ଅକ୍ଷୟ ମହାନ୍ତି

akshyaMohanty

ଅକ୍ଷୟ ମହାନ୍ତି (୧୨ ଅକଟୋବାର ୧୯୩୭ – ୧୭ ନଭେମ୍ବର ୨୦୦୨) (ଅନ୍ୟନାମ: ଖୋକା ଭାଇ) ଓଡ଼ିଶାର କଟକଠାରେ ଜନ୍ମିତ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ[୩], ସଙ୍ଗୀତକାର, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ।

ସେ ଓଡିଆ କଥାଚିତ୍ର, ପଲ୍ଲୀଗୀତ, ଭଜନମାନଙ୍କରେ କଣ୍ଠଦାନ କରିଛନ୍ତି, ତାଙ୍କୁ ଓଡ଼ିଆ ଆଧୁନିକ ଓ ସୁଗମ ସଙ୍ଗୀତର ଜନ୍ମଦାତା ବୋଲି କୁହାଯାଇଥାଏ । ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି

ଜୀବନ କାଳ

ଅକ୍ଷୟ ଆଗର କେନ୍ଦ୍ରାପଡ଼ା ଓ ଏବର କଟକ ଜିଲ୍ଲାର ବାଙ୍କିମୁଣ୍ଡେଇ ଗାଁରେ ବାପା ବିଚିତ୍ରନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣ ମଞ୍ଜରି ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ । ସେ କୌଣସି ପ୍ରକାରର ମାନକ ସଙ୍ଗୀତ ଶିକ୍ଷା ନେଇ ନଥିଲେ । ୨୨ ବର୍ଷ ବୟସରେ ସେ କଟକ ଆକାଶବାଣୀଠାରେ ସରକାରୀ ଚାକିରିରେ ଯୋଗ ଦେଇଥିଲେ, ହେଲେ ସାତ ବର୍ଷ ପରେ ଚାକିରି ଛାଡି ପୁରା ସମୟ ସଙ୍ଗୀତପାଇଁ ହିଁ ଦେଇଥିଲେ । ସେତେବେଳକୁ ସେ ଆକାଶବାଣୀ, କଟକର ଜଣେ ଗାୟକ ଭାବରେ କଳଗାଉଣା (ଗ୍ରାମୋଫୋନ) ଜରିଆରେ କଣ୍ଠଦାନ କରୁଥିଲେ ।[୪]

ପାରିବାରିକ ଜୀବନ

ଅକ୍ଷୟ,୧୯୬୭ ରେ ପ୍ରବିଣା ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଜଣ ପୁଅ ଓ ଦୁଇ ଝିଅ ଅଛନ୍ତି ।

ସଙ୍ଗୀତ

୧୯୪୮ ମସିହାରେ ଅକ୍ଷୟ ଆକାଶବାଣୀର ପ୍ରତିଷ୍ଠା ଦିବସରେ ଜଣେ ଶିଶୁଶିଳ୍ପୀ ଭାବରେ ଅଂଶଗ୍ରହଣ କରିଥିଲେ । ଏହା ତାଙ୍କର ସଂଗୀତ କ୍ଷେତ୍ରରେ ପ୍ରଥମ ପ୍ରବେଶ । ଅକ୍ଷୟଙ୍କର ପ୍ରଥମ ଗୀତ ଥିଲା ପଚାଶ ଦଶକରେ ମୁକ୍ତିଲାଭ କରିଥିବା ଗାଇଆଳ ଭାଇ ଧରିଛି ଶୁଣ । ୧୯୫୯ର ମା କଥାଚିତ୍ରର ଗୋରି ଗୋରି ଗୋରି ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ଗୀତ । ସେ ମୋଟ ୧୨୯ ଗୋଟି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ।

୧୯୬୫ରେ ନିର୍ଦ୍ଦେଶକ ନିତାଇ ପାଲିତଙ୍କ ମଲାଜହ୍ନ କଥାଚିତ୍ର ପାଇଁ ସେ ସଙ୍ଗୀତ ତିଆରି କରିଥିଲେ । “ରକତ ଟଳମଳ” ଗୀତଟି ସେହି କଥାଚିତ୍ରର ଏକ ଜଣାଶୁଣା ଗୀତ । ସେ ୭୫ଟି ଓଡ଼ିଆ କଥାଚିତ୍ରରେ ସେ ତିଆରି କରିଛନ୍ତି ସଙ୍ଗୀତ ଓ ୯୨ଟି କଥାଚିତ୍ରରେ ଗୀତିକାର ସାଜିଛନ୍ତି ।

ଓଡ଼ିଆ ସଙ୍ଗୀତରେ ସେ ଆଣିଛନ୍ତି ଅନେକ ପରଖ, ନୂଆ ନୂଆ ଶବଦ ଭେଳିକି (Sound Effect) ଯାହା ସେ କାଳରେ ଆଧୁନିକ ଯନ୍ତ୍ରର ଅଭାବରେ ହୋଇପାରୁନଥିଲା । ତାଙ୍କ ପରଖର ଲମ୍ବା ଧାଡ଼ି ଲମ୍ବିଥିଲା ଓଡ଼ିଆ ପୁରାଣ ଆଉ ପୁରୁଣା ସାହିତ୍ୟ ଯାଏଁ, “କାଞ୍ଚି ଅଭିଯାନ”, “ରାଣ୍ଡୀପୁଅ ଅନନ୍ତା” ଆଉ “କୋଣାର୍କ ଗାଥା” ସେ ଭିତରୁ କିଛି । ଫକୀର ମୋହନ ସେନାପତିଙ୍କ “ପେଟେଣ୍ଟ ମେଡିସିନ”କୁ ନେଇ ସେ ତିଆରି କରିଥିବା ନାଟକ ଆକାଶବାଣୀର ଶ୍ରେଷ୍ଠ ନାଟକ ପୁରସ୍କାର ଜିଣିଥିଲା ।

ସାଲବେଗଙ୍କ ରଚନା ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’ ଭିତରେ ସେ ଓଡ଼ିଆ ଭଜନରେ ନୂଆ ଧାରାଟିଏ ଆରମ୍ଭ କରିଥିଲେ । ‘ସାତ ଦରିଆପାରେ’ର ଦେଶ ପାଇଁ କଥା, “ହେ ଫଗୁଣ ତୁମେ’ର ଉଦାସୀ ମନ ଆଉ ‘ରାଜାଝିଅ ସାଙ୍ଗେ”ର ହାଲକା ଫୁଲକା ଭାବ; ଦୁଃଖଭରା ‘ରକତ ଟଳମଳ’ ଆଉ ଭାବୁକ ‘ଚକୋରି ଝରାନା ଲୁହ’ – ଏଇ ସବୁ ଗୀତ ଭିତରେ ଅକ୍ଷୟ ନିଜ ପାଇଁ ଗୋଟିଏ ନିଆରା ପରିଚୟ ତିଆରିକରି ଯାଇଛନ୍ତି ଓଡ଼ିଆ ପ୍ରାଣରେ ।

ତିନୋଟି କଥାଚିତ୍ରରେ ସେ ଅଭିନୟ ବି କରିଛନ୍ତି ଆଉ ଗୋଟିଏ କଥାଚିତ୍ରରେ ସହନିର୍ଦେଶନା ଦେଇଛନ୍ତି । ତାଙ୍କ କଲମରୁ ଜନ୍ମ ନେଇଛି ପ୍ରାୟ ୧୮ଟିରୁ ଉର୍ଦ୍ଧ ପୁସ୍ତକ ।