PURI-BADADANDA-RE-NAEBADHI-(1)

ଅସରାଏ ବର୍ଷାରେ ଉବୁଟୁବୁ ବଡ଼ଦାଣ୍ଡ

51

ପୁରୀ, ୮ା୬(ବୁ୍ୟରୋ): ଗୋଟିଏ ଘଣ୍ଟାର ବର୍ଷାରେ ବେହାଲ ହେଲା ପୁରୀ । ବଡଦାଣ୍ଡରେ ଲହଡି ଭାଙ୍ଗିଲା ବର୍ଷା ପାଣି । ଏମିତି ପରିସ୍ଥିତି ହେଲା ଯେ, ଦୀର୍ଘ ସମୟ ଧରି ଯାତ୍ରୀ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଆଣ୍ଠୁଏ ପାଣିରେ ଯାତାୟତ କରିବାକୁ ବାଧ୍ୟ ହେଲେ । ବଡଦାଣ୍ଡରେ ହସ୍ପିଟାଲ ଛକ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ପାଣି ଏକାକାର ହୋଇଗଲା । ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ପାଣି ନିଷ୍କାସନ ହୋଇପାରିଲା ନାହିଁ । ଅପରିଷ୍କାର ପାଣିରେ ଲୋକେ ନାକ ଟେକି ଟେକି ଯାଉଥିଲେ । ପ୍ରତିବର୍ଷ ପୁରୀ ସହର ଏମିତି ଅସରାଏ ବର୍ଷାରେ ଉବୁଟୁବୁ ହୋଇଆସୁଛି । ମାତ୍ର ପ୍ରଶାସନ ଏଥିପାଇଁ କୌଣସି ଠୋସ୍‌ ପଦକ୍ଷେପ ନେବାରେ ସଫଳ ହୋଇପାରିନି । ନବକଳେବର ପୂର୍ବରୁ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଯୋଜନା କରାଯାଇଥିଲା । ମାତ୍ର ତାହା ଫଳପ୍ରଦ ହୋଇପାରିନି । ବଡଦାଣ୍ଡରୁ ବର୍ଷା ଜଳ ନିଷ୍କାସନ ପାଇଁ ଯୋଜନା ମୁତାବକ ଡ୍ରେନେଜ ବ୍ୟବସ୍ଥା ହୋଇ ନ ଥିବାରୁ ଅଳ୍ପ ବର୍ଷାରେ ସହର ପାଣିରେ ଉବୁଟୁବୁ ହେଉଛି । କୁହାଯାଉଛି, ମୂଷା ନଇ ସହ ଡ୍ରେନେଜ ସଂଯୋଗ ପୋତି ହୋଇଯାଇଥିବାରୁ ଜଳ ନିଷ୍କାସନ ହୋଇପାରୁନି । ତେବେ ଆଗକୁ ରଥଯାତ୍ରା ଆସୁଥିବା ବେଳେ ବର୍ଷା ପାଣିରେ ପୁରୀ ସହର ଜଳମଗ୍ନ ହେବା ପ୍ରଶାସନିକ ନିଷ୍ଠା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଜିଲ୍ଲାପାଳ ତାଗିଦ କରିଛନ୍ତି । ଯଦି ବିଧିବଦ୍ଧ ଯୋଜନା କରାଯାଇ ଏହି ସମସ୍ୟାର ସମାଧାନ କରା ନ ଯାଏ, ତେବେ ରଥଯାତ୍ରା ବେଳେ ଏପରି ପରିସ୍ଥିତି ଉପୁଜିଲେ କିଛି ବଡ ଧରଣର ଅଘଟଣ ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।

ସେଆର କରନ୍ତୁ:



Powered by odothemes.com