି । ସିବିଆଇର ୧୦ ଜଣିଆ ଟିମ୍ ଟ୍ରେନ୍ରେ ଚଢ଼ାଉ କରିବା ପରେ ୫ ଜଣ ଟିଟିଇଙ୍କୁ ପ୍ଲାଟ୍ଫର୍ମ-୨ରେ ଥିବା ଏକ କୋଠରୀରେ ଜେରା କରିଥିଲେ । ସେମାନଙ୍କ ନିକଟରେ ବଳକା ଟଙ୍କା ଥିବା ସିବିଆଇ ଜାଣିବାକୁ ପାଇଛି । ନିୟମ ଅନୁଯାୟୀ କାର୍ଯ୍ୟରତ ଜଣେ ଟିଟିଇ ନିଜସ୍ୱ ୫୦୦ ଟଙ୍କା ରଖିପାରିବେ । ପଚରା ଉଚରା ପରେ ଟିଟିଇଙ୍କ ନିକଟରେ ଅଧିକ ଅର୍ଥ ଥିଲା ବୋଲି ସିବିଆଇ ଅଧିକାରୀ ଏମ୍କେ ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଖୋର୍ଦ୍ଧାରେ ଟିକେଟ ବିକ୍ରିରେ ଅନିୟମିତତା ହୋଇଥିବା ସିବିଆଇ ଜାଣିବାକୁ ପାଇଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି ।
ଷ୍ଟେସନ୍ରେ ବ୍ଲାକରଙ୍କ ରାଜ୍ ଚାଲିଛି । ଜଣେ ଜଣେ ବ୍ଲାକର ୫୦ରୁ ୧୦୦ ଟିକେଟ୍ କିଣି ନେଉଛନ୍ତି । ସେହି ଟିକେଟ୍କୁ ଚଢ଼ାଦରରେ ବିକ୍ରି କରୁଛନ୍ତି । ୫୦୦ ଟଙ୍କାର ଟିକେଟ୍କୁ ୮୦୦ରୁ ୧୦୦୦ ଟଙ୍କାରେ ବିକ୍ରି କରୁଛନ୍ତି । ସାଧାରଣ ଯାତ୍ରୀ ସେମାନଙ୍କ ଠାରୁ କିଣିବାକୁ ବାଧ୍ୟ ମଣୁଛନ୍ତି । ଏହି ର୍ୟାକେଟ ଏବେ ସକ୍ରିୟ ହୋଇଛି । ଯାତ୍ରୀମାନେ କାଉଣ୍ଟରରେ ଘଣ୍ଟା ଘଣ୍ଟା ଧରି ଧାଡି ଛିଡା ହୋଇ ସଂରକ୍ଷିତ ଟିକେଟ୍ କିଣୁଛନ୍ତି । ହେଲେ କନ୍ଫରମେସନ୍ ହୋଇପାରୁନି । କାରଣ ପୂର୍ବରୁ ବ୍ଲାକରମାନେ ଅନ୍-ଲାଇନ୍ରେ ଅଧିକାଂଶ ଟିକେଟ୍ ହାତେଇ ସାରୁଛନ୍ତି । ଫଳରେ ଯାତ୍ରୀ ବ୍ଲାକରଙ୍କ ନିକଟରୁ ଚଢ଼ାଦରରେ ଟିକେଟ୍ କିଣିବାକୁ ବାଧ୍ୟ ମଣୁଛନ୍ତି । ଗତ କିଛି ଦିନ ତଳେ ଜିଆର୍ପି ଏହି ର୍ୟାକେଟ୍ର ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାପରେ ଘଟଣା ପଦାକୁ ଆସିଥିଲା । ଘଟଣାର ତଦନ୍ତ କରିବାପାଇଁ ସିବିଆଇକୁ ନିଦେ୍ର୍ଦଶ ମିଳିଥିଲା । ନିଦେ୍ର୍ଦଶ ଅନୁଯାୟୀ ସିବିଆଇ ଉପରୋକ୍ତ ଷ୍ଟେସନ୍ରେ ଚଢ଼ାଉ କରି ଅନ୍-ଲାଇନ୍ ଓ କାଉଣ୍ଟରରେ ବିକ୍ରି କରାଯାଉଥିବା ଟିକେଟ୍କୁ ତନତନ କରି ଯାଞ୍ଚ କରିଥିଲା । ସେହିପରି ଜରିମାନା ଆଦାୟ ଟଙ୍କାକୁ କେତେକ ଟିଟିଇମାନେ ଡିପୋଜିଟ୍ ନକରି କିଛି ଦିନ ପାଇଁ ନିଜ ନିକଟରେ ରଖୁଛନ୍ତି । ସମୟ ଅଭାବ ଦର୍ଶାଇ ସେମାନେ ନିୟମ ମାନୁନଥିବା ଅଭିଯୋଗ ରହିଥିଲା । ଏହି ଚଢ଼ାଉରେ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ କେତେକ ଟିଟିଇଙ୍କୁ ପଚରା ଉଚରା କରିଥିଲେ । ଏପରିକି ଜରିମାନା ଆଦାୟ ଓ ଡିପୋଜିଟ୍ର ଯାଞ୍ଚ ମଧ୍ୟ କରିଥିଲେ । ସିବିଆଇ ପଚରା ଉଚରା କରୁଥିବା ଜଣିବା ପରେ କେତେକ ଟିଟିଇ ଷ୍ଟେସନ୍ ଛାଡି ପଳାଇଥିବା ଉପରୋକ୍ତ ସୂତ୍ରରୁ ଜଣାପଡିଛି । ତେବେ ସିବିଆଇର ଏହି ଚଢ଼ାଉ ଜାରି ରହିବ ବୋଲି ମଧ୍ୟ ଜଣାପଡିଛି ।